LIVE TV
LIVE TV

ଭୁବନେଶ୍ୱରରେ ଜାଭେଦ ଅଖତର, ସୋଆ ସାହିତ୍ୟ ସମ୍ମାନ ୨୦୨୫ରେ ହେବେ ସମ୍ମାନିତ

NEWS7
congress-president-rahul-gandhi-reached-bhubaneswar

ଭୁବନେଶ୍ୱର: ଶବ୍ଦର ଯାଦୁକର, ପ୍ରଖ୍ୟାତ କବି, ସଂଳାପ ଲେଖକ, ଗୀତିକାର ଓ ସମାଜ ଚିନ୍ତକ, ପଦ୍ମ ଭୂଷଣ ଜାଭେଦ ଅଖତରଙ୍କୁ ତାଙ୍କର ଉଲ୍ଲେଖନୀୟ ଓ ଜୀବନବ୍ୟାପୀ ଅବଦାନ ନିମନ୍ତେ ସୋଆ ସାହିତ୍ୟ ସମ୍ମାନ ୨୦୨୫ରେ ସମ୍ବର୍ଦ୍ଧିତ କରାଯିବ । ଏହି ସମ୍ମାନ ଗ୍ରହଣ କରିବା ପାଇଁ ଶୁକ୍ରବାର ସନ୍ଧ୍ୟାରେ ଭୁବନେଶ୍ୱର ପହଞ୍ଚିଛନ୍ତି ଜାଭେଦ ଅଖତର । ଭୁବନେଶ୍ୱର ବିମାନ ବନ୍ଦରରେ ସୋଆ ପକ୍ଷରୁ ତାଙ୍କୁ ଭୁବନେଶ୍ୱର ବିମାନ ବନ୍ଦର ରେ ସ୍ଵାଗତ କରାଯାଇଛି ।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିସରରେ ଆସନ୍ତା ୨୯ ତାରିଖରେ ଆୟୋଜିତ ହେବାକୁ ଥିବା ୨ ଦିନିଆ ତୃତୀୟ ସୋଆ ସାହିତ୍ୟ ଉତ୍ସବର ଉଦଘାଟନୀ କାର୍ଯ୍ୟକ୍ରମରେ ଏହି ପ୍ରଖ୍ୟାତ ସାହିତ୍ୟ ସାଧକଙ୍କୁ ସମ୍ମାନିତ କରାଯିବ । ସୋଆ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରତିଷ୍ଠିତ ସୋଆ ସାହିତ୍ୟ ସମ୍ମାନ ଦେଶରେ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ପ୍ରଦାନ କରାଯିବ । ବିଶିଷ୍ଟ ଲେଖକ, କବି ଓ ଚିନ୍ତକ ଯେଉଁମାନଙ୍କର ଏହି କ୍ଷେତ୍ରରେ ଉତ୍କର୍ଷତା, ସୃଜନଶୀଳତା ଓ ବୌଦ୍ଧିକ ଗଭୀରତା ରହିଛି ସେମାନଙ୍କୁ ସମ୍ମାନିତ କରିବା ହିଁ ସୋଆ ସାହିତ୍ୟ ସମ୍ମାନର ବିନମ୍ର ଉଦ୍ଦେଶ୍ୟ ।

ଜାଭେଦ ଅଖତରଙ୍କୁ ସୋଆ ସାହିତ୍ୟ ସମ୍ମାନ ପ୍ରଦାନ ଅବସରରେ ୭ ଲକ୍ଷ ଟଙ୍କାର ପୁରସ୍କାର ରାଶି ସହିତ ମାନପତ୍ର, ଦେବୀ ସରସ୍ୱତୀଙ୍କ ରୌପ୍ୟ ମୂର୍ତ୍ତି ଓ ଉତରୀୟ ପ୍ରଦାନ କରାଯିବ । ଭାରତୀୟ ସମ୍ବିଧାନ ଅନୁମୋଦିତ ଯେକୌଣସି ଭାରତୀୟ ଭାଷାର ସାହିତ୍ୟିକଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥାଏ ।

ସୋଆ ପରିଚାଳିତ ସେଣ୍ଟର ଫର ପ୍ରିଜରଭେସନ୍, ପ୍ରୋପାଗେସନ୍ ଆଣ୍ଡ ରେଷ୍ଟୋରେସନ୍ ଅଫ୍ ଏନ୍ସିଏଂଟ କଲ୍ଚର ଆଣ୍ଡ ହେରିଟେଜ ଅଫ୍ ଇଣ୍ଡିଆ (ପ୍ରାଚୀନ) ପକ୍ଷରୁ ଆସନ୍ତା ନଭେମ୍ବର ୨୯ ଓ ୩୦ ଦୁଇ ଦିନ ଧରି ଏହି ସାହିତ୍ୟ ଉତ୍ସବ ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି । ଚଳିତ ବର୍ଷର ପ୍ରସଙ୍ଗ ହେଉଛି ‘କଲ୍ଚର, କ୍ରିଏଟିଭିଟି ଆଣ୍ଡ ଆର୍ଟିଫିସିଆଲ୍ ଇନ୍ଟେଲିଜେନ୍ସ’ ଅର୍ଥାତ ସଂସ୍କୃତି, ସୃର୍ଜନଶୀଳତା ଓ କୃତ୍ରିମ ବୁଦ୍ଧିମତା ।

ଚଳିତ ବର୍ଷର ସାହିତ୍ୟ ଉତ୍ସବରେ ଦେଶର କୋଣ ଅନୁକୋଣରୁ ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ବିଶିଷ୍ଟ ଲେଖକ, କବି, ଚିତ୍ରକାର, ଔପନ୍ୟାସିକ, ଅନୁବାଦକ, ପ୍ରକାଶକ, ଚିନ୍ତକ, ନାଟକ ଏବଂ ଗଣମାଧ୍ୟମ ଜଗତର ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ଦୁଇ ଦିନିଆ ଏହି ଉତ୍ସବରେ ୩୦ଟି ବିଭିନ୍ନ ଅଧିବେଶନ ରଖାଯାଇଛି ।