ନୂଆଦିଲ୍ଲୀ: ଆତ୍ମହତ୍ୟା ଯୋଗୁଁ ଯାଉଥିବା ଛାତ୍ରମାନଙ୍କ ଜୀବନ ବ୍ୟବସ୍ଥାର ବିଫଳାକୁ ଦର୍ଶାଉଛି । ଏହି ପ୍ରସଙ୍ଗକୁ ଅଣଦେଖା କରାଯାଇପାରିବ ନାହିଁ ବୋଲି କଠୋର ଭାବେ ସୁପ୍ରିମକୋର୍ଟ କହିଛନ୍ତି । ଶୁକ୍ରବାର ଜଷ୍ଟିସ୍ ବିକ୍ରମ ନାଥ ଓ ଜଷ୍ଟିସ ସନ୍ଦୀପ ମେହଟାଙ୍କ ଖଣ୍ଡପୀଠ କହିଛନ୍ତି ଯେ ରାଷ୍ଟ୍ରୀୟ ଅପରାଧ ରେକର୍ଡ ବ୍ୟୁରୋ ଦ୍ୱାରା ୨୦୨୨ରେ ପ୍ରକାଶିତ ରିପୋର୍ଟ ଅତ୍ୟନ୍ତ ଚିନ୍ତାଜନକ ଚିତ୍ରକୁ ଦର୍ଶାଉଛି । ଖଣ୍ଡପୀଠ କହିଛନ୍ତି ଯେ ଯୁବକ-ଯୁବତୀଙ୍କ ଲଗାତାର ଯାଉଥିବା ଜୀବନ ଏକ ବ୍ୟବସ୍ଥାଗତ ବିଫଳତାକୁ ଦର୍ଶାଉଛି । ଏପରି ମାମଲାର ସାଧାରଣତଃ ମନୋବୈଜ୍ଞାନିକ ଚାପ, ପାଠ ପଢାର ବୋଝ, ସାମାଜିକ କଳଙ୍କ ଓ ସଂସ୍ଥାଗତ ଅସମ୍ୱେଦନଶୀଳ କାରଣରୁ ଘଟୁଛି ।
ଏହା ପୂର୍ବରୁ ଶୀର୍ଷ ଅଦାଲତ ଶୁକ୍ରବାର ଶିକ୍ଷାନୁଷ୍ଠାନ ପାଇଁ ୧୫ ବାଧ୍ୟତାମୂଳକ ନିର୍ଦ୍ଦେଶନାମା ଜାରି କରିଥିଲେ । ଏହି ନିର୍ଦ୍ଦେଶନାମା ସେପର୍ଯ୍ୟନ୍ତ ବଳ ବତ୍ତର ରହିବ, ଯେପର୍ଯ୍ୟନ୍ତ ସରକାର ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟାକୁ ରୋକିବା ଦିଗରେ କୌଣସି ଆଇନ କିମ୍ୱା ନିୟାମକ ନକରନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ୯୦ ଦିନରେ ଏହା ଉପରେ ଅନୁପାଳନ ରିପୋର୍ଟ ଉପସ୍ଥାପନ କରିବାକୁ ପଡ଼ିବ । ଖଣ୍ଡପୀଠ ବିଶାଖପାଟନମରେ ଛାତ୍ରାବାସରୁ ପଡ଼ି ଜଣେ ୧୭ ବର୍ଷୀୟ ନିଟ୍ ଆଶାୟୀଙ୍କ ମୃତ୍ୟୁ ମାମଲାରେ ଶୁଣାଣି କରି ଏହି ନିର୍ଦ୍ଦେଶ ଜାରି କରିଥିଲେ । ସୁପ୍ରିମକୋର୍ଟ ଏହି ମାମଲାରେ ସିବିଆଇ ତଦନ୍ତ ପାଇଁ ଆଦେଶ ଦେଇଛନ୍ତି ।
୨୦୨୨ରେ ରିପୋର୍ଟ ହୋଇଥିବା ୧,୭୦,୯୨୪ ଆତ୍ମହତ୍ୟା ମାମଲା ମଧ୍ୟରୁ ୭.୬ ପ୍ରତିଶତ, ଅର୍ଥାତ୍ ପ୍ରାୟ ୧୩,୦୪୪ ଜଣ ଛାତ୍ର ଆତ୍ମହତ୍ୟା ଥିଲା । ଖଣ୍ଡପୀଠ ଗୁରୁତ୍ୱାରୋପ କରିଥିଲେ ଯେ ଏହି ମୃତ୍ୟୁ ମଧ୍ୟରୁ ୨,୨୪୮ ଜଣଙ୍କର ମୃତ୍ୟୁ ସିଧାସଳଖ ପରୀକ୍ଷାରେ ବିଫଳ ହେବା ଯୋଗୁଁ ହୋଇଥିଲା । NCRB ତଥ୍ୟ ଦର୍ଶାଉଛି ଯେ ଗତ ଦୁଇ ଦଶନ୍ଧି ମଧ୍ୟରେ, ଛାତ୍ରଙ୍କ ଆତ୍ମହତ୍ୟା ମାମଲା ୨୦୦୧ରେ ୫,୪୨୫ରୁ ବୃଦ୍ଧି ପାଇ ୨୦୨୨ରେ ୧୩,୦୪୪ରେ ପହଞ୍ଚିଥିଲା । ଖଣ୍ଡପୀଠ କହିଥିଲେ, "ସ୍କୁଲ, କୋଚିଂ ପ୍ରତିଷ୍ଠାନ, କଲେଜ ଏବଂ ତାଲିମ କେନ୍ଦ୍ର ସମେତ ଶିକ୍ଷାନୁଷ୍ଠାନଗୁଡ଼ିକରେ ଆତ୍ମହତ୍ୟାର ବର୍ଦ୍ଧିତ ମାମଲାକୁ ଦୃଷ୍ଟିରେ ରଖି, ଆମେ ସାରା ଦେଶରେ ଛାତ୍ରଛାତ୍ରୀମାନଙ୍କୁ ପ୍ରଭାବିତ କରୁଥିବା ମାନସିକ ସ୍ୱାସ୍ଥ୍ୟ ସଙ୍କଟର ଗମ୍ଭୀରତାକୁ ସ୍ୱୀକାର କରିବା ଏବଂ ସମାଧାନ କରିବାକୁ ବାଧ୍ୟ।"