ବର୍ଷାରେ ତିନ୍ତୁଥିଲେ, ନିଜ ଛତା ଦେଇ ବୃଦ୍ଧାଙ୍କ ଦୁଃଖ ଶୁଣିଲେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | June 23, 2025 IST

ଆସିକା: ସ୍ଥାନ ଆସିକା କଲେଜ ବିଜ୍ଞାନ ମହାବିଦ୍ୟାଳୟ ଖେଳ ପଡ଼ିଆ। ଅବସର ଥିଲା ଯୁବ ଶକ୍ତି ସମାବେଶ। ଚାରିଆଡ଼େ ପିଲାଙ୍କ ଗହଳି ଚହଳି। ଝିପି ଝିପି ବର୍ଷା ହେଉଥାଏ। ଯୋଗଦେବାକୁ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏସବୁ ଭିତରେ ଗୋଟିଏ କୋଣରେ ବର୍ଷାରେ ଭିଜି ଭିଜି ଛିଡ଼ା ହୋଇଥାନ୍ତି ଜଣେ ବୃଦ୍ଧା। ଅପେକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀଙ୍କୁ। ବୋଧ ହୁଏ କିଛି କହିବାକୁ ଚାହୁଥିଲେ। ଆଉ ଏହା ହୃଦୟଙ୍ଗମ କରି ନିଜେ ମୁଖ୍ୟମନ୍ତ୍ରୀ ଅଟକିଗଲେ ବୃଦ୍ଧାଙ୍କୁ ତାଙ୍କୁ ସମସ୍ୟା ବିଷୟରେ ପଚରିବାକୁ। ସମସ୍ୟା ପଚାରି ବୁଝିବା ସହ ଏହାର ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି। ଖାଲି ସେତିକି ନୁହେଁ, ମୁଖ୍ୟମନ୍ତ୍ରୀ ବୃଦ୍ଧାଙ୍କୁ ବର୍ଷାରୁ ରକ୍ଷା ପାଇବା ପାଇଁ ନିଜ ଛତାକୁ ମଧ୍ୟ ଦେଇଥିଲେ। ସୋମବାର କଲେଜ ପରିସରରେ ଏଭଳି ଦୃଶ୍ୟ ଦେଖି ସମସ୍ତେ ବେଶ୍‌ ଖୁସି ହୋଇଯାଇଥିଲେ। 

ସୂଚନା ଅନୁଯାୟୀ, ଯୁବ ସମାବେଶକୁ ମୁଖ୍ୟମନ୍ତ୍ରୀ ଆସୁଥିବା ଖବର ପାଇ ପହଞ୍ଚିଥିଲେ ଧରାକୋଟ ବ୍ଲକ ଅନ୍ତର୍ଗତ ଘାସିବିଲି ଅଞ୍ଚଳର ଲାବଣ୍ୟ ସାହୁ। ଭାବିଥିଲେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ତାଙ୍କ  ଦୁଃଖ ଜଣାଇବେ। ଏଥିପାଇଁ ବାହାରେ ଅଭିଯୋଗ ପତ୍ର ଧରି ଠିଆ ହୋଇଥିଲେ।

ଆଉ ସତକୁ ସତ ବୃଦ୍ଧା ମାଆ ଜଣଙ୍କୁ ଦେଖିବା ପରେ ହଠାତ୍ ତାଙ୍କ ପାଖରେ କିଛି ସମୟ ପାଇଁ ଅଟକି ଗଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ l ବୃଦ୍ଧାଙ୍କ ପାଖକୁ ଆସି ମୁଖ୍ୟମନ୍ତ୍ରୀ ଭେଟିବା ସହ ତାଙ୍କ ଦୁଃଖ ବୁଝିଥିଲେ, ଏବଂ ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। 

ଜଣାପଡ଼ିଛି ବୃଦ୍ଧାଙ୍କ ସ୍ବାମୀ ନଥିବାବେଳେ ତାଙ୍କର ଗୋଟିଏ ଝିଅ ମାନସିକ ବିକାରଗ୍ରସ୍ତ। ଖୁବ୍ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି। ଏମିତିରେ ଦୁହିଁଙ୍କ ଭତ୍ତା ସହ ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ କହିଥିଲେ ବୃଦ୍ଧା ମାଆ ଜଣକ l ମୁଖ୍ୟମନ୍ତ୍ରୀ ବୃଦ୍ଧା ମାଆଙ୍କ ଦୁଃଖ ଶୁଣିବା ସହ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ l ଏହି ସମୟରେ ବର୍ଷାରୁ ରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ନିଜ ଛତାଟିକୁ ତାଙ୍କ ହାତରେ ସମର୍ପି ଦେଇଥିଲେ l ଯାହା ଦେଖି ବୃଦ୍ଧା ମାଆ ଜଣଙ୍କ ବହୁତ ଖୁସି ଅନୁଭବ କରିଥିବା କହିଛନ୍ତି l


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.