ଦିଲ୍ଲୀରେ କାୟା ବିସ୍ତାର କରୁଛି Covid-19, ଗୋଟିଏ ଦିନରେ ୨୩ ନୂଆ ମାମଲା ଠାବ

Published By : Prameya-News7 Bureau | May 23, 2025 IST

ନୂଆଦିଲ୍ଲୀ ୨୩।୫: ଦେଶରେ ପୁଣି କୋଭିଡ-୧୯ ପ୍ରସରିବା ଆରମ୍ଭ କରିଛି। ଏହିକ୍ରମରେ ଦିଲ୍ଲୀ ଏନସିଆରରେ ନୂଆ କରୋନା ମାମଲା ସାମ୍ନାକୁ ଆସିଛି। ଏଣୁ ରେଖା ଗୁପ୍ତା ସରକାର ସତର୍କ ହୋଇଯାଇଛନ୍ତି। ବଢୁଥିବା କରୋନା ସଂକ୍ରମଣକୁ ନଜରରେ ରଖି ଦିଲ୍ଲୀ ସରକାର ଆଡଭାଇଜରି ଜାରି କରିଛନ୍ତି, ଯେଉଁଥିରେ ହସ୍ପିଟାଲମାନଙ୍କୁ ବେଡ, ଔଷଧ, ଅକ୍ସିଜେନ ଓ ଭାକ୍ସିନ ଉପଲବ୍ଧତା ନିମନ୍ତେ ପ୍ରସ୍ତୁତ ରହିବାକୁ କୁହାଯାଇଛି। 

ସେହିପରି ସବୁ ସ୍ୱାସ୍ଥ୍ୟ ଅନୁଷ୍ଠାନଙ୍କୁ ଜିନୋମ ସିକ୍ୱେନସିଂ ନିମନ୍ତେ ସମସ୍ତ କୋଭିଡ-୧୯ ପଜେଟିଭ ସାମ୍ପଲ ଏଲଏନଜେପି ହସ୍ପିଟାଲ ପଠାଇବାକୁ କୁହାଯାଇଛି। ଏହା ଛଡା ଦିଲ୍ଲୀ ରାଜ୍ୟ ସ୍ୱାସ୍ଥ୍ୟ ଡାଟା ପ୍ରବନ୍ଧନ ପୋର୍ଟାଲରେ ଦୈନିକ ରିପୋର୍ଟିଂ କରିବାକୁ ମଧ୍ୟ କୁହାଯାଇଛି। ଏହି ଆଡଭାଇଜରୀ ଏପରି ସମୟରେ ଜାରି ହୋଇଛି ଯେତେବେଳେ ରାଜଧାନୀ ଦିଲ୍ଲୀରେ କୋଭିଡ-୧୯ର ନୂଆ ୨୩ଟି ମାମଲା ପୁଷ୍ଟି ହୋଇଛି। ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ପଙ୍କଜ ସିଂହ ଶୁକ୍ରବାର କହିଛନ୍ତି ଯେ ସହରରେ ୨୩ଟି ନୂଆ କୋଭିଡ ମାମଲା ଚିହ୍ନଟ ହୋଇଛି। 

ତେବେ ସେ କହିଛନ୍ତି ଯେ ସରକାର ଏହା ତଦାରଖ କରୁଛନ୍ତି ଯେ ଏହି ମାମଲାଗୁଡିକ ଦିଲ୍ଲୀର ନା ଏମାନେ ଦିଲ୍ଲୀକୁ ବାହାରୁ ଆସିଥିଲେ। ଏହା ଛଡା ଦିଲ୍ଲୀକୁ ଲାଗି ରହିଥିବା ଗୁରୁଗ୍ରାମ ଓ ଫରିଦାବାଦରେ କରୋନା ସଂକ୍ରମଣର ୩ଟି ମାମଲା ସାମ୍ନାକୁ ଆସିଛି। ଗାଜିୟାବାଦରେ ମଧ୍ୟ ୪ଟି ମାମଲା ଚିହ୍ନଟ ହୋଇଛି। ଅଧିକାରୀଙ୍କ ଅନୁସାରେ ନିକଟରେ ମୁମ୍ବାଇରୁ ଫେରିଥିବା ଜନୈକା ୩୧ ବର୍ଷ ବୟଷ୍କା ମହିଳା କୋଭିଡ-୧୯ ପଜେଟିଭ ଚିହ୍ନଟ ହୋଇଛନ୍ତି। 

ଏହା ଛଡା ଜଣେ ୬୨ ବର୍ଷ ବୟଷ୍କ ବ୍ୟକ୍ତିଙ୍କଠାରେ ମଧ୍ୟ କୋଭିଡ ପରୀକ୍ଷଣ ପଜେଟିଭ ଆସିଛି। ଏଣୁ ଦୁଇଜଙ୍କୁ ଏକାନ୍ତବାସରେ ପଠାଇ ଦିଆଯାଇଛି। ଏହା ଛଡା ଏହି ଲୋକଙ୍କ ସଂସ୍ପର୍ସରେ ଆସିଥିବା ଲୋକଙ୍କୁ ଚିହ୍ନଟ କରିବା ପାଇଁ ମଧ୍ୟ ଉଦ୍ୟମ ଆରମ୍ଭ ହୋଇଛି। ସେହିପରି ଫରିଦାବାଦ ସେହେତପୁରର ୨୮ ବର୍ଷ ବୟଷ୍କ ଜଣେ ବ୍ୟକ୍ତିଙ୍କ କୋଭିଡ ପରୀକ୍ଷଣ ରିପୋର୍ଟ ପଜେଟିଭ ଆସିଛି। ସେ କିଛି ଦିନ ହେଲା ଥଣ୍ଡା ଓ ଜ୍ୱରରେ ଆକ୍ରାନ୍ତ ଥିଲେ। ଏଣୁ ଜ୍ୱର ନ ଛାଡିବାରୁ ଦିଲ୍ଲୀ ସଫଦରଜଙ୍ଗ ହସ୍ପିଟାଲକୁ ଆସିଥିଲେ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.