ନୂଆଦିଲ୍ଲୀ ୧୭।୮: ନିର୍ବାଚନ ଆୟୋଗଙ୍କ ରବିବାର ସାମ୍ବାଦିକ ସମ୍ମିଳନୀକୁ ନେଇ କଂଗ୍ରେସ ପକ୍ଷରୁ ଏଆଇସିସି ମିଡିଆ ଡିପାର୍ଟମେଣ୍ଟ ଚେୟାରମ୍ୟାନ ପ୍ରଭାରୀ ପବନ ଖେଡ଼ା ଜବାବ ଦେଇଛନ୍ତି। ସେ ନିର୍ବାଚନ ଆୟୋଗଙ୍କ ଉପରେ ତମାମ ଅଭିଯୋଗ କରିବା ପରେ କହିଛନ୍ତି ଯେ ଜ୍ଞାନେଶ କୁମାର ଗୁପ୍ତା ଦେଶର ମୁଖ୍ୟ ନିର୍ବାଚନ କମିଶନ (ସିଇସି) ବୋଲି ଆଜି ସ୍ପଷ୍ଟ ହୋଇଯାଇଛି। ନଚେତ ଏ ପର୍ଯ୍ୟନ୍ତ ସମ୍ବିତ ପାତ୍ର ବା ଅନୁରାଗ ଠାକୁର ନିର୍ବାଚନ କମିଶନ ବୋଲି ଲାଗୁଥିଲେ।
ଖେଡା କହିଛନ୍ତି ଯେ ଜ୍ଞାନେଶ କୁମାର ଯଦିଓ ମୁହଁ ଖୋଲିଛନ୍ତି ତାଙ୍କ ସ୍କ୍ରିପ୍ଟ କିନ୍ତୁ ସେହି ବିଜେପିର। ଆମେ ମହାଦେବ ବିଧାନସଭାର ତମାମ ଅସୁବିଧା ଜଣାଇଲୁ, ହେଲେ ଆପଣ ତା ଉପରେ ପଦଟେ ବି କହିଲେନି। ଖେଡା କହିଛନ୍ତି ଯେ ଜ୍ଞାନେଶ କୁମାର ଗୁପ୍ତାଜୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ‘ଯଦି କୌଣସି ଜଣେ ବ୍ୟକ୍ତି ଅନେକ ସ୍ଥାନର ଭୋଟର ଲିଷ୍ଟରେ ଅଛନ୍ତି, ସେ ଥରଟିଏ ଭୋଟ ଦେବେ’। ଏଥିରେ ମୋର ସିଧା ପ୍ରଶ୍ନ ହେଉଛି ଗୁପ୍ତାଜୀ ତାଙ୍କର ଏହି ତର୍କ କୋର୍ଟଙ୍କୁ ଆଫିଡେଭିଟରେ ଲେଖିକରି ଦେବାକୁ ପ୍ରସ୍ତୁତ ତ?
ଯଦି ପ୍ରାଇଭେସୀର କଥା ରେକର୍ଡ କରୁଛ କାହିଁକି?
ପବନ ଖେଡ଼ା କହିଛନ୍ତି ଯେ ଆପଣଙ୍କୁ ସିସିଟିଭି ଫୁଟେଜର କଥା କୁହାଗଲା, ଆପଣ କହିଲେ ଏହା ଦ୍ୱାରା ପ୍ରାଇଭେସୀ ଭଙ୍ଗ ହେଉଛି। ଯଦି ପ୍ରାଇଭେସୀ ଭଙ୍ଗ ହେଉଛି ଏହାକୁ ରେକର୍ଡ କରୁଛନ୍ତି କାହିଁକି, ଯଦି ରେକର୍ଡ କରୁଛ ନିଜ ପାଖରେ ୪୫ ଦିନ ପର୍ଯ୍ୟନ୍ତ ରଖୁଛନ୍ତି କାହିଁକି?ଖେଡ଼ା କହିଛନ୍ତି ଯେ ସେ ରାହୁଲ ଗାନ୍ଧିଙ୍କ ଗୋଟିଏ ପ୍ରଶ୍ନ ବି ଉତ୍ତର ଦେଇ ନାହାନ୍ତି। ଆମେ ସବୁ ପ୍ରକାରର ପ୍ରମାଣ ରଖିଲୁ, ନ୍ୟାୟାଳୟ ମଧ୍ୟ ହସ୍ତକ୍ଷେପ କଲେ, ହେଲେ ସେଠାରେ ମଧ୍ୟ ଆପଣ କୁ ତର୍କ ଦେଲେ।
କ୍ଷମା ମାଗିବା ବଦଳେ କରୁଛନ୍ତି ସରକାରଙ୍କ ଏଜେଣ୍ଟଗିରି
ଖେଡା କହିଛନ୍ତି ଯେ ରାହୁଲ ଗାନ୍ଧି ଆପଣଙ୍କ ଦ୍ୱାରା ମୃତ ଘୋଷିତ ଭୋଟରଙ୍କ ସହ ବସି ଚା ପିଇଲେ, ଏଥି ପାଇଁ ଆପଣଙ୍କୁ ସାମ୍ବାଦିକ ସମ୍ମିଳନୀରେ କ୍ଷମା ମାଗିବା କଥା। କାରଣ ଯେଉଁମାନଙ୍କୁ ମୃତ କୁହାଯାଉଛି ସେମାନେ ମୃତ ନୁହନ୍ତି। ଏଥି ପାଇଁ ଆପଣ କ୍ଷମା ମାଗିବା ବଦଳେ ସରକାରଙ୍କ ଏଜେଣ୍ଟଙ୍କ ଭଳି କଥା କହୁଛନ୍ତି।
ଯହି ପକ୍ଷ-ବିପକ୍ଷ ସମାନ ଠାକୁରଙ୍କୁ ନୋଟିସ୍ ହୋଇନି କାହିଁକି?
ଖେଡା଼ କହିଛନ୍ତି ନିର୍ବାଚନ କମିଶନ କହିଛନ୍ତି ପକ୍ଷ ଓ ବିପକ୍ଷ ସମସ୍ତେ ଆମ ପାଖରେ ସମାନ। ଯଦି ତାଙ୍କ କଥା ଠିକ୍ ତେବେ ଏ ପର୍ଯ୍ୟନ୍ତ ଅନୁରାଗ ଠାକୁରଙ୍କୁ କାହିଁକି ନୋଟିସ୍ ଜାରି ହୋଇନି। ହେଲେ ରାହୁଲ ଗାନ୍ଧିଙ୍କୁ ସାମ୍ବାଦିକ ସମ୍ମିଳନୀ ମଝିରେ ଆପଣ ନୋଟିସ୍ ପଠେଇ ଦେଇଥିଲେ। ପବନ ଖେଡ଼ା କହିଛନ୍ତି ଯେ ଜ୍ଞାନେଶ କୁମାର ଗୁପ୍ତା ନିର୍ବାଚନ ଆୟୋଗ ପଦରେ ସରକାରଙ୍କ ଏଜେଣ୍ଟ ହୋଇ ବସିଛନ୍ତି। ରିଟାରମେଣ୍ଟ ପରେ ବି ତାଙ୍କୁ ସେହି ପଦରେ ସରକାରଙ୍କଠୁ ସମ୍ପ୍ରସାରଣ ମିଳୁ ବୋଲି ସେ ଚାହାନ୍ତି। ହେଲେ ଆପଣ ଭୁଲି ଯାଉଛନ୍ତି ଆପଣଙ୍କ ଲକ୍ଷଲକ୍ଷ ଅଧସ୍ତନ କର୍ମଚାରୀ ଅଛନ୍ତି, ସେମାନଙ୍କ ଭବିଷ୍ୟତକୁ ଆପଣ ବିପଦରେ ପକାଉଛନ୍ତି। ଯଦି କାଲି ଇନକ୍ୱାରୀ ହୁଏ ସମସ୍ତେ ଫଶିବେ।