ଚୌଦ୍ବାର: ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଭକ୍ତି ଓ ବିଶ୍ବାସର ଅନେକ ଉଦାହରଣ ଦେଖିବାକୁ ମିଳେ । ଭଗବାନଙ୍କ ପ୍ରତି ଥିବା ବିଶ୍ବାସ, ଭକ୍ତକୁ ଦେଇଥାଏ ଜୀଇଁବାର ରାହା, ଦେଇଥାଏ ଅଦ୍ୟମ ସାହସ, ଯାହାକୁ ପାଥେୟ କରି ଭକ୍ତ କରିଥାଏ ନିଜର ସର୍ବକାର୍ଯ୍ୟ ସିଦ୍ଧି। ଏହିଭଳି ଭକ୍ତି ଓ ବିଶ୍ବାସର ନିଆରା ଉଦାହରଣ ଦେଖିବାକୁ ମିଳେ କଟକ ଜିଲ୍ଲା ଟାଙ୍ଗୀ ବ୍ଲକ ବଡ଼ସାମନ୍ତରାପୁର ଗାଁରେ ଥିବା ପୋଟଲେଇ ପୀଠରେ।
ପ୍ରତିବର୍ଷ ଚୈତ୍ର ପୂର୍ଣ୍ଣିମାରେ ଏଠାକୁ ଧାଇଁ ଆସନ୍ତି ଦୂର ଦୂରାନ୍ତରୁ ଲକ୍ଷାଧିକ ଶ୍ରଦ୍ଧାଳୁ। ତେବେ ଏଠାରେ ଦେଖିବାକୁ ମିଳେ କିଛି ନିଆରା ପରମ୍ପରା। ବିଶ୍ବାସ ରହିଛି ମା’ଙ୍କୁ ବିଞ୍ଚଣା, କୁକୁଡ଼ା ଓ ଖିରପାଣି ଦାନ କଲେ ଚର୍ମ ରୋଗ ଭଲ ହୋଇଥାଏ।
ଶ୍ରଦ୍ଧାଳୁଙ୍କ କହିବା କଥା ଏହି ପରମ୍ପରା ଖୁବ୍ ପୁରୁଣା, ଡାକ୍ତରୀ ଚିକିତ୍ସା ସୁବିଧା ନଥିବା ସମୟରୁ ହିଁ ଏହି ପରମ୍ପରା ଚାଲିଆସୁଛି। ମା’ଙ୍କ ପାଖରେ ମାନସିକ ରଖୁଥିବା ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ନିଶ୍ଚୟ ଭଲ ହୁଏ। ଆଜି ଚିକିତ୍ସା ବିଜ୍ଞାନ ଆଗେଇଛି ସତ କିନ୍ତୁ ମାଆଙ୍କ ଆଶୀର୍ବାଦରୁ ଏବେ ବି ରୋଗ ଭଲ ହେଉଛି ।
ତେବେ ପ୍ରତି ବର୍ଷ ଚୈତ୍ର ପୂର୍ଣ୍ଣିମା ସମୟରେ ହେଉଥିବା ମା’ଙ୍କ ଏହି ଯାତ୍ରା ସମୟରେ ବ୍ୟବସାୟୀମାନେବି ବେଶ୍ ରକମ ରକମ ପସରା ଖୋଲନ୍ତି। ଘରକରଣା ଜିନିଷ ଠାରୁ ଆରମ୍ଭ କରି ଚଟ୍ପଟା ଖାଦ୍ୟର ବି ଦୋକାନ ବି ଭିଡ଼ ଜମେ। ଯାତ୍ରା କମିଟିର ସଦସ୍ୟ ତଥା ଗ୍ରାମବାସୀମାନେ ଯାତ୍ରାକୁ ପରିଚାଳନା କରନ୍ତି।