ନୂଆଦିଲ୍ଲୀ - ଲୋକ ଜନଶକ୍ତି ପାର୍ଟି ରାମବିଳାସର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିରାଗ ପାସୱାନଙ୍କୁ ତାଙ୍କର ଘର ଖଗଡିଆରେ ଲାଗିଛି ବଡ଼ ଝଟକା। ପାର୍ଟିର ୩୮ ଜଣ ନେତା ଏକାଠି ଇସ୍ତଫା ଦେଇଛନ୍ତି , ଯେଉଁଥିରେ ରାଜ୍ୟ ସାଧାରଣ ସମ୍ପାଦକ ରତନ ପାସୱାନ ମଧ୍ୟ ସାମିଲ ଅଛନ୍ତି। ଖଗଡିଆ ସାଂସଦ ରାଜେଶ ବର୍ମାଙ୍କର କାର୍ଯ୍ୟଶୈଳୀ ଅସନ୍ତୋଷର କାରଣ ଥିବା କୁହାଯାଉଛି। ଚିରାଗଙ୍କ ବାପା ରାମବିଳାସ ପାସୱାନ ଏଠାରେ ପାର୍ଟିର ମୂଳଦୁଆ ପକାଇ ଥିଲେ। ଜିଲ୍ଲା ସଭାପତିଙ୍କ ନାମାଙ୍କନକୁ ମାମଲାର ସଦ୍ୟ କାରଣ ବୋଲି କୁହାଯାଉଛି।
ପ୍ରକୃତ କଥା ହେଲା, ପାର୍ଟିର ପ୍ରଦେଶ ଅଧ୍ୟକ୍ଷ ରାଜୁ ତିୱାରୀ ମନିଷ କୁମାର ଓରଫ ନାଟା ସିଂହଙ୍କୁ ୨୩ ଜୁଲାଇରେ ପାର୍ଟିର ଜିଲ୍ଲାସଭାପତି କରି ଥିଲେ। ଅଭିଯୋଗ ଯେ, ଖଗଡ଼ିଆ ସାଂସଦ ରାଜେଶ ବର୍ମାଙ୍କ ଇଙ୍ଗିତରେ ଏହି କାମ କରାଯାଇଛି। ଏଥିରେ ଅସନ୍ତୁଷ୍ଟ ହୋଇ ପାର୍ଟିର ପଦାଧିକାରୀ ମାନେ ସାମୂହିକ ଭାବେ ଇସ୍ତଫା ଦେଇଛନ୍ତି। ଏକ ଖୋଲା ଚିଠି ମଧ୍ୟ ଜାରି କରାଯାଇଛି , ଯେଉଁଥିରେ କର୍ମୀ ଓ ବରିଷ୍ଠ ନେତାମାନଙ୍କୁ ଏକ ଭାବ ପ୍ରବଣ ଅପିଲ କରାଯାଇଛି।
ନୂଆ ଜିଲ୍ଲା ସଭାପତିଙ୍କ ବିରୋଧରେ ଖଗଡିଆର ବଲୁଆହିରେ ଏକ ବୈଠକ ଆୟୋଜିତ କରାଯାଇ ଥିଲା। ଏହାପରେ ଏଲଜେପିର ୩୮ ଜଣ ପଦାଧିକାରୀ ଓ କର୍ମୀ ସାମୂହିକ ଭାବେ ନିଜ ନିଜ ପଦରୁ ଇସ୍ତଫା ଦେଇଥିଲେ। ଇସ୍ତଫା ଦେଇଥିବା ଲୋକଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲା ସଭାପତି ଶିବରାଜ ଯାଦବ , ରାଜ୍ୟ ସାଧାରଣ ସମ୍ପାଦକ ରତନ ପାସୱାନ , ଯୁବ ଜିଲ୍ଲାସଭାପତି ସୁଜିତ୍ ପାସୱାନଙ୍କ ସହ ଅନେକ ବରିଷ୍ଠ ନେତା ସାମିଲ ଅଛନ୍ତି। ଶିବରାଜ ଯାଦବ କହିଛନ୍ତି ଯେ, ସମସ୍ତ ସାତୋଟି ବ୍ଲକ୍ ସଭାପତି ମଧ୍ୟ ଇସ୍ତଫା ଦେଇଛନ୍ତି ଏବଂ ଏହି ସମ୍ୱନ୍ଧରେ ଏକ ଖୋଲା ଚିଠି ମଧ୍ୟ ଜାରି କରାଯାଇଛି।
ସେ କହିଛନ୍ତି ଯେ, ଖଗଡ଼ିଆ ସାଂସଦ ରାଜେଶ ବର୍ମାଙ୍କ ବ୍ୟବହାରରେ ପାର୍ଟିର ସବୁ ସଦସ୍ୟ ଅସନ୍ତୁଷ୍ଟ ଅଛନ୍ତି। ସାଂସଦଙ୍କ ଅଶାଳୀନ ଭାଷା ଯୋଗୁଁ ସାମୂହିକ ଇସ୍ତଫାର ନିଷ୍ପତ୍ତି ନିଆଯାଇଛି। ସେ କହିଛନ୍ତି ଯେ, ସାଂସଦ କାର୍ଯ୍ୟକର୍ତ୍ତାଙ୍କ ଅପମାନ କରନ୍ତି। ରାଜ୍ୟ ସାଧାରଣ ସମ୍ପାଦକ ରତନ ପାସୱାନ କହିଛନ୍ତି ଯେ, ସାମୂହିକ ଇସ୍ତଫାର ମୁଖ୍ୟ କାରଣ ଖଗଡିଆ ସାଂସଦ ଓ ତାଙ୍କର ପ୍ରତିନିଧିଙ୍କ ଦ୍ୱାରା ନେତା ଓ କର୍ମୀଙ୍କ ସହ କରାଯାଇଥିବା ଅଶାଳୀନ ଆଚରଣ।