ନୂଆଦିଲ୍ଲୀ: ଭାରତୀୟ ସେୟାର ବଜାର ମଙ୍ଗଳବାର ବଡ଼ ବୃଦ୍ଧି ସହ ବନ୍ଦ ହୋଇଛି । ଏହାସହ ସେନ୍ସେକ୍ସ ଓ ନିଫ୍ଟିରେ ଗତ ଚାରି ଦିନ ଧରି ଚାଲିଥିବା ହ୍ରାସରେ ବିରାମ ଲାଗିଛି । ବିଏସ୍ଇ ସେନ୍ସେକ୍ସ ୩୧୭.୪୫ ଅଙ୍କ ବଢି ୮୨,୫୭୦.୯୧ ସ୍ତରରେ ବନ୍ଦ ହୋଇଛି । ଅନ୍ୟପଟେ ଏନ୍ଏସ୍ଇ ନିଫ୍ଟି ୧୧୩.୫୦ ଅଙ୍କ ବଢି ୨୫,୧୯୫ ସ୍ତରରେ ବନ୍ଦ ହୋଇଛି । ଜୁନ୍ ମାସରେ ଖୁଚୁରା ମୁଦ୍ରାସ୍ଫୀତି ହାର ଖସି ୨.୧ ପ୍ରତିଶତ ହେବା ପରେ ନିବେଶକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।
ବିଶେଷଜ୍ଞ ଅନୁସାରେ ଜୁନରେ ମୁଦ୍ରାସ୍ଫୀତି ୭୭ ମାସର ସର୍ବନିମ୍ନ ସ୍ତରରେ ରହିବା ଆରବିଆଇ ପାଇଁ ଆଶ୍ୱସ୍ତିର ବିଷୟ । ଏହାଦ୍ୱାରା ସୁଧ ହାର ହ୍ରାସ ହେବାର ଅନୁମାନ କରାଯାଉଛି । ନିବେଶକଙ୍କ ନଜର ଏବେ ଆମେରିକାର ମୁଦ୍ରାସ୍ଫୀତି ଡାଟା ଉପରେ ରହିଛି, ଯାହା ଆଜି ରାତିରେ ଜାରି ହୋଇପାରେ । ଆଜିର କାରବାରରେ ସମସ୍ତ ସେକ୍ଟୋରାଲ୍ ଇଣ୍ଡେକ୍ସ ସବୁଜ ସଂକେତରେ ବନ୍ଦ ହୋଇଛି । ଫାର୍ମା, ଅଟୋ, ମିଡିଆ, ପିଏସୟୁ ବ୍ୟାଙ୍କ୍, କଞ୍ଜୁମର ଡ୍ୟୁରେବଲ୍ସ ଓ ରିୟଲ୍ଟି ସେକ୍ଟରରେ ଭଲ ବୃଦ୍ଧି ଦେଖିବାକୁ ମିଳିଛି । ବିଏସଇ ମିଡ୍କ୍ୟାପ୍ ଓ ସ୍ମଲ୍କ୍ୟାପ୍ ଇଣ୍ଡେକ୍ସ ବି ପ୍ରାୟ ୧ ପ୍ରତିଶତ ବଢିଛି ।
ବିଏସ୍ଇରେ ସୂଚୀବଦ୍ଧ କମ୍ପାନିଗୁଡ଼ିକର ମାର୍କେଟ୍ କ୍ୟାପ୍ ଆଜି ଜୁଲାଇ ୧୫ରେ ବଢି ୪୬୦.୩୭ ଲକ୍ଷ କୋଟି ଟଙ୍କା ହୋଇଛି । ପୂର୍ବ କାରବାର ଦିନ ଏହା ୪୫୭.୬୪ ଲକ୍ଷ କୋଟି ଟଙ୍କା ଥିଲା । ଏହିପରି ବିଏସଇରେ ସୂଚୀବଦ୍ଧ କମ୍ପାନିଗୁଡ଼ିକର ମାର୍କେଟ୍ କ୍ୟାପ୍ ଆଜି ପ୍ରାୟ ୨.୭୩ ଲକ୍ଷ କୋଟି ଟଙ୍କା ବଢିଛି । ଅନ୍ୟ ଶବ୍ଦରେ କହିବାକୁ ଗଲେ ନିବେଶକଙ୍କ ସମ୍ପତ୍ତିରେ ପ୍ରାୟ ୨.୭୩ ଲକ୍ଷ ଟଙ୍କା ବୃଦ୍ଧି ପାଇଛି । ବିଏସ୍ଇ ସେନ୍ସେକ୍ସର ୩୦ରୁ ୨୨ ସେୟାର ଆଜି ସବୁଜ ସଂକେତରେ ବନ୍ଦ ହୋଇଛି । ସନ୍ ଫାର୍ମା ସେୟାରରେ ସବୁଠୁ ଅଧିକ ୨.୭୧ ପ୍ରତିଶତ ବୃଦ୍ଧି ହୋଇଛି । ଅନ୍ୟପଟେ ୩.୩୧ ପ୍ରତିଶତ ହ୍ରାସ ସହ ଏଚ୍ସିଏଲ୍ ଟପ୍ ଲୁଜର ହୋଇଛି ।