ଝିଅ ଆଖି ଖୋଲିଲା, ବାପା ଦୁନିଆ ଛାଡିଲା: ଷ୍ଟ୍ରେଚରରେ ଯାଇ ଯବାନଙ୍କୁ ଶେଷ ସଲାମୀ ଦେଲେ ପତ୍ନୀ

NEWS7
covid-19-tv-actor-sharad-malhotra-tested-coronavirus-positive

ମୁମ୍ବାଇ: ଘରକୁ ଆସିବ ନୂଆ ଅତିଥି। ଖୁସିରେ ଫାଟି ପଡୁଥାଏ ପୂରା ପରିବାର। ହେଲେ ବିଧି ବିଧାନ ଥିଲା କିଛି ଅଲଗା। ଛୋଟ ପିଲାଟିର କାନ୍ଦ ଶୁଭିବା ପୂର୍ବରୁ ନୀରବତା ତ୍ରିରଙ୍ଗାରେ ଘୋଡ଼ାଇ ହୋଇଗଲା। ଝିଅ ଆଖି ଖୋଲିଲା। ବାପା ଦୁନିଆ ଛାଡିଲା। ଜୀବନର ମୂଲ୍ୟ ବା କଣ। ଏ ଦୃଶ୍ୟ ଯିଏ ବି ଦେଖିବ, ଆଖି ଓଦା ହୋଇଯିବ, ଗଳା ରୁଦ୍ଧ ହୋଇଯିବ, ଏବଂ ହୃଦୟ ଭାଙ୍ଗିଯିବ। ମହାରାଷ୍ଟ୍ରର ସତାରା ତାଲୁକାର ଆରେ-ଡେୟା ଗାଁରେ ଯାହା ଘଟିଥିଲା ତାହା ସାରା ଦେଶକୁ କନ୍ଦାଇ ଦେଇଛି।

ଭାରତୀୟ ସେନାର ଯବାନ ପ୍ରମୋଦ ଯାଧବ ଛୁଟିରେ ଘରକୁ ଆସୁଥିଲେ। ମନରେ ଥିଲା ଖୁସି, ସ୍ୱପ୍ନ ଓ ଅନେକ ଆଶା। ତାଙ୍କର ପତ୍ନୀ ଗର୍ଭବତୀ। ପୁଣି ପରିବାରକୁ ଆସୁଛି ନୂଆ ଅତିଥି। ଦୀର୍ଘ ଦିନ ଘରକୁ ଫେରୁଥିଲେ ପ୍ରମୋଦ। ମନରେ ଶାନ୍ତି ଆଉ ଖୁସି। ହେବେନି ବା କେମିତି। ବର୍ଦ୍ଦିରେ ସେ ସିନା ଯବାନ, ହେଲେ ୟୁନିଫର୍ମ ବାହାରେ, ସେ ଜଣେ ସ୍ୱାମୀ, ଜଣେ ପୁଅ ଏବଂ ଆଉ ବାପା ହେବାକୁ ଯାଉଛନ୍ତି। କିନ୍ତୁ କିଏ ଜାଣିଥିଲା, ଭାଗ୍ୟ ତାଙ୍କ ପାଇଁ ଏତେ ନିଷ୍ଠୁର ହୋଇଯିବ?

ଦୁର୍ଘଟଣାରେ ଚାଲିଗଲା ପ୍ରମୋଦ ଯାଧବଙ୍କ ଜୀବନ। ଗାଁ ପାଖରେ ଖବର ପହଞ୍ଚିଲା। କେହି ବିଶ୍ୱାସ କଲେ ନାହିଁ। କିନ୍ତୁ ଯେତେବେଳେ ତ୍ରିରଙ୍ଗା ଘୋଡାହୋଇ ତାଙ୍କ ମରଶରୀର ସେନା ଗାଡ଼ିରେ ଆସିଲା, କାନ୍ଦରେ ଫାଟି ପଡିଲା ପୂରା ଗାଁ। ଖୁସିରେ ପୂରି ଉଠିଥିବା ଘର ହଠାତ୍ ଦୁଃଖରେ ବୁଡ଼ିଗଲା। ମା' ଚେତାଶୂନ୍ୟ ହୋଇଗଲେ। ବାପାଙ୍କ ଆଖି ସତେ ଯେପରି ଅନ୍ଧାର ହୋଇଗଲା। ମାଆ ହେବାକୁ ଯାଉଥିବା ପତ୍ନୀ ବିଧବା ହୋଇଗଲେ।

ପ୍ରମୋଦ ଯାଧବଙ୍କ ମୃତ୍ୟୁର ମାତ୍ର କିଛି ଘଣ୍ଟା ପରେ, ତାଙ୍କ ସ୍ତ୍ରୀ ହସ୍ପିଟାଲରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ଗୋଟିଏ ପଟେ, ଜୀବନର ପ୍ରଥମ ନିଶ୍ୱାସ... ଅନ୍ୟପଟେ, ମୃତ୍ୟୁର ଶେଷ ନୀରବତା... ଯେଉଁ ମୁହୂର୍ତ୍ତଟି ସବୁଠାରୁ ଖୁସି ହେବାର ଥିଲା, ତାହା ସବୁଠାରୁ ଯନ୍ତ୍ରଣା ଭରିଦେଲା। ପ୍ରମୋଦ ବାପା ହେଲେ, କିନ୍ତୁ ତାଙ୍କ ଝିଅର ମୁହଁ ନଦେଖି ଚାଲିଗଲେ। ଝିଅକୁ ନିଜ କୋଳରେ ଧରିବାର ଇଚ୍ଛା, ତା ପ୍ରଥମ ହସ ଦେଖିବାର ସ୍ୱପ୍ନ, ସବୁକିଛି ଅଧୁରା ରହିଗଲା।

ସବୁଠୁ ଦୁଃଖ ଏବଂ ଛାତିଫାଟିଯିବା ଦୃଶ୍ୟ ଥିଲା ଅନ୍ତିମ ସଂସ୍କାର। ଶେଷ ସଂସ୍କାର ଆରେ-ଡେୟାର ଗାଁ ପୂର୍ବ ପରି ନୀରବ। ଯେତେବେଳେ ତ୍ରିରଙ୍ଗାରେ ଗୁଡ଼ାଯାଇଥିବା ପ୍ରମୋଦ ଯାଧବଙ୍କ ମୃତଦେହ ଗାଁରେ ପହଞ୍ଚିଲା, ପ୍ରତ୍ୟେକ ଆଖି ଲୁହରେ ଭରିଗଲା। ସବୁଠାରୁ ହୃଦୟ ବିଦାରକ ଦୃଶ୍ୟ ଥିଲା ଯେତେବେଳେ ପ୍ରମୋଦଙ୍କ ସ୍ତ୍ରୀ, ସିଧା ହସ୍ପିଟାଲରୁ ଷ୍ଟ୍ରେଚରରେ ଅଣାଯାଇ ତାଙ୍କ ସ୍ୱାମୀଙ୍କୁ ଶେଷ ସମ୍ମାନ ଜଣାଇବାକୁ ଆସିଲେ। ତାଙ୍କ ଶରୀର ଦୁର୍ବଳ ଥିଲା, ଉଠିବାକୁ ଶକ୍ତି ନଥିଲା। ଆଖି ଲୁହରେ ଭରିଗଲା, ଏବଂ ହୃଦୟ ଏପରି ଯନ୍ତ୍ରଣାରେ ପୂରି ହୋଇଗଲା ଯାହାକୁ କୌଣସି ଶବ୍ଦ ବର୍ଣ୍ଣନା କରିହେବ ନାହିଁ। ସେ ତାଙ୍କ ସ୍ୱାମୀଙ୍କୁ ଶେଷ ଥର ପାଇଁ ଦେଖୁଥିଲେ, ଯାହାଙ୍କ ସହିତ ସେ ଜୀବନର ସ୍ୱପ୍ନ ଦେଖିଥିଲେ।

ମାତ୍ର ଆଠ ଘଣ୍ଟା ପୂର୍ବରୁ ଜନ୍ମ ହୋଇଥିବା ନବଜାତ ଶିଶୁ ତା ବାପାଙ୍କ ଶେଷ ଦର୍ଶନ କରିଥିଲା। ଛୋଟ ଶରୀର, କୁନି କୁନି ହାତ। କିନ୍ତୁ ଏକ କଣ ତା’ ସମ୍ମୁଖରେ ତ୍ରିରଙ୍ଗାରେ ଘୋଡେଇ ହୋଇ ଶୋଇଛନ୍ତି ତା ବାପା। ବିଚରା କୁନି ଝିଅଟି ଜାଣି ନଥିଲା ଯେ ସେ କ'ଣ ହରାଇଛି। ପ୍ରମୋଦ ଯାଧବଙ୍କୁ ଗାର୍ଡ ଅଫ୍ ଅନର ସହ ଶେଷ ସଲାମ ଦେଇଥିଲା ଭାରତୀୟ ସେନା। କିନ୍ତୁ ସେହି ସଲାମ ମଧ୍ୟରେ ଥିଲା ନୀରବତା, ଯାହା ଅନେକ କଥା କହୁଥିଲା। ମାଆର ଖାଲି କୋଳ, ବାପାଙ୍କ ଦୁଃଖଭରା ଆଖି, ପତ୍ନୀଙ୍କ ଅଧାଗଢ଼ା ଦୁନିଆ, ଏବଂ ଆଉ ତାଙ୍କ କୋଳରେ ଥିବା ଶିଶୁକନ୍ୟାର ଅସୁମାରୀ ସ୍ୱପ୍ନ