ଅବପାତ କେଉଁ ଉପକୂଳ ଅତିକ୍ରମ କରିବ ପୂର୍ବାନୁମାନ କରାଯାଇନି, ୨୫ରେ ଭଦ୍ରକ ଓ ବାଲେଶ୍ବରରେ ପ୍ରବଳ ବର୍ଷା ସମ୍ଭାବନା : IMD DG

Published By : Prameya-News7 Bureau | May 22, 2024 IST

ନୂଆଦିଲ୍ଲୀ ୨୨।୫: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ୨୪ରେ ଅବପାତର ରୂପ ନେବ । ଦକ୍ଷିଣ ପଶ୍ଚିମ ଓ ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଜି ସକାଳ ୫ଟାରେ ଏହି ଲଘୁଚାପ ସୃଷ୍ଟି ହୋଇଛି । ଅବପାତ ଅଞ୍ଚଳରେ ୩୦ରୁ ୪୦ କି.ମି. ପ୍ରତି ଘଣ୍ଟା ବେଗରେ ପବନ ପ୍ରବାହିତ ହେଉଛି । ପରେ ଉତ୍ତର ପୂର୍ବ ଦିଗରେ ଗତିକରି ୨୪ରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ । ଅବପାତର ପ୍ରଭାବ ମୁଖ୍ୟତ ଉତ୍ତର ଓଡ଼ିଶାରେ ଦେଖିବାକୁ ମିଳିବ । ୨୫ ତାରିଖ ସଂଧ୍ୟା ସୁଦ୍ଧା ଉତ୍ତର ପଶ୍ଚିମ ଉତ୍ତର ପୂର୍ବ ସଂଲଗ୍ନ ଉତ୍ତର ପଶ୍ଚିମ ଦିଗରେ ଗତି କରିବା ସହିତ ଆହୁରି ତୀବ୍ର ହେବା ସମ୍ଭାବନା ରହିଛି । ଏହି ସୂଚନା ଦେଇଛନ୍ତି ଆଇଏମଡ଼ି ଡ଼ିଜି । ଫଳରେ ୨୩ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ ମନା କରାଯାଇଛି । ସମୁଦ୍ରରେ ଥିବା ମତ୍ସ୍ୟଜୀବୀ ସମୁଦ୍ରରୁ ଫେରି ଆସିବାକୁ ମଧ୍ୟ କୁହାଯାଇଛି । ୨୫ ଓ ୨୬ ତାରିଖରେ ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ବାଲେଶ୍ଵର ଓ ଭଦ୍ରକରେ ପ୍ରବଳ ବର୍ଷା ହେବା ସମ୍ଭାବନା । ଏହି ଜିଲ୍ଲାର ଗୋଟିଏ କି ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଅବପାତ କେଉଁ ଉପକୂଳ ଦେଇ ଅତିକ୍ରମ କରିବ ଏବଂ ଅତିକ୍ରମ କରିବା ସମୟରେ ଏହାର ସର୍ବାଧିକ ପ୍ରଭାବ କଣ ରହିବ ତାର ପୂର୍ବାନୁମାନ ଏଯାଏ କରାଯାଇନାହିଁ ବୋଲି କହିଛନ୍ତି ଆଇଏମଡ଼ି ଡ଼ିଜି । କିନ୍ତୁ ଧୀରେ ଧୀରେ ଏହା ବଢ଼ିଲେ ଏହାର ପୂର୍ବାନୁମାନ କରିହେବ ବୋଲି ଆଇଏମଡ଼ି ଡ଼ିଜି କହିଛନ୍ତି । 

ସେପଟେ ଆଗାମୀ ୩ ଦିନ ଯାଏଁ ରାଜ୍ୟରେ କାଳବୈଶାଖୀ ବର୍ଷା ଜାରି ରହିବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଗ୍ୟାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଦକ୍ଷିଣ ଓ ଉପକୂଳ ଓଡିଶାରେ କାଳବୈଶାଖୀ ପ୍ରଭାବ ରହିବ । ୨୫ ତାରିଖରେ ଏହି ଜିଲ୍ଲାମାନଙ୍କର ଗୋଟିଏ ଦୁଇଟି ସ୍ଥାନରେ ଘଡଘଡି ବିଜୁଳି ସହ ବର୍ଷା ହେବା ସମ୍ଭାବନା ରହିଛି । ଏହି ସମୟରେ  ଘଣ୍ଟା ପ୍ରତି ୩୦ ରୁ ୪୦ କି.ମି. ପବନ ବହିବ । ଗତ ୨୪ ଘଣ୍ଟାରେ ନୂଆପଡ଼ାରେ ଦିନ ତାପମାତ୍ରା ସର୍ବାଧିକ ୪୨.୪ ଡିଗ୍ରୀ ରେକର୍ଡ଼ ହୋଇଛି । ୮ଟି ସହରର ତାପମାତ୍ରା ୪୦ ଡ଼ିଗ୍ରୀ ରେକର୍ଡ ହୋଇଛି । 

ତେବେ ଅବପାତ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ଆଗାମୀ ୨୪ ଘଣ୍ଟାରେ ସ୍ପଷ୍ଟ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

You Can Read :

ଲଘୁଚାପର ପ୍ରଭାବ ଓଡ଼ିଶା ଉପରେ ରହିବ ନାହିଁ, ୨୩ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବା ମନା

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.