କଟକ: ଚଳନ୍ତା ବାଇକ୍ ଉପରେ ବିପଦପୂର୍ଣ୍ଣ ଭାବେ ରିଲ୍ସ କରିବା ମହଙ୍ଗା ପଡ଼ିଲା। ସୋସିଆଲ ମିଡ଼ିଆରେ ଭିଡିଓ ଭାଇରାଲ ହେବା ପରେ ଆକ୍ସନ ନେଲା ପରିବହନ ବିଭାଗ। ଗାଡ଼ି ମାଲିକଙ୍କୁ ୧୬ ହଜାର ଟଙ୍କା ଜୋରିମାନା ଜାରି କରିଛି କଟକ ପରିବହନ ବିଭାଗ।
ସୂଚନା ଅନୁସାରେ, କଟକର ଜଣେ ବ୍ୟକ୍ତି ଚଳନ୍ତା ବାଇକର ଆଗରେ ତାଙ୍କ ସ୍ତ୍ରୀଙ୍କୁ ବସାଇ ବିପଦପୂର୍ଣ୍ଣ ଭାବରେ ରିଲ୍ସ କରି ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ। ତେବେ ସୋସିଆଲ ମିଡିଆରେ ଏହା ଭାଇରାଲ ହେବା ପରେ ଜଣେ ଯୁବକ ଗାଡ଼ି ନମ୍ବର ଓ ଭିଡିଓ ସହ ପୋଲିସ୍ ଡିଜି,କଟକ ଜିଲ୍ଲାପାଳଙ୍କୁ ଟ୍ବିଟ କରିଥିଲେ।
ଏପରି ଆଇନ ଖିଲାପକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ। ଯାହାପରେ ଆକ୍ସନକୁ ଆସିଥିଲା ପରିବହନ ବିଭାଗ। କଟକ ଆରଟିଓ ପକ୍ଷରୁ ଗାଡ଼ି ମାଲିକ କଟକ ଆଠଗଡ଼ ଅଞ୍ଚଳର ମୋହନ ସାହୁଙ୍କୁ ୧୬ ହଜାର ଟଙ୍କା ଜୋରିମାନା କରିଛି।