ତିହାର ଜେଲ୍‌ରେ ରହିବ ଅନମୋଲ୍‌ ବିଷ୍ଣୋଇ, ତାକୁ ଛୁଁଇ ପାରିବେନି କୌଣସି ରାଜ୍ୟର ପୋଲିସ !

NEWS7
chris-gayle-scores-50-in-just-12-ball-without-taking-any-single

ନୂଆଦିଲ୍ଲୀ:  କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ସାନ ଭାଇ ଅନମୋଲ ବିଷ୍ଣୋଇ ଏବେ ତିହାର ଜେଲରେ ରହିବ । ପଟିଆଲା ହାଉସ କୋର୍ଟ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । କୁଖ୍ୟାତ ଗ୍ୟାଙ୍ଗଷ୍ଟର ଅନମୋଲ ବିଷ୍ଣୋଇ ଏବେ ଏସିଆର ସବୁଠାରୁ ସୁରକ୍ଷିତ ଜେଲ୍ ଭାବରେ ବିବେଚିତ ତିହାର ଜେଲରେ ରହିବ । କିନ୍ତୁ ସବୁଠାରୁ ବଡ଼ ଖବର ହେଉଛି, ଗୃହ ମନ୍ତ୍ରଣାଳୟର ଅନମୋଲଙ୍କୁ ଗୋଟିଏ ବର୍ଷ ତିହାର ଜେଲ୍‌ରେ ଲକ୍‌ କରିବାକୁ ବଡ଼ ଘୋଷଣା କରିଛି । ଭାରତୀୟ ଦଣ୍ଡ ସଂହିତା (BNSS)ର ଧାରା ୩୦୩ ଲାଗୁ କରିଛି ଗୃହ ମନ୍ତ୍ରଣାଳୟ । ଏହାର ଅର୍ଥ ହେଉଛି, ଆଗାମୀ ଗୋଟିଏ ବର୍ଷ ପାଇଁ କୌଣସି ରାଜ୍ୟ ପୋଲିସ ଅନମୋଲଙ୍କୁ ହେପାଜତକୁ ନେଇପାରିବ ନାହିଁ। ସେ ମୁମ୍ବାଇ ପୋଲିସ ହେଉ କି ପଞ୍ଜାବ ପୋଲିସ, ପଚରା ଉଚରା ଏବେ କେବଳ ତିହାର ଜେଲ ଭିତରେ ହେବ। ତାକୁ ଜେଲରୁ ମୁକ୍ତ କରାଯିବ ନାହିଁ। ଏହି ନିର୍ଦ୍ଦେଶ ତା ଭାଇ ଲରେନ୍ସ ବିଷ୍ଣୋଇକୁ ଦିଆଯାଇଥିବା ନିର୍ଦ୍ଦେଶ ସହିତ ସମାନ ।

ସୁରକ୍ଷା ଚିନ୍ତାକୁ ଦର୍ଶଇ କରି ଗୃହ ମନ୍ତ୍ରଣାଳୟ ଏହି ନିର୍ଦ୍ଦେଶ ଜାରି କରିଛି। ଅନମୋଲ ବିଷ୍ଣୋଇର ଜୀବନ ବିପଦରେ ଥିବା ଅନୁମାନ କରାଯାଉଛି। ଗୁଇନ୍ଦା ସୂଚନା ପରେ, ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ଯଦି କୌଣସି ରାଜ୍ୟ ପୋଲିସ ଅନମୋଲଙ୍କ ପଚରା ଉଚରା କରିବାକୁ ଚାହେଁ, ତେବେ ଦିଲ୍ଲୀ ଯିବାକୁ ପଡିବ। ତିହାର ଜେଲର ଚାରି କାନ୍ଥ ମଧ୍ୟରେ ପଚରା ଉଚରା କରାଯିବ। ତାକୁ ଅନ୍ୟ କୌଣସି ରାଜ୍ୟକୁ ନିଆଯିବ ନାହିଁ। ରାସ୍ତାରେ ଗ୍ୟାଙ୍ଗ ୱାର ଏବଂ ଆକ୍ରମଣର ସମ୍ଭାବନାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି।

ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ଭାଇ ଏବଂ ଅତି ନିଜର ଅନମୋଲ୍‌ ବିଷ୍ଣୋଇକୁ ଆମେରିକାରୁ ପ୍ରତ୍ୟର୍ପଣ କରାଯାଇଥିଲା । ଏନଆଇଏ ଏବେ ତାକୁ ପଚରା ଉଚରା କରୁଛି । ଅନମୋଲ୍‌ ନିଜ ଭାଇ ପାଇଁ ଆମେରିକାରେ ରହି ଆତଙ୍କବାଦର ସିଣ୍ଡିକେଟ୍‌ ଚଳାଉଥିଲା । ଲରେନ୍ସ ବିଷ୍ଣୋଇର ବିଭିନ୍ନ ଅପରାଧିକ କାର୍ଯ୍ୟକୁ ପୂରା କରୁଥିଲା ଅନମୋଲ୍‌ । 

ଏନଆଇଏ ତଦନ୍ତରୁ ଜଣାପଡିଛି ଯେ, ଅନମୋଲ ବିଷ୍ଣୋଇ ଗ୍ୟାଙ୍ଗର ସୁଟର ଏବଂ ଗ୍ରାଉଣ୍ଡ ଅପରେଟିଭଙ୍କୁ ଆଶ୍ରୟ ଦେଉଥିଲା। ସେ ଅନ୍ୟ ଗ୍ୟାଙ୍ଗଷ୍ଟରଙ୍କ ସହାୟତାରେ ବିଦେଶ ମାଟିରୁ ଭାରତରେ ଚାନ୍ଦା ଆଦାୟରେ ମଧ୍ୟ ସାମିଲ ଥିଲା । ଅନମୋଲ ବାବା ସିଦ୍ଦିକିଙ୍କ ହତ୍ୟାକାଣ୍ଡର ଜଣେ ଅଭିଯୁକ୍ତ। ସଲମାନ ଖାନଙ୍କ ଘର ଉପରେ ଗୁଳିକାଣ୍ଡ ଏବଂ ସିଦ୍ଧୁ ମୁସେୱାଲା ହତ୍ୟା ମାମଲାରେ ମଧ୍ୟ ତାର ସମ୍ପର୍କ ଅଛି। ତା ବିରୁଦ୍ଧରେ ବିଭିନ୍ନ ରାଜ୍ୟରେ ଗମ୍ଭୀର ଅପରାଧିକ ମାମଲା ରୁଜୁ ହୋଇଛି। ଅନମୋଲ ୨୦୨୦-୨୦୨୩ ସମୟ ମଧ୍ୟରେ ଦେଶରେ ବିଭିନ୍ନ ଆତଙ୍କବାଦୀ କାର୍ଯ୍ୟ କରିବା ପାଇଁ ନିଯୁକ୍ତ ଆତଙ୍କବାଦୀ ଗୋଲ୍ଡୀ ବ୍ରାର ଏବଂ ଲରେନ୍ସ ବିଷ୍ଣୋଇକୁ ସକ୍ରିୟ ଭାବରେ ସହାୟତା କରିଥିଲା ।