ନୂଆଦିଲ୍ଲୀ: ଦେଶରେ କରୋନା ପଜିଟିଭ ସଂଖ୍ୟା ନିରନ୍ତର ବଢିବାରେ ଲାଗିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ ଦେଶରେ ମୋଟ କରୋନା ପଜିଟିଭ୍ ସଂଖ୍ୟା ୫,୭୫୫ ହୋଇଛି। ଗତ ୨୪ ଘଣ୍ଟାରେ ୩୯୧ କୋଭିଡ୍-୧୯ ମାମଲା ରିପୋର୍ଟ କରାଯାଇଛି। ଗତକାଲି ଚିହ୍ନଟ ହୋଇଥିବା ୪୯୮ ପଜିଟିଭ ମାମଲା ତୁଳନାରେ ଶନିବାର ସାମାନ୍ୟ ହ୍ରାସ ପାଇଛି।
ସେହିପରି ଦିନକରେ ୭୬୦ ଜଣ କରୋନା ରୋଗୀ ସୁସ୍ଥ ହୋଇ ଡାକ୍ତରଖାନାରୁ ଫେରିଛନ୍ତି। ଶୁକ୍ରବାର ସୁସ୍ଥ ସଂଖ୍ୟା ୭୬୪ ଥିଲା। ସେହିପରି ଦିନକରେ କୋଭିଡ୍ ସମ୍ବନ୍ଧୀୟ ସମସ୍ୟା ଯୋଗୁ ୪ ଜଣଙ୍କର ମୃତ୍ୟୁ ହୋଇଛି। ମୃତକମାନେ ହେଲେ କେରଳ, ମଧ୍ୟପ୍ରଦେଶ, ତାମିଲନାଡୁ ଏବଂ ମହାରାଷ୍ଟ୍ରର।
ମହାରାଷ୍ଟ୍ରରେ, ଜଣେ ୪୫ ବର୍ଷୀୟା ଗର୍ଭବତୀ ମହିଳା ଗର୍ଭାବସ୍ଥା ସମୟରେ ହୃଦଘାତ ହେବାରୁ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା। ପରେ ସେ କରୋନା ପଜିଟିଭ ଥିବା ଜଣାପଡ଼ିଥିଲା। କେରଳରେ ଫୁସଫୁସ କର୍କଟ ରୋଗରେ ଆକ୍ରାନ୍ତ ଆଉ ଜଣେ ୫୯ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁବରଣ କରିଥିବା ଅନ୍ୟ ଦୁଇ ରୋଗୀଙ୍କ ବୟସ ୬୦ ବର୍ଷରୁ ଅଧିକ ଥିଲା ଏବଂ ସେମାନଙ୍କର ଅନ୍ୟାନ୍ୟ ରୋଗ ମଧ୍ୟ ଥିଲା।
ଦିନକରେ କେରଳରୁ ୧୨୭ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ଗୁଜରାଟ ୧୮୩ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ମହାରାଷ୍ଟ୍ରରେ ୮୬, ଉତ୍ତରାଖଣ୍ଡ ୪ ଜଣ କୋଭିଡ ରୋଗୀ ଚିହ୍ନଟ ହୋଇଛନ୍ତି। ସେପଟେ ଓଡ଼ିଶାରେ କରୋନା ପ୍ରତି ସରକାର ସତର୍କ ଥିବା କହିଛନ୍ତି। ଓଡିଶା ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗୋଣ୍ଡ କହିଛନ୍ତି ଯେ ସରକାର କୋଭିଡ-୧୯ ପ୍ରତି ସତର୍କ ଅଛନ୍ତି।ଶିକ୍ଷକମାନଙ୍କୁ କୋଭିଡ-୧୯ ସଂକ୍ରମଣକୁ ରୋକିବାକୁ ତାଲିମ ଦିଆଯିବା ଉଚିତ ବୋଲି ମନ୍ତ୍ରୀ କହିଛନ୍ତି।