ଭୁବନେଶ୍ୱର: ବାଲେଶ୍ୱର ଏଫଏମ କଲେଜର ଛାତ୍ରୀ ସୌମ୍ୟାଶ୍ରୀ ବିଶି ଆଖି ବୁଜିଛନ୍ତି। ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ପୀଡ଼ିତାଙ୍କ ମୃତ୍ୟୁ ନେଇ ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି । ଗତ ଶନିବାର ଏଫଏମ କଲେଜରେ ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ ପୀଡିତା। ଏହି ଘଟଣାକୁ ନେଇ ତେଜିଛି ରାଜନୀତି।
୧୭ରେ ଓଡ଼ିଶା ବନ୍ଦ ଡାକରା ଦେଇଛନ୍ତି ରାଜନୈତିକ ଦଳ। ବାଲେଶ୍ୱର ଘଟଣାକୁ ବିରୋଧ କରି କଂଗ୍ରେସ ଏହି ଡାକରା ଦେଇଛି। କଂଗ୍ରେସ, ବାମଦଳ ସମେତ ୭ ରାଜନୈତିକ ଦଳ ବନ୍ଦ ଡାକରାରେ ସାମିଲ ହେବେ। ଘଟଣାରେ ନ୍ୟାୟିକ ତଦନ୍ତ ଦାବି କରି ଏହି ଡାକରା ଦିଆଯାଇଛି। ଏହି ସମୟରେ ସ୍କୁଲ, କଲେଜ ଓ ଦୋକାନ ବଜାର ବନ୍ଦ ରହିବ। ବସ ଚଳାଚଳ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ସମସ୍ତେ ଏହି ବନ୍ଦରେ ସାମିଲ ହେବା ପାଇଁ ଅପିଲ କରିଛନ୍ତି ମିଳିତ ଦଳ।
ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ଶୋକ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯିଏ ଦୋଷୀ ତାଙ୍କୁ ଦଣ୍ଡ ମିଳିବ । ମୁଁ ପୀଡିତାଙ୍କ ପରିବାରକୁ ସମବେଦନା ଜଣାଉଛି । ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି। ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ପୀଡ଼ିତା ଛାତ୍ରୀଙ୍କ ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ମର୍ମାହତ। ସରକାରଙ୍କ ସମସ୍ତ ଦାୟିତ୍ୱ ନିର୍ବାହ ତଥା ବିଶେଷଜ୍ଞ ଡାକ୍ତରୀ ଦଳଙ୍କ ଅକ୍ଲାନ୍ତ ପରିଶ୍ରମ ସତ୍ତ୍ୱେ ତାଙ୍କ ଜୀବନ ରକ୍ଷା ହୋଇପାରିଲା ନାହିଁ । ତାଙ୍କର ଅମର ଆତ୍ମାର ସଦଗତି କାମନା କରିବା ସହ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି।
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଶୋକବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ଆଶା କରିଥିଲୁ ଝିଅ ବଞ୍ଚିଯିବ ବୋଲି, କିନ୍ତୁ ସମ୍ଭବ ହେଲାନି। ୬୦ ଘଣ୍ଟାର ସଂଘର୍ଷ ପରେ ଜୀବନ ଯୁଦ୍ଧରେ ହାରିଗଲେ। ଏହି ମାମଲାରେ ଯେଉଁମାନେ ବି ସଂପୃକ୍ତ ଅଛନ୍ତି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେବ। ଦୋଷୀକୁ କଠୋର ଦଣ୍ଡ ମିଳିବ।