ନୂଆଦିଲ୍ଲୀ: ଶୁକ୍ରବାର(୬ ଜୁନ) ଭାରତରେ କୋଭିଡ୍-୧୯ ପଜିଟିଭ ସଂଖ୍ୟା ୫,୦୦୦ ଅତିକ୍ରମ କରିଛି। ଗତ ୨୪ ଘଣ୍ଟାରେ ୪୯୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି। ନୂଆ ପଜିଟିଭଙ୍କ ମଧ୍ୟରୁ କେରଳରେ ସର୍ବାଧିକ ୧୯୨ ମାମଲା ରିପୋର୍ଟ କରାଯାଇଥିବା ବେଳେ ଗୁଜୁରାଟ ୧୦୭ ମାମଲା ଚିହ୍ନଟ କରାଯାଇଛି। ସେହିପରି ଦିନକରେ ୭୬୪ ରୋଗୀ ସୁସ୍ଥ ହୋଇ ଘରକୁ ଫେରି ଥିବା ବେଳେ ୪ ଜଣଙ୍କର ଜୀବନ ଯାଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରଣାଳୟ କହିଛି।
କେରଳରୁ ଦୁଇଜଣଙ୍କ ମୃତ୍ୟୁ ରିପୋର୍ଟ ହୋଇଥିବା ବେଳେ ପଞ୍ଜାବ ଏବଂ କର୍ଣ୍ଣାଟକରେ ଜଣେ ଲେଖାଏ ରୋଗୀଙ୍କର ମୃତ୍ୟୁ ହୋଇଛି। ସମସ୍ତ ଚାରି ଜଣ ରୋଗୀ ୬୦ ବର୍ଷରୁ ଅଧିକ ବୟସର ଥିଲେ ଏବଂ ସେମାନଙ୍କର ଅନ୍ୟାନ୍ୟ-ରୋଗ ମଧ୍ୟ ଥିଲା। ଚଳିତ ବର୍ଷ ଜାନୁଆରୀ ମାସରୁ ଦେଶରେ କରୋନା ଯୋଗୁ ୫୫ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟମନ୍ତ୍ରଣାଳୟ କହିଛି। ଦେଶରେ କେରଳରେ ସର୍ବାଧିକ ୧,୬୭୯ କୋଭିଡ୍-୧୯ ପଜିଟିଭ ରହିଥିବା ବେଳେ ଗୁଜରାଟରେ ୬୧୫, ପଶ୍ଚିମବଙ୍ଗରେ ୫୯୬ ଏବଂ ଦିଲ୍ଲୀରେ ୫୯୨ ମାମଲା ରହିଛି।
ଦିଲ୍ଲୀରେ ଗତ ୨୪ ଘଣ୍ଟା ମଧ୍ୟରେ ୩୦ ଟି ନୂଆ କୋଭିଡ୍-୧୯ ମାମଲା ରିପୋର୍ଟ ହୋଇଥିବା ବେଳେ ୧୨୪ ଜଣଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ଜାନୁଆରୀ ୧ ପରଠାରୁ ଏଠାରେ ମୃତ୍ୟୁ ସଂଖ୍ୟା ୭ ହୋଇଛି। ଗୁରୁବାର ଠାରୁ ଦିଲ୍ଲୀରେ କରୋନା ଜନିତ କୌଣସି ମୃତ୍ୟୁ ହୋଇନାହିଁ। ପଶ୍ଚିମବଙ୍ଗରେ, ଗତ ୨୪ ଘଣ୍ଟା ମଧ୍ୟରେ ୫୮ ଜଣ ଲୋକ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୯୧ ଜଣ ସୁସ୍ଥ ହୋଇଛନ୍ତି। ଏଠାରେ ବର୍ଷ ଆରମ୍ଭରୁ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ଓଡ଼ିଶାରେ ଶୁକ୍ରବାର ୭ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ମୋଟ ପଜିଟିଭ ସଂଖ୍ୟା ୩୦କୁ ବୃଦ୍ଧି ପାଇଛି। ଏପର୍ଯ୍ୟନ୍ତ ୭ ଜଣ ଏହି ରୋଗରୁ ସୁସ୍ଥ ହୋଇଥିବା ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର କହିଛନ୍ତି।