'ଦୁଇ ତିନୋଟି ପ୍ଲେଇଂ ଇଲେଭେନ୍ ଗଠନ ହୋଇପାରିବ' : ଟି୨୦ ପ୍ଲେୟାରଙ୍କୁ ନେଇ ଏମିତି କହିଲେ ସୂର୍ଯ୍ୟ

NEWS7
congratulations-to-team-india-after-the-victory-of-icc-champions-trophy-2025

ନୂଆଦିଲ୍ଲୀ, ୧୬ /୦୩: ଭାରତରେ ଖେଳାଳିଙ୍କ ଅଭାବ ନାହିଁ । ଏଠାରେ ଅନେକ ସୁଯୋଗ ରହିଛି । ଖେଳାଳିଙ୍କ ପାଖରେ ଦକ୍ଷତା ରହିଥିବା କହିଛନ୍ତି ସୂର୍ଯ୍ୟ କୁମାର ଯାଦବ । ଟି୨୦ କ୍ରିକେଟ ଖେଳିବାକୁ ଭାରତରେ ଅନେକ ଖେଳାଳି ଥିବା ସୂର୍ଯ୍ୟ କହିଛନ୍ତି ।

ଏକ ପୋଡ୍ କାଷ୍ଟରେ ସୂର୍ଯ୍ୟ କହିଛନ୍ତି ଯେ, ଗତ କିଛି ବର୍ଷ ହେଲା ଟି୨୦ଖେଳିପାରୁଥିବା ଖେଳାଳିଙ୍କ ସଂଖ୍ୟା ବଢିଛି । ଫଳରେ ଏକାଧିକ ଭଲ ଟିମ୍ ତିଆରି କରାଯାଇପାରିବ । ଆଇପିଏଲ ଏବଂ ଘରୋଇ କ୍ରିକେଟ୍ ଖେଳୁଥିବା ଖେଳାଳି ଭଲ ଖେଳୁଛନ୍ତି । ଏହି ଦୁଇ ଫର୍ମାଟରୁ ସେମାନଙ୍କ ଦକ୍ଷତାର ବିକାଶ ହୋଇପାରୁଛି ।

ସେ ଆହୁରି କହିଛନ୍ତି ଯେ, ବର୍ତ୍ତମାନ ଯେଉଁ ଖେଳାଳି ଆସୁଛନ୍ତି ସେମାନଙ୍କୁ ନେଇ ଶକ୍ତିଶାଳୀ ଟି୨୦ଟିମ୍ ଗଠନ କରାଯାଇପାରିବ । ଏବେ ଯେଉଁ ଖେଳାଳି ଖେଳୁଛନ୍ତି ସେମାନଙ୍କ ପାଇଁ ଟିମ୍ ମଜବୁତ ହେଉଛି । ନିୟମିତ ଭାବେ ଅନେକ ଦକ୍ଷତା ଥିବା କ୍ରିକେଟର ମିଳୁଛନ୍ତି । କାହା ପାଖରେ ଟ୍ୟାଲେଣ୍ଟର ଅଭାବ ନାହିଁ । ବର୍ଷକୁ ଅନେକ ଭଲ ଖେଳାଳି ଆସୁଛନ୍ତି । ଦକ୍ଷତାର କୌଣସି ସୀମା ନାହିଁ । ଏକାସଙ୍ଗରେ ଦୁଇରୁ ତିନୋଟି ଶକ୍ତିଶାଳୀ ଭାରତୀୟ ଚିମ୍ ତିଆରି କରାଯାଇପାରିବ । ଏହା ସତ । ଏହା କହିବାରେ ସେ କେବେହେଲେ କୁଣ୍ଠାବୋଧ କରିବେ ନାହିଁ ।

ଭାରତୀୟ ଦଳର ଟି୨୦ କ୍ୟାପ୍ଟେନ୍ ଆହୁରି କହିଛନ୍ତି ଯେ, ସେ ମ୍ୟାଚରେ ବେଶି ଗଣିତ ଉପରେ ଫୋକସ କରନ୍ତି ନାହିଁ । କିନ୍ତୁ ତାଙ୍କୁ ହାରିବା ପସନ୍ଦ ନୁହେଁ । ଡ୍ରେସିଂ ରୁମରେ ସମସ୍ତେ ଗୋଟିଏ ଦିଗକୁ ଅଗ୍ରସର ହେଲେ ସଫଳତା ମିଳିଥାଏ । ଭାରତର ଟି୨୦ ଫର୍ମାଟରେ ବିଜୟ ହାର ୮୦ପ୍ରତିଶତ ରହିଛି । ଏହା ଟିମ୍ ଓ୍ୱାର୍କ ପାଇଁ ସମ୍ଭବପର ହୋଇପାରିଛି । ସେ ନିଜେ ୭୦ରୁ୭୫ ପ୍ରତିଶତ ଆକ୍ରମଣାତ୍ମକ ଆଭିମୁଖ୍ୟରେ ବ୍ୟାଟିଂ କରନ୍ତି । ଗ୍ରାଉଣ୍ଡରେ ଥରେ ପ୍ରବେଶ କରିବା ପରେ ଅଟୋ ପାଇଲଟ୍ ମୋଡ୍ ଅନ୍ ହୋଇଯାଏ । ପରିସ୍ଥିତିକୁ ମାପି ବ୍ୟାଟିଂ କରିବାକୁ ହୁଏ । ଏହାସହ କୋଚ୍ ଗୌତମ ଗମ୍ଭୀରଙ୍କ ସହ ତାଙ୍କର ଭଲ ସମ୍ପର୍କ ଥିବା ସୂର୍ଯ୍ୟ କହିଛନ୍ତି । ଗମ୍ଭୀର ଏବଂ ତାଙ୍କର ଚିନ୍ତା କରିବା ଶକ୍ତି ପାଖାପାଖି ସମାନ ବୋଲି ସ୍କାଏ ପ୍ରକାଶ କରିଛନ୍ତି ।