ବେଙ୍ଗାଲୁରୁ ଦଳଚକଟା ଘଟଣାରେ ବିରାଟ କୋହଲିଙ୍କ ବିରୁଦ୍ଧରେ ମାମଲା ରୁଜୁ

Published By : Prameya-News7 Bureau | June 06, 2025 IST

indiatoday

ବେଙ୍ଗାଲୁରୁ: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁ ପ୍ରଥମ ଆଇପିଏଲ ବିଜୟ ଉତ୍ସବ ସମୟରେ ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ହୋଇଥିବା ଦଳାଚକଟା ଘଟଣାରେ ବିରାଟ କୋହଲିଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି।  ଶୁକ୍ରବାର ଜଣେ ସମାଜସେବୀ କୋହଲିଙ୍କ ବିରୋଧରେ ବେଙ୍ଗାଲୁରୁର କ୍ୟୁବନ ପାର୍କ ପୁଲିସ ଷ୍ଟେସନ୍‌ରେ ଅଭିଯୋଗ ଦାଖଲ କରିଛନ୍ତି।

ବିରାଟଙ୍କ ବିରୁଦ୍ଧରେ ଅଭିଯୋଗ କରିଥିବା ବ୍ୟକ୍ତି ହେଲେ ଏଚଏମ୍ ଭେଙ୍କେଟେସ୍।ଏବଂ ତାଙ୍କ ଘର ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ ନିକଟ କର୍ଣ୍ଣାଟକର ଶିବମୋଗା ଜିଲ୍ଲାରେ। ବ୍ୟକ୍ତିଙ୍କ ଅଭିଯୋଗ ପରେ କ୍ୟୁବନ୍ ପାର୍କ ପୋଲିସ କହିଛି ଯେ ଅଭିଯୋଗକୁ ପୂର୍ବରୁ ପଞ୍ଜିକୃତ ମାମଲା ଅଧୀନରେ ବିଚାର କରାଯିବ ଏବଂ ତଦନ୍ତ ସମୟରେ ଏହାକୁ ଯାଞ୍ଚ କରାଯିବ।

ବୁଧବାର ୧୮ ବର୍ଷ ପରେ ଆରିସିବି ପ୍ରଥମ ଥର ପାଇଁ ଆଇପିଏଲ୍‌ ଟ୍ରଫି ଜିତିବା ପରେ କର୍ଣ୍ଣାଟକ ରାଜ୍ୟ କ୍ରିକେଟ୍ ସଂଘ (KSCA) ଦ୍ୱାରା RCB ଖେଳାଳିମାନଙ୍କୁ ସମ୍ମାନିତ କରିବା ପାଇଁ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ସମାରୋହ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଅବସରରେ କ୍ରିକେଟ୍ ଷ୍ଟାଡିୟମ ନିକଟରେ ଦଳାଚକଟା ଘଟି ୧୧ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୫୦ ରୁ ଅଧିକ ଆହତ ହୋଇଥିଲେ।

କର୍ଣ୍ଣାଟକ ସରକାରଙ୍କୁ ଦିଆଯାଇଥିବା ପ୍ରାଥମିକ ସୂଚନା ଅନୁଯାୟୀ, ଷ୍ଟାଡିୟମ ପରିସର ନିକଟରେ ଏକ ଡ୍ରେନ୍ ଉପରେ ପକାଯାଇଥିବା ଏକ ଅସ୍ଥାୟୀ ସ୍ଲାବ୍ ଉପରେ ବହୁ ସଂଖ୍ୟାରେ ଲୋକ ଠିଆ ହୋଇଥିଲେ। ଭାର ସହି ନପାରି ସ୍ଲାବ୍‌ଟି ଭୁଶୁଡ଼ି ପଡ଼ିବାରୁ  ଲୋକେ ନାଳକୁ ଖସି ପଡ଼ିଥିଲେ। ଏହାପରେ ଲୋକମାନେ ଭୟରେ ଧାଁଦୌଡ଼ କରିବାରୁ ଦଳାଚକଟା ସ୍ଥିତ ସୃଷ୍ଟି ହୋଇଥିଲା। ଯାହା ଫଳରେ ଅନେକ ଲୋକ ମୃତ୍ୟୁ ହେବା ସହ ଏକାଧିକ ଆହତ ହୋଇଥିଲେ। ମୃତକଙ୍କ ମଧ୍ୟରେ ୧୩ ରୁ ୩୫ ବର୍ଷ ବୟସର ଯୁବକ ଏବଂ ଯୁବତୀ ରହିଥିଲେ।

ଦଳାଚକଟା ଘଟଣାରେ କର୍ଣ୍ଣାଟକ ସରକାର କାର୍ଯ୍ୟାନୁଷ୍ଠାନ ସ୍ୱରୂପ ବେଙ୍ଗାଲୁରୁ ସହର କମିଶନର ବି ଦୟାନନ୍ଦଙ୍କ ସମେତ ଉଚ୍ଚ ପୋଲିସ ଅଧିକାରୀଙ୍କୁ ନିଲମ୍ବିତ କରିଥିଲେ। ଘଟଣାରେ ବେଙ୍ଗାଲୁରୁ ପୋଲିସ RCB ଦଳ, KSCA, DNA ନେଟୱାର୍କସ ଏବଂ ଅନ୍ୟମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି। ଶୁକ୍ରବାର(୬ ଜୁନ) ସକାଳେ, ଦଳାଚକଟା ଘଟଣାରେ ପୋଲିସ ଆରିସିବି ମାର୍କେଟିଂ ମୁଖ୍ୟ ନିଖିଲ ସୋସାଲେଙ୍କୁ ଗିରଫ କରିଛି। ଏବଂ ବିଜୟ ଉତ୍ସବର ଆୟୋଜକ ଡିଏନ୍ଏ ନେଟୱାର୍କସର ୩ ଜଣ କର୍ମଚାରୀଙ୍କୁ ଅଟକ ରଖାଯାଇଛି।

ଡିଆଜିଓ ଇଣ୍ଡିଆରେ ଆରସିବିର ମାର୍କେଟିଂ ଏବଂ ରାଜସ୍ୱ ମୁଖ୍ୟ ସୋସାଲେଙ୍କୁ ବେଙ୍ଗାଲୁରୁ ବିମାନବନ୍ଦରରେ ଅଟକ ରଖାଯାଇଥିଲା, ସେ ମୁମ୍ବାଇ ଯାଉଥିବା ସମୟରେ ତାଙ୍କୁ ଗିରଫ କରାଯାଇଥିଲା। ହେଲେ ସେ ତାଙ୍କ ଗିରଫଦାରୀକୁ ବେଆଇନ ବୋଲି କହି କର୍ଣ୍ଣାଟକ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.