ନୂଆଦିଲ୍ଲୀ ୦୮।୦୬ : ନିର୍ବାଚନୀ ପ୍ରଚାର ସମୟରେ ଅଘଟଣ । ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳିମାଡ଼ କଲା ଦୁର୍ବୃତ୍ତ । କୋଲମ୍ବିଆରେ ରାଷ୍ଟ୍ରପତି ନିର୍ବାଚନ ଲାଗି ପ୍ରଚାର କରୁଥିବା ବେଳେ ପ୍ରାର୍ଥୀ ମିଗୁଏଲ୍ ଉରିବେଙ୍କୁ ଗୁଳିମାଡ଼ କରିଛି ଦୁର୍ବୃତ୍ତ । ଯାହାଫଳରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ବାକି ଗୁଳିମାଡ଼ କରିଥିବା ଦୁର୍ବୃତ୍ତଙ୍କୁ ଗିରଫ କରିଛି ପୋଲିସ । ଏହାସହ ଘଟଣାରେ ଅଧିକ ଛାନ୍ଭିନ୍ ଜାରି ରଖିଛି ।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, କଲୋମ୍ବିଆରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଚାଲିଛି ପ୍ରସ୍ତୁତି । ଏଥିପାଇଁ ଏକ ନିର୍ବାଚନୀ ରାଲିରେ ଯୋଗ ଦେଇଥିଲେ ରାଷ୍ଟ୍ରପତି ପ୍ରାର୍ଥୀ ମିଗୁଏଲ ଉରିବେ । ଏହି ସମୟରେ ଅଚାନକ ଜଣେ ଦୁର୍ବୃତ୍ତ ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ । ମିଗୁଏଲଙ୍କ ମୁଣ୍ଡରେ ଗୁଳି ବାଜିଛି । ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଆଇସିୟୁରେ ଚିକିତ୍ସା ଚାଲିଛି । ତେବେ ଅଘଟଣ ସମୟରେ ଭିଡ଼ିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଛି । ଭିଡ଼ିଓରେ ଦେଖିବାକୁ ମିଳିଛି କି ମିଗୁଏଲ କିଛି ଲୋକଙ୍କ ଆଗରେ ଭାଷଣ ଦେଉଛନ୍ତି । ଏହି ସମୟରେ ଅଚାନକ ତାଙ୍କ ଉପରକୁ ଜଣେ ଦୁର୍ବୃତ୍ତ ଗୁଳିମାଡ଼ କରିଥିବା ଶବ୍ଦ ଶୁଣାଯାଇଛି । ଏହାପରେ ରକ୍ତ ଜୁଡୁବୁଡୁ ହୋଇଥିଲେ ମିଗୁଏଲ । ସେଠାରେ ଉପସ୍ଥିତ ଥିବା ସୁରକ୍ଷାକର୍ମୀ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତାଙ୍କ ମୁଣ୍ଡରେ ଗୁଳି ବାଜିଥିବା କୁହାଯାଉଛି । ୨୦୨୬ରେ କୋଲମ୍ବିଆରେ ରାଷ୍ଟ୍ରପତି ନିର୍ବାଚନ ହେବ । ଏଥିରେ ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ଗତ ଅକ୍ଟୋବରରେ ଘୋଷଣା କରିଥିଲେ ମିଗୁଏଲ ।
ମିଗୁଏଲ ଉରିବେଙ୍କୁ ଯେଉଁ ସହରରେ ଗୁଳିମାଡ ହୋଇଛି । ଆଜିକୁ ଠିକ୍ ୩୪ ବର୍ଷ ପୂର୍ବେ ସେହି ସହରରେ ତାଙ୍କ ମା'ଙ୍କୁ ସେହିଠାରେ ହତ୍ୟା କରାଯାଇଥିଲା । ମିଗୁଏଲ କୋଲମ୍ବିଆର ପ୍ରସିଦ୍ଧ ପତ୍ରକାର ଡାୟନା ଟର୍ବିଙ୍କ ପୁଅ । ୧୯୯୧ରେ ଡ୍ରଗ୍ସ ମାଫିଆ ସେହି ସ୍ଥାନରେ ମିଗୁଏଲଙ୍କ ମାଆଙ୍କୁ ହତ୍ୟା କରିଥିଲେ । ଡାୟନା ସେହି ସମୟରେ ଜଣେ ବଡ଼ ସାମ୍ବାଦିକା ଥିଲେ । ସେ ଡ୍ରଗ୍ସ ତସ୍କରୀ ଏବଂ ସଂଗଠିତ ଅପରାଧ ବିରୋଧରେ ଲେଖୁଥିଲେ ।
୩୯ ବର୍ଷୀୟ ମିଗୁଏଲ ଉରିବେ ୧୯୮୬ରେ କୋଲମ୍ବିଆରେ ଜନ୍ମଗ୍ରହଣ କରିଥିଲେ । ବୋଗୋଟା କାଉନସିଲର ଭାବେ ସେ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ । ସେ ସହରୀ ବିକାଶ ଓ ସୁରକ୍ଷା ସମ୍ବଦ୍ଧିତ ମୁଦ୍ଦା ଉପରେ କାମ କରିଛନ୍ତି । ୨୦୧୬-୨୦୧୮ ଯାଏ ବୋଗୋଟାର ସରକାରୀ ସଚିବ ଥିଲେ । ୨୦୨୬ ରାଷ୍ଟ୍ରପତି ନିର୍ବାଚନ ପାଇଁ ଦଳର ପ୍ରମୁଖ ପ୍ରାର୍ଥୀ ହୋଇଛନ୍ତି । ମିଗୁଏଲଙ୍କ ଜେଜେବାପା ଜୁଲିଓ ସିଜର କୋଲମ୍ବିଆର ପୂର୍ବତନ ରାଷ୍ଟ୍ରପତି ଥିଲେ ।