ନୂଆଦିଲ୍ଲୀ: ମହାରାଷ୍ଟ୍ର ନିର୍ବାଚନକୁ ନେଇ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଅଭିଯୋଗ ପରେ ନିର୍ବାଚନ ଆୟୋଗ କଡ଼ା ପ୍ରତିକ୍ରିୟା ଦେଇଛନ୍ତି । ନିର୍ବାଚନ ଆୟୋଗ କଂଗ୍ରେସ ସାଂସଦଙ୍କ ଦାବିକୁ ଭିତ୍ତିହୀନ କହିବା ସହ ଏହା ଆଇନ ଶାସନର ଅପମାନ ବୋଲି କହିଛନ୍ତି । ସେ କହିଛନ୍ତି, ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଓ ମତଦାତା ସୂଚୀକୁ ନେଇ କରାଯାଇଥିବା ଅଭିଯୋଗ ଆଇନ ଶାସନର ଅପମାନ । ନିର୍ବାଚନ ଆୟୋଗ ୨୦୨୪ ଡିସେମ୍ୱର ୨୪ରେ ହିଁ କଂଗ୍ରେସକୁ ଦେଇଥିବା ନିଜ ଜବାବରେ ସମସ୍ତ ତଥ୍ୟ ଦେଇଥିଲେ । ନିର୍ବାଚନ ଆୟୋଗଙ୍କ ୱେବସାଇଟରେ ମଧ୍ୟ ତାହା ଉପଲବ୍ଧ ଅଛି । ଲାଗୁଛି ବାରମ୍ୱାର ଏପରି ପ୍ରସଙ୍ଗ ଉଠାଇ ଏହି ସବୁ ତଥ୍ୟକୁ ସଂପୂର୍ଣ୍ଣ ରୂପେ ଅଣଦେଖା କରାଯାଉଛି ।
ନିର୍ବାଚନ ଆୟୋଗ କହିଛନ୍ତି ଯେ କାହା ଦ୍ୱାରା ପ୍ରଚାର କରାଯାଉଥିବା କୌଣସି ବି ଭୁଲ ସୂଚନା କେବଳ ଆଇନ ପ୍ରତି ଅନାଦରର ସଂକେତ ନୁହେଁ, ବରଂ ନିଜ ରାଜନୈତିକ ଦଳ ଦ୍ୱାରା ନିଯୁକ୍ତ ହଜାର ହଜାର ପ୍ରତିନିଧିଙ୍କ ଛବିକୁ ମଧ୍ୟ ମଳିନ କରୁଛି । ଏହା ନିର୍ବାଚନ ବେଳେ ପରାଦର୍ଶିତା ସହ କାମ କରୁଥିବା ଲକ୍ଷାଧିକ ନିର୍ବାଚନ କର୍ମଚାରୀଙ୍କ ମନୋବଳକୁ ଭାଙ୍ଗୁଛି । ମତଦାତାଙ୍କ ଦ୍ୱାରା ପ୍ରତ୍ୟାଖାନ ହେବା ପରେ ନିର୍ବାଚନ ଆୟୋଗଙ୍କୁ ବଦନାମ କରିବା ଉଦ୍ୟମ ସଂପୂର୍ଣ୍ଣ ରୂପେ ଅଗ୍ରହଣୀୟ ।
ନିର୍ବାଚନ ଆୟୋଗ କଡ଼ା ଅଭିମୁଖ୍ୟ ସହ କହିଛନ୍ତି ଯେ ଭାରତର ସବୁ ନିର୍ବାଚନ ଆଇନ ଅନୁସାରେ ହୋଇଥାଏ । ଭାରତରେ ଯେଉଁ ମାନଦଣ୍ଡ ଓ ପରାଦର୍ଶିତା ସହ ନିର୍ବାଚନ କରାଯାଉଛି, ତାକୁ ସାରା ଦୁନିଆରେ ପ୍ରଶଂସା କରାଯାଉଛି । ସାରା ଦେଶ ଜାଣିଛି ଯେ ମତଦାନ ସୂଚୀ ପ୍ରସ୍ତୁତ କରିବା, ମତଦାନ ଓ ଭୋଟ ଗଣତି ସହ ପ୍ରତ୍ୟେକ ନିର୍ବାଚନ ପ୍ରକ୍ରିୟା ସରକାରୀ କର୍ମଚାରୀଙ୍କ ଦ୍ୱାରା କରାଇଥାଏ । ମତଦାନ କେନ୍ଦ୍ରରୁ ଆରମ୍ଭ କରି ନିର୍ବାଚନ କ୍ଷେତ୍ର ଯାଏ ରାଜନୈତିକ ଦଳ କିମ୍ୱା ପ୍ରାର୍ଥୀଙ୍କ ପକ୍ଷରୁ ଅନଔପଚାରିକ ରୂପେ ନିଯୁକ୍ତ ଅଧିକୃତ ପ୍ରତିନିଧି ଉପସ୍ଥିତ ରହିଥାନ୍ତି । ଭୁଲ ସୂଚନା ପ୍ରଚାର ନିର୍ବାଚନ କର୍ମଚାରୀଙ୍କୁ ହତୋତ୍ସାହିତ କରୁଛି । ମତଦାତାଙ୍କଠାରୁ ଇଚ୍ଛା ଅନୁସାରେ ଫଳ ନିଳିବା ପରେ ନିର୍ବାଚନ ଆୟୋଗଙ୍କୁ ଆକ୍ଷେପ କରିବା ଠିକ୍ ନୁହେଁ ।
କ'ଣ କହିଥିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ
ରାହୁଲ ଗାନ୍ଧୀ ଏକ୍ସ ପୋଷ୍ଟରେ ଲେଖିଥିଲେ ଯେ ନିର୍ବାଚନ କିପରି ଚୋରି କରାଯାଏ ? ୨୦୨୪ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଗଣତନ୍ତ୍ରରେ ଜାଲିଆତି କରିବାର ବ୍ଲୁ ପ୍ରିଣ୍ଟ ଥିଲା । ରାହୁଲ ଲେଖିଥିଲେ, ପ୍ରଥମ ପର୍ଯ୍ୟାୟ-ନିର୍ବାଚନ ଆୟୋଗରେ ନିଯୁକ୍ତି ପାଇଁ ପ୍ୟାନେଲରେ ଜାଲିଆତି, ଦ୍ୱିତୀୟ ପର୍ଯ୍ୟାୟ-ଫେକ୍ ଭୋଟଙ୍କୁ ମତଦାନ ସୂଚୀରେ ସାମିଲ କରିବା, ତୃତୀୟ ପର୍ଯ୍ୟାୟ-ମତଦାନ ପ୍ରତିଶତକୁ ବଢାଇବା, ଚତୁର୍ଥ ପର୍ଯ୍ୟାୟ-ଫେକ୍ ମତଦାତାଙ୍କୁ ଠିକ୍ ସେଠାରେ ସ୍ଥାନିତ କରିବା, ଯେଉଁଠି ବିଜେପିକୁ ବିଜୟୀ କରାଯିବ ଓ ପଞ୍ଚମରେ ପ୍ରମାଣ ଲୁଚାଇବା ।
ରାହୁଲ ଆହୁରି କହିଥିଲେ ଯେ ମହାରାଷ୍ଟ୍ରରେ ବିଜେପି ଏତେ ହତାଶ କାହିଁକି ଥିଲା, ତାହା ଦେଖିବା ମୁସ୍କିଲ ନାହିଁ । କିନ୍ତୁ ଏହା ଜାଲିଆତି ମ୍ୟାଚ୍ ଫିକ୍ସିଂ ପରି ଅଟେ- ଯେଉଁ ପକ୍ଷ ଧୋକା ଦେଇଥାଏ, ସେ ଖେଳ ଜିତିପାରେ । କିନ୍ତୁ ସଂସ୍ଥାକୁ କ୍ଷତି ପହଞ୍ଚିଥାଏ । ଏହାସହ ପରିଣାମ ଲୋକଙ୍କ ବିଶ୍ୱାସକୁ ନଷ୍ଟ କରିଥାଏ । ସବୁ ଭାରତୀୟ ପ୍ରମାଣ ଦେଖିବା ଦରକାର । ନିଜେ ନିଷ୍ପତ୍ତି କରନ୍ତୁ । ଜବାବ ମାଗନ୍ତୁ । କାରଣ ମହାରାଷ୍ଟ୍ରର ମ୍ୟାଚ୍ ଫିକ୍ସିଂ ଆଗକୁ ବିହାରରେ ହେବ ଓ ପରେ ସେଠାରେ ଯେଉଁଠି ବିଜେପି ପରାଜିତ ହୋଇଥିବ ।