ନୂଆଦିଲ୍ଲୀ: ଦୁର୍ବଳ ବୈଶ୍ୱିକ ସଂକେତ ମଧ୍ୟରେ ଭାରତୀୟ ସେୟାରର ଦୁଇ ପ୍ରମୁଖ ସୂଚକାଙ୍କ ସେନ୍ସେକ୍ସ ଓ ନିଫ୍ଟି ଆଜି ଲାଲ୍ ସଂକେତରେ ବନ୍ଦ ହୋଇଛି । ତେବେ ସ୍ମଲ୍କ୍ୟାପ୍ ଓ ମିଡ୍କ୍ୟାପ୍ ସେୟାରରେ ବଡ଼ ଆକାରରେ କ୍ରିୟ ଦେଖିବାକୁ ମିଳିଛି । ଯେଉଁଥି ପାଇଁ ନିବେଶକଙ୍କ ମୋଟ ସମ୍ପତ୍ତି ପ୍ରାୟ ୮ ହଜାର କୋଟି ଟଙ୍କା ବୃଦ୍ଧି ପାଇଛି । କାରବାର ଶେଷରେ ବିଏସ୍ଇ ସେନ୍ସେକ୍ସ ୫୧୧.୩୮ ଅଙ୍କ ବା ୦.୬୨ ପ୍ରତିଶତ ହ୍ରାସ ସହ ୮୧,୮୯୬.୭୯ ସ୍ତରରେ ବନ୍ଦ ହୋଇଛି । ଅନ୍ୟପଟେ ନିଫ୍ଟି ୧୪୦.୫୦ ଅଙ୍କ ବା ୦.୫୬ ପ୍ରତିଶତ ଖସି ୨୪,୯୭୧.୯୦ ସ୍ତରରେ ବନ୍ଦ ହୋଇଛି ।
ମଧ୍ୟପ୍ରାଚ୍ୟରେ ବଢୁଥିବା ଉତ୍ତେଜନା କାରଣରୁ ସେୟାର ବଜାର ହ୍ରାସ ସହ ଖୋଲିଥିଲା । କିନ୍ତୁ କାରବାର ଶେଷ ଅଧ ଘଣ୍ଟାରେ ବିକ୍ରି ଚାପ ସାମାନ୍ୟ ହ୍ରାସ ପାଇଥିଲା । ମିଡ୍କ୍ୟାପ୍ ଓ ସ୍ମଲ୍କ୍ୟାପ୍ ସେୟାର ବଜାରର ବିପରୀତରେ ଭଲ ପ୍ରଦର୍ଶନ କରିଛି । ନିଫ୍ଟି ମିଡ୍କ୍ୟାପ୍ ୧୦୦ ଇଣ୍ଡେକ୍ସ ୦.୩ ପ୍ରତିଶତ ବଢି ବନ୍ଦ ହୋଇଛି । ଅନ୍ୟପଟେ ନିଫ୍ଟି ସ୍ମଲ୍କ୍ୟାପ୍ ୧୦୦ ଇଣ୍ଡେକ୍ସ ୦.୭ ପ୍ରତିଶତ ବୃଦ୍ଧି ପାଇଛି । ଆଇଟି ସେୟାରରେ ସବୁଠୁ ଅଧିକ ଚାପ ରହିଥିଲା । ନିଫ୍ଟି ଆଇଟି ଇଣ୍ଡେକ୍ସ ୧.୪ ପ୍ରତିଶତ ଖସିଥିଲା । ଅନ୍ୟପଟେ ମିଡିଆ ସେୟାରରେ ଭଲ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ନିଫ୍ଟି ମିଡିଆ ଇଣ୍ଡେକ୍ସ ୪ ପ୍ରତିଶତ ବଢିଛି । ଡିଫେନ୍ସ ସେୟାରରେ ବି ଜୋରଦାର କ୍ରୟ ଦେଖିବାକୁ ମିଳିଥିଲା ।
ବିଏସ୍ଇରେ ସୂଚୀବଦ୍ଧ କମ୍ପାନିଗୁଡ଼ିକର ମାର୍କେଟ୍ କ୍ୟାପ୍ ଆଜି ବଢି ୪୪୭.୭୮ ଲକ୍ଷ କୋଟି ହୋଇଛି । ଯାହା ପୂର୍ବ କାରବାର ଦିନ ଅର୍ଥାତ୍ ଶୁକ୍ରବାର ୪୪୭.୭୦ ଲକ୍ଷ କୋଟି ଟଙ୍କା ଥିଲା । ଏହିପରି ବିଏସଇରେ ସୂଚୀବଦ୍ଧ କମ୍ପାନି ଆଜି ପ୍ରାୟ ୮ ହଜାର କୋଟି ଟଙ୍କା ବଢିଛି । ଅନ୍ୟ ଶବ୍ଦରେ କହିବାକୁ ଗଲେ ନିବେଶକଙ୍କୁ ୮ ହଜାର କୋଟି ଟଙ୍କା ଲାଭ ହୋଇଛି । ବିଏସ୍ଇ ସେନ୍ସେକ୍ସର ଆଜି ୩୦ରୁ ୯ ସେୟାର ସବୁଜ ସଂକେତରେ ବନ୍ଦ ହୋଇଛି । ଏଥିରେ ଟ୍ରଣ୍ଟ ସେୟାରରେ ୩.୬୧ ପ୍ରତିଶତ ସହ ସବୁଠୁ ଅଧିକ ବୃଦ୍ଧି ହୋଇଛି । ଅନ୍ୟପଟେ ଇନଫୋସିସ୍ ସେୟାର ୨.୨୯ ପ୍ରତିଶତ ହ୍ରାସ ସହ ଟପ୍ ଲୁଜର୍ ହୋଇଛି ।