ବଢ଼ିଲା ଅନିଲ ଅମ୍ବାନୀଙ୍କ ଅଡ଼ୁଆ, ପତ୍ନୀଙ୍କୁ ଇଡିର ସମନ

NEWS7
complain-over-water-problems-will-be-resolved-within-7-days-said-by-minister-rabinarayan-naik

ନୂଆଦିଲ୍ଲୀ: ବଢ଼ିବାରେ ଲାଗିଛି ଅନିଲ ଅମ୍ବାନୀ ଏବଂ ତାଙ୍କ ପରିବାର ପାଇଁ ସମସ୍ୟା। ମନି ଲଣ୍ଡରିଂ ମାମଲାରେ ପଚରାଉଚରା ପାଇଁ ସୋମବାର ଅନିଲଙ୍କ ପତ୍ନୀ ଟିନା ଅମ୍ବାନୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ସମନ କରିଥିଲା। ହେଲେ ସେ ହାଜର ହୋଇନାହାଁନ୍ତି। ଫଳରେ ମଙ୍ଗଳବାର ପୁଣି ଇଡି ତାଙ୍କ ବିରୋଧରେ ଏକ ନୂତନ ସମନ ଜାରି କରି ଫେବୃଆରୀ ୧୭ ତାରିଖରେ ହାଜର ହେବାକୁ କହିଛି।

ଏହା ସହିତ ଇଡି, ଅନିଲ ଅମ୍ବାନୀଙ୍କୁ ଫେବୃଆରୀ ୧୮ରେ ହାଜର ହେବାକୁ କହିଛି। ତେବେ ଏପର୍ଯ୍ୟନ୍ତ ଅନିଲ ଅମ୍ବାନୀଙ୍କ ରିଲାଏନ୍ସ ଗ୍ରୁପ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଆସିନାହିଁ। କୁହାଯାଉଛି ନ୍ୟୁୟର୍କର ମ୍ୟାନହାଟନରେ ଏକ ବିଳାସପୂର୍ଣ୍ଣ ଫ୍ଲାଟ କାରବାର ମାମଲାରରେ ଟିନାଙ୍କୁ ସମନ କରାଯାଇଛି।

ସୂଚନାଥାଉକି, ରିଲାଏନ୍ସ ଗ୍ରୁପର ଅନେକ କମ୍ପାନୀ ଏବଂ ସେମାନଙ୍କ ଦ୍ବାରା ହୋଇଥିବା ବ୍ୟାଙ୍କ ଋଣ ମାମଲାରେ ଗତ ବର୍ଷ ଅନିଲ ଅମ୍ବାନୀଙ୍କୁ ED ଅନେକ ପଚରାଉଚରା କରିଥିଲା। ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମ୍ପ୍ରତି ପୂର୍ବତନ ରିଲାଏନ୍ସ କମ୍ୟୁନିକେସନ୍ସ ଅଧ୍ୟକ୍ଷ ପୁନିତ ଗର୍ଗଙ୍କୁ ଗିରଫ କରିଛି।

ପୂର୍ବ ଏକ ବିବୃତ୍ତିରେ ED ଦାବି କରିଥିଲା ଯେ, ୨୦୨୩ରେ ପୁନିତ ଗର୍ଗ RCOMର କର୍ପୋରେଟ୍ ଇନସଲଭେନ୍ସି ସମାଧାନ ପ୍ରକ୍ରିୟା ସମୟରେ ନ୍ୟୁୟର୍କରେ ଥିବା ସମ୍ପତ୍ତିକୁ ଚଞ୍ଚକତା କରି ବିକ୍ରି କରିଦେଇଥିଲେ। କୁହାଯାଉଛି RCOM ୨୦୨୫ରେ ଏହି ବିକ୍ରୟ ବିଷୟରେ ଷ୍ଟକ୍ ଏକ୍ସଚେଞ୍ଜକୁ ସୂଚନା ଦେଇଥିଲା।

ଏଜେନ୍ସି ଦାବି କରିଛି ଯେ, ଏହି ବିକ୍ରିରୁ ୮.୩ ବିଲିୟନ ଡଲାର ଅର୍ଥାତ୍ ୨୦୨୩ରେ ପ୍ରାୟ ୬୯.୫୫ କୋଟି ଟଙ୍କାର ମିଳିଥିଲା। ଯାହାକୁ ଏକ ମିଥ୍ୟା ନିବେଶ ଆଳରେ ଆମେରିକାରୁ ପଠାଯାଇଥିଲା। ଏହି ପୂରା ପ୍ରକ୍ରିୟା ପାକିସ୍ତାନ ସହ ସମ୍ପର୍କ ଥିବା ଜଣେ ବ୍ୟକ୍ତିଙ୍କ ଦ୍ୱାରା ନିୟନ୍ତ୍ରିତ ହୋଇଥିଲା ଏବଂ ବିନା ଅନୁମୋଦନରେ କରାଯାଇଥିଲା।

ଉଲ୍ଲେଖଯୋଗ୍ୟ, ଅନିଲ ଧୀରୁଭାଇ ଅମ୍ବାନୀ ଗ୍ରୁପ୍ ବିରୁଦ୍ଧରେ ବ୍ୟାଙ୍କ ଠକେଇ ଏବଂ ସମ୍ପୃକ୍ତ ଆର୍ଥିକ ଅନିୟମିତତାର ଅନେକ ମାମଲାର ତଦନ୍ତ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ED ସମ୍ପ୍ରତି ଏକ ସ୍ୱତନ୍ତ୍ର ତଦନ୍ତ ଦଳ (SIT) ଗଠନ କରିଛି। ଏହି ତଦନ୍ତର ଏକ ଅଂଶ ସ୍ୱରୂପ, ED ପ୍ରାୟ ୧୨ ହଜାର କୋଟି ଟଙ୍କାର ସମ୍ପତ୍ତି ଆଟାଚ୍ କରିଛି ଏବଂ ରିଲାଏନ୍ସ ଗ୍ରୁପ୍ କମ୍ପାନୀ ବିରୁଦ୍ଧରେ ତିନୋଟି ECIR (ତଦନ୍ତ ଅଭିଯୋଗ) ଦାଖଲ କରିଛି।