ଭୁବନେଶ୍ୱର ୨୬/୦୫: ଆହୁରି ସୁନ୍ଦର ହେବ ଭୁବନେଶ୍ବର । ମାଟି ତଳେ ଗଡ଼ିବ ମେଟ୍ରୋ । ରାସ୍ତା ବି ପାଇବ ନୂଆ ରୂପ । ଭୁବନେଶ୍ୱରରେ ମେଟ୍ରୋ ଚଳାଚଳ ପାଇଁ ନୂଆ ସରକାର ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଛନ୍ତି । ପୂର୍ବରୁ ମେଟ୍ରୋ ପ୍ରକଳ୍ପର ସଫଳ ରୂପାୟନ ପାଇଁ ଗଠନ ହୋଇଥିବା ନୂଆ କମିଟି ମେଟ୍ରୋ ଚାଲୁଥିବା ସହରକୁ ଯାଇ ତଥ୍ୟ ସଂଗ୍ରହ କରିଥିଲା ।
କମିଟିର ସୁପାରିସ ଆଧାରରେ ଖୁବ୍ ଶୀଘ୍ର ଡିପିଆର୍ ପ୍ରସ୍ତୁତି ସରିବ ବୋଲି କୁହାଯାଇଥିଲା । ହେଲେ ଏବେ ମେଟ୍ରୋ ଡିପିଆର୍ ବିଷୟରେ ସରକାର ସମ୍ପୂର୍ଣ୍ଣ ତଥ୍ୟ ଦେଇନଥିଲେ ମଧ୍ୟ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରି ଚନ୍ଦନ ମେଟ୍ରୋକୁ ନେଇ କିଛି ନୂଆ ସୂଚନା ଦେଇଛନ୍ତି । ମେଟ୍ରୋକୁ ଅଣ୍ଡରଗ୍ରାଉଣ୍ଡ ବା ମାଟି ତଳେ ନେବାକୁ ସାନି ଯୋଜନା କରିଛନ୍ତି ରାଜ୍ୟ ସରକାର ।
ମେଟ୍ରୋ ପାଇଁ ନୂଆ ଆଲାଇନ୍ମେଣ୍ଟ ତିଆରି ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ପୂର୍ତ୍ତ ବିଭାଗ ଓ ନଗର ଉନ୍ନୟନ ବିଭାଗ ନୂଆ ଆଲାଇନ୍ମେଣ୍ଟ ପ୍ରସ୍ତୁତ କାମ ଆରମ୍ଭ କରିଛନ୍ତି ବୋଲି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, ପୂର୍ବରୁ ମେଟ୍ରୋକୁ ଏଲିଭେଟେଡ୍ ବା ଉପରେ ନେବାକୁ ଯୋଜନା ଥିଲା । କିନ୍ତୁ ଏହି ଯୋଜନାରେ ପରିବର୍ତ୍ତନ ହୋଇଛି । ଏଣିକି ଅଣ୍ଡରଗ୍ରାଉଣ୍ଡରେ ମେଟ୍ରୋ ରେଳ ଚାଲିବ । ଏଥିପାଇଁ ଆଉ ଥରେ ଆଲାଇନମେଣ୍ଟ ସର୍ଭେ ହେବ ବୋଲି ଜଣାପଡ଼ିଛି ।
ସେହିଭଳି ୨୦୨୭ ସୁଦ୍ଧା ଭୁବନେଶ୍ୱର ରିଙ୍ଗରୋଡ୍ କାମ ସରିବ ବୋଲି ମନ୍ତ୍ରୀ କହିଛନ୍ତି । ଭୁବନେଶ୍ୱରକୁ ଭିଡ଼ମୁକ୍ତ କରିବାକୁ ଅନେକ ଯୋଜନା ହୋଇଛି । ଇନର ରିଙ୍ଗରୋଡ୍, ଆଉଟର ରିଙ୍ଗରୋଡ୍, ଏଲିଭଟେଡ୍ କରିଡ଼ର, ଫ୍ଲାଏଓଭର ତିଆରି ପାଇଁ ଯୋଜନା ଅଛି । ଏହି ସବୁ ପ୍ରକଳ୍ପ ଦ୍ୱାରା ସହରରୁ ଭିଡ଼ ହଟିବ । ଅଢ଼େଇ ବର୍ଷ ଭିତରେ ଏଥିପାଇଁ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସେ କହିଛନ୍ତି । ଆଉଟର ରିଙ୍ଗରୋଡ୍ରେ ଭୁବନେଶ୍ୱର ସମେତ ଖୋର୍ଦ୍ଧା, ଜଟଣୀ ଓ କଟକର କିଛି ଅଞ୍ଚଳ ଯାଉଛି ।
୨୦୨୫ ସୁଦ୍ଧା ପଟିଆ-ସିଆର୍ପି ବାମପାଶ୍ୱର୍ ସମାନ୍ତରାଳ ରାସ୍ତାରୁ ଅବରୋଧ ହଟାଇ କାମ ଶେଷ କରାଯିବ । ଡାହାଣ ପାଶ୍ୱର୍ ସମାନ୍ତରାଳ ରାସ୍ତା ଦ୍ୱାରା ଆଚାର୍ଯ୍ୟବିହାରରୁ ପଟିଆକୁ ନୂଆ ରାସ୍ତା ସଂଯୋଗ କାମ ଚାଲିଛି । ଡିସେମ୍ବର ସୁଦ୍ଧା ଉଭୟ ବାମପାଶ୍ୱର୍ ଓ ଡାହାଣ ପାଶ୍ୱର୍ ସମାନ୍ତରାଳ ରାସ୍ତା କାମ ସରିବ ବୋଲି ମନ୍ତ୍ରୀ କହିଛନ୍ତି ।
ଜୟଦେବବିହାରରୁ ନନ୍ଦନକାନନ ରାସ୍ତାରୁ ଟ୍ରାଫିକ ସିଗନାଲ ହଟିବ । ଏହା ବଦଳରେ ଏକ ବିକଳ୍ପ ଟେକ୍ନୋଲୋଜି ବ୍ୟବହାର ହେବ । ଜୁନ୍ ୧୨ ତାରିଖରେ ବିଜେପି ସରକାରର ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଜିକନଜେସନ୍ ପ୍ଲାନ୍ରେ ଆସୁଥିବା ଅନେକ ପ୍ରକଳ୍ପର ଶିଳାନ୍ୟାସ ହେବ ବୋଲି ଜଣାପଡ଼ିଛି । ଏଥିରେ ଇନର ରିଙ୍ଗରୋଡ୍ ଓ ଆଉଟର ରିଙ୍ଗରୋଡ୍ ସମେତ ଏକାଧିକ ପ୍ରକଳ୍ପ ରହିଛି ।
ଜୁଲାଇ ୧୨ ତାରିଖ ଭିତରେ ଏହି ସବୁ ପ୍ରକଳ୍ପ ପାଇଁ ଟେଣ୍ଡର ଡକାଯିବ । ଖୁବ୍ଶୀଘ୍ର ଇନର ରିଙ୍ଗରୋଡ୍ କାମ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ସରିବ ଓ କାମ ଆରମ୍ଭ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ତେବେ ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମେଟ୍ରୋ ପ୍ରକଳ୍ପକୁ ଏଲିଭେଟେଡ୍ ନ କରି ଅଣ୍ଡରଗ୍ରାଉଣ୍ଡରେ ନେବା ଉପରେ ବିଚାରବିମର୍ଷ ଚାଲିଛି । ଏବେଯାଏ ଏହାର ଫିଜିବିଲିଟି ଅଛି କି ନା, ସର୍ଭେ ହୋଇନି ।
ପ୍ରାଥମିକ ସ୍ତରରେ କେବଳ ଆଲୋଚନା ହୋଇଛି । ଖୁବ୍ଶୀଘ୍ର ଫିଜିବିଲିଟି ସର୍ଭେ ହେବ । ମେଟ୍ରୋକୁ ଉପରେ ନ ନେଇ ଭୂତଳରେ ନେଲେ ଏହା ଅଧିକ ବ୍ୟବହାର ଉପଯୋଗୀ ହେବ । ଲୋକେ ସୁବିଧାରେ ମେଟ୍ରୋ ଷ୍ଟେସନରେ ପହଞ୍ଚି ପାରିବେ । ଜୟଦେବ ବିହାରରୁ ନନ୍ଦନକାନନ ଯାଏ ପ୍ରସ୍ତାବିତ ଏଲିଭେଟେଡ୍ କରିଡର ଦୁଇ ଥାକିଆ ହେବ ବୋଲି ପୂର୍ବରୁ ଯୋଜନା ହୋଇଥିଲା । କିନ୍ତୁ ନିକଟରେ ଏହାର ଟେଣ୍ଡର ବାତିଲ କରି ଦିଆଯାଇଛି ।