ଗାଈକୁ ଚିକେନ୍ ମୋମୋ ଖୁଆଇ ଭିଡିଓ କରିଥିଲା ୟୁଟ୍ୟୁବର, ମାଡ଼ ମାରି ଥାନାରେ ଦେଲେ ଲୋକେ

NEWS7
congress-reaction-on-cji-impeachment-notice-rejection

ନୂଆଦିଲ୍ଲୀ: ଭିଡିଓ କରି ଭିଉ ଆଣିବା ଲାଗି ଆଜିର ଯୁବପିଢ଼ି ସବୁ ଚ୍ୟାଲେଞ୍ଜ ଗ୍ରହଣ କରିବାକୁ ପ୍ରସ୍ତୁତ । ଗୁରୁଗ୍ରାମର ଜଣେ ଯୁବ ୟୁଟ୍ୟୁବର ଭିଡିଓ ସୁଟ୍ କରିବାକୁ ଯାଇ ସବୁ ସୀମା ଲଙ୍ଘି ଯାଇଛନ୍ତି । ଗାଈକୁ ନନ୍-ଭେଜ ମୋମୋ ଖୁଆଇ ଭିଡିଓ ସୁଟ କରିଛନ୍ତି ଏବଂ ପରେ ଏହାକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି ୨୯ ବର୍ଷୀୟ ୟୁଟ୍ୟୁବର ରୀତିକ ଚନ୍ଦନା । ଏହି ଭିଡିଓକୁ ନେଇ ବିବାଦ ହୋଇଛି ଏବଂ ୟୁଟ୍ୟୁବରଙ୍କୁ ମାଡ଼ ମଧ୍ୟ ଖାଇବାକୁ ପଡ଼ିଛି ।

ଚମନ ଖଟାନା ନାମକ ଜଣେ ବ୍ୟକ୍ତି ସେକ୍ଟର-56 ପୋଲିସ ଷ୍ଟେସନରେ ଅଭିଯୋଗ କରିବା ପରେ ରୀତିକଙ୍କୁ ପୋଲିସ ଗିରଫ କରିଥିଲା । ଭାରତୀୟ ନ୍ୟାୟ ସଂହିତା ଧାରା ୨୯୯ ଏବଂ ୩୨୫ ଆଧାରରେ ତାଙ୍କ ନାଁରେ ମାମଲା ରୁଜୁ ହୋଇଛି ବୋଲି ପୋଲିସ କହିଛି । ଅଭିଯୋଗକାରୀ ଚମନ ଖଟାନା କହିଛନ୍ତି, ଭିଡିଓଟିକୁ ଡିଲିଟ କରିବା ପାଇଁ ରୀତିକଙ୍କୁ ଅନୁରୋଧ କରାଯାଇଥିଲା । କିନ୍ତୁ ସେ ଏଭଳି ନକରିବାରୁ ଥାନାର ଦ୍ବାରସ୍ଥ ହେବାକୁ ପଡ଼ିଲା ।

ସେପଟେ ତଦନ୍ତ ସମୟରେ ନିଜର ଭୁଲ ସ୍ବୀକାର କରିଛି ରୀତିକ । ସେ ନିଜେ ହିଁ ଏହି ଭିଡିଓ ସୁଟ୍ କରିଛି । ମୋମୋ ଖାଇବାକୁ ନେଇ ଏକ ଲାଇଭ ସେସନରେ ତାଙ୍କୁ କେହି ୟୁଜର ଗାଈକୁ ମୋମୋ ଖୁଆଇବାକୁ କହିଥିଲେ । ଏହା ପରେ ରୀତିକ ଗାଈକୁ ଚିକେନ ମୋମୋ ଖୁଆଇ ଭିଡିଓ କରିଥିଲେ ଏବଂ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ପଡ଼ୋଶୀ ତାଙ୍କୁ ଏହି ଭିଡିଓ ଡିଲିଟ୍ କରିବାକୁ କହିଥିଲେ କିନ୍ତୁ ସେ ଏହାକୁ ମାନିନଥିଲେ । ଏହା ପରେ ମାମଲା ବଢ଼ିଥିଲା ।

ପୋଲିସ ତାଙ୍କୁ ପଚରା ଉଚରା କରିଥିଲା । ଏହା ପରେ ରୀତିକଙ୍କୁ ବେଲ୍ ମିଳିଯାଇଥିଲା । ସେପଟେ ଏହି ଭିଡିଓ କରିବାକୁ ଜଣେ ୟୁଜର ତାଙ୍କୁ ୩୦୦୦ ଟଙ୍କା ଦେଇଥିଲେ ବୋଲି ପୋଲିସକୁ କହିଛନ୍ତି ରୀତିକ । ଏଥିରେ କେତେ ସତ୍ୟତା ରହିଛି, ସେନେଇ ପୋଲିସ ତଦନ୍ତ କରୁଛି ।