ବୁଧବାର କୋଭିଡ୍ ସ୍ଥିତିର ସମୀକ୍ଷା ବୈଠକ, ସମସ୍ତ ରାଜ୍ୟ ସହ ଆଲୋଚନା କରିବେ କେନ୍ଦ୍ର ସ୍ଵାସ୍ଥ୍ୟ ସଚିବ

Published By : Prameya-News7 Bureau | May 28, 2025 IST

ନୂଆଦିଲ୍ଲୀ ୨୮।୦୫; ପୁଣି ଫେରିଛି କରୋନା । ଦିନକୁ ଦିନ ବଢିବାରେ ଲାଗିଛି ସଂକ୍ରମଣ ମାମଲା । ଦେଶରେ ମୋଟ ଆକ୍ଟିଭ କେସ୍‌ ହଜାରେ ଟପିଛି । ଯାହାକୁ ନେଇ ଚିନ୍ତାର କାରଣ ପାଲଟିଛି । ରାଜ୍ୟରେ ନୂଆ ମାମଲା ଚିହ୍ନଟ ହୋଇଛି । ବଢୁଥିବା ସଂକ୍ରମଣକୁ ନେଇ ସତର୍କ ରହିଛି ସ୍ୱାସ୍ଥ୍ୟବିଭାଗ । ଆଜି (ବୁଧବାର) ଅପରାହ୍ଣ ୧୨ଟାରେ ସବୁ ରାଜ୍ୟ ସହ କୋଭିଡ୍ ସ୍ଥିତି ନେଇ ବୈଠକ କରିବେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ। 

ଏନେଇ ଭିଡିଓ କନଫରରେନ୍ସିଂରେ ସବୁ ରାଜ୍ୟର ଅଧିକାରୀ ସାମିଲ ହେବେ। ଦେଶରେ ବ୍ୟାପୁଥିବା ଦୁଇଟି ଭ୍ୟାରିଏଣ୍ଟରେ କେବଳ ଥଣ୍ଡା କାଶ ଲକ୍ଷଣ ଦେଖାଯାଉଛି । ରାଜ୍ୟରେ ଚିହ୍ନଟ ହୋଇଥିବା ଜଣେ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି । ଦେଶର ସ୍ଥିତିକୁ ଦେଖି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । 

ଭୟଭୀତ ନହେବାକୁ ରାଜ୍ୟବାସୀଙ୍କୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି । କିନ୍ତୁ ସେପଟେ ଚିନ୍ତା ବଢ଼ାଇଲାଣି ଦେଶରେ ୬ ସଂକ୍ରମିତଙ୍କ ମୃତ୍ୟୁ । ବର୍ତ୍ତମାନ ଦେଶରେ ୧୦୧୦ ସଂକ୍ରମଣ ମାମଲା ରହିଛି । ମହାରାଷ୍ଟ୍ର ଓ କେରଳରେ ସ୍ଥିତି ସଙ୍ଗୀନ ରହିଛି । ମହାରାଷ୍ଟ୍ରରୁ ୩, କେରଳରୁ ୨ ଓ କର୍ଣ୍ଣାଟକରେ ଜଣଙ୍କ ଜୀବନ ନେଇଛି କରୋନାର ନୂଆ ଭାରିଆଣ୍ଟ । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରାଳୟର ସୂଚନା ଅନୁସାରେ , ସବୁଠୁ ଅଧିକ ସଂକ୍ରମିତ କେରଳରୁ ଚିହ୍ନଟ ହେଉଛନ୍ତି । ଏହାପରେ ରହିଛି ମହାରାଷ୍ଟ୍ର ଓ ଦିଲ୍ଲୀ । ଏହାସହ ଦକ୍ଷିଣ ଭାରତ ରାଜ୍ୟରେ ମଧ୍ୟ ସଂକ୍ରମଣ ବ୍ୟାପୁଛି।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.