ଶନିବାର ଆକାଶରେ ଗୁରୁ ଦର୍ଶନର ଅପୂର୍ବ ସୁଯୋଗ, ସୂର୍ଯ୍ୟ ସହ ଗୋଟିଏ ଶରଳ ରେଖାରେ ରହିବେ ପୃଥିବୀ ଓ ବୃହସ୍ପତି ଗ୍ରହ

NEWS7
construction-continues-near-pangong-so-lake-china-foreign-journalists-reveal-from-new-satellite-image

ଭୋପାଲ ୯।୧: ମହାକାଶ ପ୍ରତି ଋଚି ରଖୁଥିବା ଲୋକଙ୍କ ଲାଗି ଶନିବାର ଏକ ଖାସ ଦିନ ହେବାକୁ ଯାଉଛି। ସୌର ମଣ୍ଡଳର ସବୁଠୁ ବଡ଼ ଗ୍ରହ ବୃହସ୍ପତି (ଜୁପିଟର) ଆମ ଗ୍ରହ ପୃଥିବୀ ଓ ସୂର୍ଯ୍ୟ ଗୋଟିଏ ଶରଳ ରେଖାରେ ରହିବେ। ଏଣୁ ବୃହସ୍ପତି ସହ ଆମର ନିକଟତା କାରଣରୁ ଏହା ପୃଥିବୀରୁ ଅଧିକ ଉଜ୍ୱଳ ଓ ବଡ଼ ଦେଖାଯିବ। ଜାତୀୟ ସମ୍ମାନ ପ୍ରାପ୍ତ ବିଜ୍ଞାନ ପ୍ରସାରିକା ସାରିକା ଘାରୁ ଶୁକ୍ରବାର ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଶନିବାର ମଧ୍ୟାହ୍ନ ୨ଟା ବାଜି ୪ ମିନିଟ୍ ରେ ଜୁପିଟର, ପୃଥିବୀ ଓ ସୂର୍ଯ୍ୟ ଏକ ସିଧାରେ ରହିବେ।

ଏହି ସମୟରେ ପୃଥିବୀରୁ ବୃହସ୍ପତିଙ୍କ ଦୂରତା ୬୩କୋଟି ୩୦ଲକ୍ଷ ୭୬ ହଜାର କିଲୋମିଟର ରହିବ, ଯାହା ସବୁଠୁ କମ ଦୂରତା ବୋଲି କୁହାଯାଇଛି। ଦୂରତା କମ ରହୁଥିବାରୁ ଗୁରୁ ଦର୍ଶନର ଏହା ସବୁଠୁ ଭଲ ଅବସର ବୋଲି ବିଜ୍ଞାନ ପ୍ରସାରିକା କହିଛନ୍ତି। ସାରିକା କହିଛନ୍ତି ଯେ ଆପଣ ବିନା ଟେଲିସ୍କୋପରେ ଖାଲି ଆଖିରେ ମଧ୍ୟ ବୃହସ୍ପତିଙ୍କୁ ସାନ୍ଧ୍ୟ ଆକାଶରେ ପୂର୍ବ ଦିଗରେ ଦେଖି ପାରିବେ। ଏଥିରେ ଯଦି ଆପଣ ଟେଲିସ୍କୋପରେ ବୃହସ୍ପତିଙ୍କୁ ଦେଖନ୍ତି ତେବେ ଗ୍ରହର ପଟିକା ଓ ୪ଟି ଚନ୍ଦ୍ରଙ୍କୁ ମଧ୍ୟ ଦେଖି ପାରିବେ। ଏହି ଘଟଣା ସମୟରେ ବୃହସ୍ପତି ମାଇନସ ୨.୬୮ ମ୍ୟାଗ୍ନିଚ୍ୟୁଡରେ ଦେଦିପ୍ୟମାନ ଥିବେ। ସେ କହିଛନ୍ତି ଯେ ବୃହସ୍ପତି ଯାହାଙ୍କୁ ଗୁରୁ ଗ୍ରହ କୁହାଯାଏ ସେ ଏବେ ମିଥୁନ ତାରାମଣ୍ଡଳରେ ଅଛନ୍ତି। ଏହା ସନ୍ଧ୍ୟାରେ ଉଦୟ ହେବା ସାଙ୍ଗକୁ ସାରା ରାତି ଆକାଶରେ ରହି ମଧ୍ୟ ରାତ୍ର ବେଳକୁ ଠିକ୍ ମୁଣ୍ଡ ଉପରେ ଥିବେ ଓ ଭୋର ବେଳକୁ ପଶ୍ଚିମ ଦିଗରେ ଅସ୍ତ ଯିବେ।

ଏଣୁ ଖଗୋଳ ପ୍ରେମୀଙ୍କ ଲାଗି ଶନିବାର ଆକାଶରେ ଗୁରୁ ଗ୍ରହ ଦର୍ଶନ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ହେବ। ଏହି ସମୟରେ ପୃଥିବୀ ଓ ବୃହସ୍ପତି ପରସ୍ପରର ସାମ୍ନାସାମ୍ନି ଥିବେ। ଏଣୁ ଗୁରୁଦର୍ଶନର ଏହି ଅପୂର୍ବ ସୁଯୋଗ କେହି ହାତଛଡା କରିବେନି ବୋଲି କୁହାଯାଉଛି। ସୂଚନା ଦେଇ ସାରିକା କହିଛନ୍ତି ଯେ ବୃହସ୍ପତି ଆମ ଗ୍ରହ ପୃଥିବୀଠାରୁ ପାଖାପାଖି ୧୧ ଗୁଣା ଚୌଡା ଅଟନ୍ତି। ଏଥିରେ ଯଦି ଆମେ ଆମ ପୃଥିବୀକୁ ଅଙ୍ଗୁର ଆକାରରେ ଦେଖିବା ତେବେ ବୃହସ୍ପତିଙ୍କ ଆକାର ବାସ୍କେଟ ବଲ ଭଳି ଥିବ।

ସୂର୍ଯ୍ୟଙ୍କ ଠାରୁ ବୃହସ୍ପତିଙ୍କ ଦୂରତା ଏତେ ଅଧିକ ଯେ ସୂର୍ଯ୍ୟଙ୍କ ରସ୍ମୀ ଗ୍ରହ ପର୍ଯ୍ୟନ୍ତ ପହଞ୍ଚିବାକୁ ପାଖାପାଖି ୪୩ ମିନିଟ୍ ସମୟ ଲାଗେ। ବୃହସ୍ପତିର ଏ ପର୍ଯ୍ୟନ୍ତ ୯୫ ଟି ଚନ୍ଦ୍ରଙ୍କୁ ଖୋଜ ଯାଇ ସାରିଲାଣି।