ଦୁଷ୍ୟନ୍ତଙ୍କ ବୟାନ ପରେ କଂଗ୍ରେସ ଆକ୍ଟିଭ, ନାୟବ ସରକାରର ଫ୍ଲୋର ଟେଷ୍ଟ ପାଇଁ ରାଜ୍ୟପାଳଙ୍କୁ ମାଗିଲା ସମୟ

Published By : Prameya-News7 Bureau | May 09, 2024 IST

ନୂଆଦିଲ୍ଲୀ: ହରିୟାଣାରେ ଜାରି ଥିବା ରାଜନୈତିକ ଡ୍ରାମା ମଧ୍ୟରେ କଂଗ୍ରେସ ବିଧାୟକ ଦଳର ଉପନେତା ଆଫତାବ ଅହମଦ ରାଜ୍ୟପାଳ ବଣ୍ଡାରୁ ଦତ୍ତାରେୟଙ୍କୁ ଭେଟିବା ପାଇଁ ସମୟ ମାଗିଛନ୍ତି । ହରିୟାଣା କଂଗ୍ରେସ ନାୟବ ସିଂଙ୍କ ସରକାରଙ୍କୁ ହଟାଇବା ପାଇଁ ଉଦ୍ୟମ କରୁଥିବା ନଜର ଆସୁଛି । ଆଫତାବ ହରିୟାଣାରେ ବିଜେପି ସରକାରକୁ ଫ୍ଲୋର ଟେଷ୍ଟ ପାସ୍ କରିବା ଦାବିରେ ରାଜ୍ୟପାଳଙ୍କୁ ଭେଟିବେ । ତେବେ ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ହରିୟାଣା ରାଜଭବନ ପକ୍ଷରୁ କୌଣସି ଆନୁଷ୍ଠାନିକ ବୟାନ ସାମନାକୁ ଆସି ନାହିଁ । 

ଉଲ୍ଲେଖଯୋଗ୍ୟ ଯେ ତିନି ନିର୍ଦଳୀୟ ବିଧାୟକ ନାୟବ ସିଂ ସୈନିଙ୍କ ସରକାରଠାରୁ ସମର୍ଥନ ପ୍ରତ୍ୟାହାର କରିଥିଲେ । ଏବେ ଭାରତୀୟ ଜନତା ପାର୍ଟିର ପୂର୍ବତନ ସହଯୋଗୀ ଜେଜେପିର ନେତା ଦୁଷ୍ୟନ୍ତ ଚୌଟାଲା ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ସରକାର ଭାଙ୍ଗିବା ପାଇଁ ଆମେ ବାହାରୁ ସମର୍ଥନ କରିବୁ । କିନ୍ତୁ ଏପରି କରିବା ପାଇଁ କଂଗ୍ରେସ ଆଗରେ ରହିବା ଦରକାର ।

ଦୁଷ୍ୟନ୍ତ ଚୌଟାଲା କହିଛନ୍ତି ଯେ ବିଜେପି ସରକାର ଯଦି ସଂଖ୍ୟାବଳ ହରାଇଛି, ତେବେ ଆମେ ସରକାର ଭାଙ୍ଗିବାରେ ବାହାରକୁ ସମର୍ଥନ କରିବୁ । ଏବେ ଏହା କଂଗ୍ରେସକୁ ଚିନ୍ତା କରିବା ଅଛି ଯେ ସେମାନେ ବିଜେପି ସରକାର ଭାଙ୍ଗିବା ପାଇଁ କୌଣସି ପଦକ୍ଷେପ ନେବେ ନା ନାହିଁ । ଆମେ ବିରୋଧୀ ଭାବେ ସରକାରକୁ ହଟାଇବା ପକ୍ଷରେ ଅଛୁ । କିନ୍ତୁ ବିଜେପି ସରକାରକୁ ହଟାଇବା ପାଇଁ କଂଗ୍ରେସକୁ ଆଗକୁ ବଢିବାକୁ ହେବ । ଯେପର୍ଯ୍ୟନ୍ତ ହ୍ୱିପର ଅଧିକାର ଅଛି, ଆମର ସମସ୍ତ ବିଧାୟକଙ୍କୁ ପାର୍ଟିର ଆଦେଶ ଅନୁସାରେ ଭୋଟ ଦେବାକୁ ପଡ଼ିବ ।  

୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭାରେ ମ୍ୟାଜିକ୍ ନମ୍ୱର ୪୫ । ବିଜେପିର ୪୧ ବିଧାୟକ ଅଛନ୍ତି । ୬ ନିର୍ଦଳୀୟ ବିଧାୟକଙ୍କ ସମର୍ଥନ ଥିଲା । ଏଥିରୁ ରଣଧୀର ଗୋଲନ, ଧର୍ମପାଳ ଗୋନ୍ଦର ଏବଂ ସୋମବୀର ସାଙ୍ଗୱାନ ନିଜ ସମର୍ଥନ ପ୍ରତ୍ୟାହର କରିଥିଲେ । ଏହାପରେ ହରିୟାଣାର ସୈନି ସରକାର ପାଖରେ ବର୍ତ୍ତମାନ ସମୟରେ ୪୪ ବିଧାୟକ ଅଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.