LIVE TV

ଐତିହାସିକ କଟକ ବାଲିଯାତ୍ରା ଉଦଘାଟିତ, ମୁଖ୍ୟମନ୍ତ୍ରୀ କହିଲେ- ନୂଆ ବନ୍ଦର ପାଇଁ ୫୦ ହଜାର କୋଟି ଟଙ୍କାର ମଞ୍ଜୁର

NEWS7
cji-shares-inquiry-report-judges-response-with-president-pm

କଟକ: ଉଦଘାଟିତ ହୋଇଛନ୍ତି ଐତିହାସିକ କଟକ ବାଲିଯାତ୍ରା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସଂପୂର୍ଣ୍ଣ ପାରମ୍ପରିକ ଶୈଳୀରେ ମହାନଦୀରେ ଡଙ୍ଗାରେ ଆସି କଟକ ବାଲିଯାତ୍ରାର ଉଦଘାଟନ କରିଛନ୍ତି। ବନ୍ଦର ଭିତ୍ତିକ ଅର୍ଥନୀତି ପାଇଁ ରାଜ୍ୟ ସରକାର ଚେଷ୍ଟିତ ଅଛନ୍ତି ବୋଲି ଉଦଘାଟନ କରିବା ଅବସରରେ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ନୂଆ ବନ୍ଦର ପାଇଁ, କେନ୍ଦ୍ର ସରକାର ୫୦  ହଜାର କୋଟି ଟଙ୍କାର ମଞ୍ଜୁରୀ ଦେଇ ସାରିଛନ୍ତି। ୨୦୩୦ ମସିହା ସୁଦ୍ଧା ପଣ୍ୟ ପରିବହନ କ୍ଷେତ୍ରରେ ଓଡିଶା ନୂଆ ଇତିହାସ ସୃଷ୍ଟି କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଖୁବ ଶୀଘ୍ର ଗଞ୍ଜାମ ଜିଲ୍ଲାର ବାହୁଦା ବନ୍ଦର ହେବ ରାଜ୍ୟର ଦ୍ୱିତୀୟ ବୃହତ ବନ୍ଦର ବୋଲି, ବାଲିଯାତ୍ରା ଉଦଘାଟନ ଅବସରରେ କହିଛନ୍ତି ମୁଖ୍ୟମନ୍ତ୍ରୀ।

ସେ ଏହା ମଧ୍ୟ କହିଛନ୍ତି ଯେ, କଟକ ବାଲିଯାତ୍ରାକୁ ୟୁନେସ୍କୋ ମାନ୍ୟତା ପାଇଁ ଚେଷ୍ଟା କରାଯାଉଛି। ବାରବାଟୀ ଦୁର୍ଗ ଗଡ଼ଖାଇ ପାଇଁ ଡିପିଆର ପ୍ରସ୍ତୁତ ହେଉଛି। ଗଡ଼ଖାଇ ସୌନ୍ଦର୍ଯ୍ୟକରଣ ପାଇଁ ସ୍ଵତନ୍ତ୍ର ପଦକ୍ଷେପ ନିଆଯିବ। କଟକ ବାଲିଯାତ୍ରା ପାଇଁ ଅନୁଦାନ ରାଶି ବୃଦ୍ଧି କରାଯିବ। ଅନୁଦାନ ରାଶି ୫ କୋଟିରୁ ୧୦ କୋଟିକୁ ବୃଦ୍ଧି କରାଯିବ। ଏହି ୧୦ କୋଟି ରାଜ୍ୟ ସରକାର ଦେବେ ବୋଲି କଟକ ବାଲିଯାତ୍ରାରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ସମୟରେ  ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ସାଂସଦ ଭର୍ତ୍ତୃହରି ମହତାବ,  ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ, ସ୍ଥାନୀୟ ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋସ, ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଓ ବିଧାୟକ ସୌଭିକ ବିଶ୍ଵାସଳ ଉପସ୍ଥିତ ଥିଲେ।

କଟକ ବାଲିଯାତ୍ରାର ଓରମାସ ପଲ୍ଲିଶ୍ରୀ ମେଳାର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହା ସହ ବ୍ୟାଟେରୀ ଗାଡ଼ିରେ ଯାଇ ମୁଖ୍ୟମନ୍ତ୍ରୀ କିଛି ଷ୍ଟଲ ଦେଖିବା ସହ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ସହ ଆଲୋଚନା କରିଛନ୍ତି। ବାଲିଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ବାଲିଯାତ୍ରାର ସଫଳ ଆୟୋଜନ ଏବଂ ଲୋକଙ୍କ ସୁରକ୍ଷା ନେଇ ପୋଲିସ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ଏହା ବ୍ୟତୀତ ଭିଡ଼ ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି।