ନୂଆ ଆଞ୍ଚଳିକ ଦଳ ଗଠନ ପାଇଁ ଅଣ୍ଟା ଭିଡ଼ିଲେ ମହମ୍ମଦ ମୋକିମ, ସର୍ତ୍ତରେ ରାଜି ହେବେ କି ନେତା ?

NEWS7
countries-buying-venezuelan-oil-will-face-25-percent-tariffs-announced-donald-trump

ଭୁବନେଶ୍ଵର: ରାଜ୍ୟରେ ନୂଆ ଆଞ୍ଚଳିକ ଦଳ ଗଠନ ପାଇଁ ଅଣ୍ଟା ଭିଡୁଛନ୍ତି ବରିଷ୍ଠ ନେତା ମହମ୍ମଦ ମୋକିମ। ଏଥିପାଇଁ ସେ ଦଳର ଆଭିମୁଖ୍ୟ ମଧ୍ୟ ପ୍ରସ୍ତୁତ କରିସାରିଛନ୍ତି। ହେଲେ ଦଳର ଆଭିମୁଖ୍ୟକୁ ଦେଖିଲେ ତାଙ୍କ ସହ କେଉଁ ନେତା ସାମିଲ ହେବେ ତାକୁ ନେଇ ବଢିଛି ଚର୍ଚ୍ଚା। ଏହାରି ଭିତରେ ନୂଆ ଦଳ ଗଠନ ହେଲେ ମଧ୍ୟ ରାଜ୍ୟର ୩ ପ୍ରମୁଖ ଦଳ ଉପରେ କୌଣସି ପ୍ରଭାବ ପଡିବ ନାହିଁ ବୋଲି କହିଛନ୍ତି ଦଳୀୟ ନେତା।

କାହାକୁ ନେଇ ଆଗକୁ ବଢିବେ ମୋକିମ ? ମୋକିମଙ୍କ ସର୍ତ୍ତରେ ରାଜି ହେବେ କେତେ ନେତା ? କାହିଁକି ମୋକିମଙ୍କ ଦଳକୁ ଲୋକ କରିବେ ସମର୍ଥନ ? ଏବେ ଏମିତି ଅନେକ ପ୍ରଶ୍ନ ରାଜନୈତିକ ମହଲରେ ଉଙ୍କି ମାରୁଛି। କାରଣ ନୂଆ ଦଳକୁ ନେଇ ମୋକିମ ରଖିଥିବା ସର୍ତ୍ତକୁ ନେଇ ଏମିତି କିଛି ଚର୍ଚ୍ଚା ହେଉଛି। ଦେଖନ୍ତୁ ମୋକିମ କଣ ରଖିଛନ୍ତି ନୂଆ ଦଳର ସୂରୁପ।

- ରାଜ୍ୟର ଉଦୀୟମାନ ଯୁବ ଓ ଛାତ୍ର ଗୋଷ୍ଠୀଙ୍କୁ ଦଳରେ ସାମିଲ କରାଯିବ

- ନୂଆ ଆଞ୍ଚଳିକ ଦଳ ସମ୍ପୂର୍ଣ୍ଣ ନିଶା ନିବାରଣ ପାଇଁ କାମ କରିବ

- ଦଳରେ ମଦ ବିରୋଧୀ ଆନ୍ଦୋଳନକାରୀଙ୍କୁ ଦିଆଯିଵ ପ୍ରାଧାନ୍ୟ

- ଅବକାରୀ ରାଜସ୍ବକୁ ଖଣି ବିଭାଗ ଭରଣା କରିପାରିବ

- ନୂଆ ଆଞ୍ଚଳିକ ଦଳ ମାଗଣା ଯୋଜନାକୁ ସମର୍ଥନ କରିବ ନାହିଁ

- ମାଗଣା ଯୋଜନା ବଦଳରେ ଲୋକଙ୍କୁ ରୋଜଗାରରକ୍ଷମ କରିବାକୁ ଯୋଜନା ହେବ

ତେବେ ବର୍ତ୍ତମାନ ନିର୍ବାଚନ ବୈତରଣୀ ପାର ପାଇଁ ମାଗଣା ଯୋଜନା ମୁଖ୍ୟ ଆୟୁଦ୍ଧ ହୋଇଥିବା ବେଳେ ଏହାକୁ ବନ୍ଦ କଲେ ଲୋକ କାହିଁକି ଭରସା କରିବେ ତାକୁ ନେଇ ଉଠିଛି ପ୍ରଶ୍ନ।

ସେପଟେ ମୋକିମଙ୍କ ନୂଆ ଦଳ ଗଠନକୁ ହାଲାକାରେ ନେଇଛନ୍ତି ପ୍ରମୁଖ ରାଜନୈତିକ ଦଳ।ପିସିସି ସଭାପତି କଟାକ୍ଷ କରି କହିଛନ୍ତି, ଅତୃପ୍ତ ଆତ୍ମାର ପ୍ରତିକାର ନାହିଁ। ଯିଏ ଗୋଟିଏ ଦଳରେ ଶୃଙ୍ଖଳାରେ ରହିପାରିଲେ ନାହିଁ ସେ ନୂଆ ଦଳ କଣ ଗଠନ କରିବେ ବୋଲି ପ୍ରଶ୍ନ କରିଛନ୍ତି। ଏପଟେ ବିଜେପି କହିଛି, ମୋକିମଙ୍କୁ କଂଗ୍ରେସ ବାହାର କରିବା ପରେ ସେ ନୂଆ ଦଳ ଗଠନ କରିବାକୁ କହୁଛନ୍ତି । ତାଙ୍କ ସହ କଂଗ୍ରେସର କିଛି ବରିଷ୍ଠ ଓ ଯୁବ ନେତା ଥିବେ। ତେବେ ପୂର୍ବରୁ ଏହା ଫେଲ ମାରିଛି।

ଆଉ ବିଜେଡି କହିଛି, ନବୀନ ପଟ୍ଟନାୟକ କହିଛନ୍ତି ବିଜେଡି ୧୦୦ ବର୍ଷ ବଂଚିବ। ଦଳରେ ଏବେ ବି ଯେତିକି ନେତା ଅଛନ୍ତି ସମସ୍ତଙ୍କର ନବୀନଙ୍କ ନେତୃତ୍ବ ପ୍ରତି ସମ୍ମାନ ଅଛି। ତେଣୁ ନୂଆ ଦଳ ହେଲେ ବି କୌଣସି ପ୍ରଭାବ ପଡ଼ିବନି। ତେବେ ରାଜ୍ୟରେ ବିଜେଡିକୁ ଛାଡି ଅନ୍ୟ କୌଣସି ଆଂଚଳିକ ଦଳ ପ୍ରଭାବ ପକାଇ ପାରି ନାହାନ୍ତି। ନୂଆ ଦଳ ଗଠନ କେତେ ସଫଳ ହେଉଛି ତାହା ଆଗାମୀ ଦିନରେ ଜଣା ପଡ଼ିବ।