ନୂଆଦିଲ୍ଲୀ ୦୬।୦୬: ଏପଟେ ବିଜୟ ସେଲିବ୍ରେସନ୍ । ସେପଟେ ଦଳଚକଟା । ବେଙ୍ଗାଲୁରୁରେ ଚାଲିଗଲା ୧୧ ଜୀବନ । ଏହା ପ୍ରଥମ ନୁହେଁ, ପୂର୍ବରୁ ଅନେକ ଘଟଣା ହୋଇଛି । ଯେଉଁଥିରେ ଚାଲିଯାଇଛି ହଜାର ହଜାର ଜୀବନ । କେବଳ ୨୦୨୫ରେ ମନ୍ଦିର, ରେଳଷ୍ଟେସନ୍ ଏବଂ ମହାକୁମ୍ଭରେ ହୋଇଥିଲା ବଡଧରଣର ଦଳାଚକଟା । ଯେଉଁଥିରେ ୫୦ରୁ ଅଧିକ ଲୋକଙ୍କର ଜୀବନ ଯାଇଛି । ଦୀର୍ଘ ୨୨ ବର୍ଷରେ ଏପରି ୨୧ ଥର ହୋଇଛି ଦଳଚକଟା ଘଟଣା । ୨୦୦୩ରୁ ଦଳାଚକଟାରେ ଦେଳରେ ୧୫ଶହରୁ ଅଧିକ ପ୍ରାଣ ହରାଇଥିବା ବେଳେ ହଜାର ହଜାର ଲୋକ ଆହତ ହୋଇଛନ୍ତି।
ଜାନୁଆରୀ ୨୯ରେ ମହାକୁମ୍ଭ ସମୟରେ ହୋଇଥିଲା ବଡଧରଣର ଦଳଚକଟା । ମୌନି ଅମାବାସ୍ୟାରେ ମହାସ୍ନାନ ପାଇଁ ଲକ୍ଷ ଲକ୍ଷ ତୀର୍ଥଯାତ୍ରୀ ଠେଲାଠେଲି ହୋଇଥିଲେ । ଏହି ଦଳାଚକଟାରେ ୩୦ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୬୦ ଜଣ ଆହତ ହୋଇଥିଲେ।
ଫେବୃଆରୀ ୧୫ ତାରିଖରେ ମହାକୁମ୍ଭ ମେଳା ଲାଗି ପ୍ରୟାଗରାଜ ଯିବାକୁ ଦିଲ୍ଲୀ ରେଳଷ୍ଟେସନରେ ଟ୍ରେନ୍କୁ ଅପେକ୍ଷା କରିଥିବା ଶ୍ରଦ୍ଧାଳୁ ଟ୍ରେନ୍ ମିସ୍ କରିବାରୁ ବର୍ତ୍ତିବା ଲାଗି ଧାଁଦଉଡ଼ କରିଥିଲେ । ଫଳରେ ଦଳାଚକଟା ହୋଇଥିଲା । ଏଥିରେ ଅନ୍ୟୁନ ୧୮ ଜଣ ପ୍ରାଣ ହରାଇଥିଲେ ।
୨୦୨୫ ମେ’ ୩ରେ ଗୋଆର ଶିରଗାଓଁରେ ଲାଇରାଇ ଦେବୀ ବାର୍ଷିକ ଉତ୍ସବ ବେଳେ ଲାଇରାଇଙ୍କ ମନ୍ଦିରରେ ହୋଇଥିଲା ଦଳାଚକଟା । ଏଥିରେ ଅନ୍ୟୁନ ୬ ଶ୍ରଦ୍ଧାଳୁ ପ୍ରାଣ ହରାଇଥିବା ବେଳେ ୧୦୦ ଲୋକ ହୋଇଥିଲେ ଆହତ ।
୮ ଜାନୁଆରୀ ୨୦୨୫ରେ ଆନ୍ଧ୍ରପ୍ରଦେଶର ତିରୁପତି ମନ୍ଦିରରେ ‘ସ୍ୱତନ୍ତ୍ର ଦର୍ଶନ’ ଲାଗି ଟୋକନ୍ ବଣ୍ଟାଯିବା ବେଳେ ହୋଇଥିଲା ଦଳାଚକଟା । ଏଥିରେ ୬ ଶ୍ରଦ୍ଧାଳୁଙ୍କ ଜୀବନ ଯାଇଥିଲା ।
୪ ଡିସେମ୍ବର ୨୦୨୪ରେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ‘ପୁଷ୍ପା ୨ର ପ୍ରିମିୟର ବେଳେ ଅଲ୍ଲୁଙ୍କୁ ଦେଖିବା ଲାଗି ଭିଡ଼ ଅସମ୍ଭାଳ ହୋଇପଡ଼ିଥିଲା । ଫଳରେ ଦଳାଚକଟାରେ ଜଣେ ୩୫ ବର୍ଷୀୟା ମହିଳା ଏବଂ ତାଙ୍କ ୯ ବର୍ଷର ପୁଅଙ୍କ ମୃତ୍ୟୁ ଘଟିଥିଲା । ଏହାକୁ ନେଇ ବହୁ ବିବାଦ ମୁଣ୍ଡ ଟେକିଥିଲା ।
୨ ଜୁଲାଇ ୨୦୨୪ରେ ଉତ୍ତରପ୍ରଦେଶର ହାଥ୍ରସରେ ନାରାୟଣ ସାକର ହରି ଓରଫ୍ ଭୋଲେ ବାବାଙ୍କ ସତ୍ସଙ୍ଗରେ ଭୟଙ୍କର ଦଳାଚକଟା ହୋଇଥିଲା । ଏଥିରେ ୧୨୧ ଜଣଙ୍କ ମୃତ୍ୟୁ ଘଟିଥିଲା । ସତ୍ସଙ୍ଗରେ ୮୦ ହଜାର ଲୋକ ଉପସ୍ଥିତ ରହିପାରିବେ ବୋଲି ଅନୁମତି ଥିବାବେଳେ ସେଠାରେ ଅଢ଼େଇ ଲକ୍ଷ ଲୋକଙ୍କ ଭିଡ଼ ବେକାବୁ ହୋଇଯାଇଥିଲା ।
୩୧ ମାର୍ଚ୍ଚ ୨୦୨୩ । ଇନ୍ଦୋରର ଏକ ମନ୍ଦିରରେ ରାମନବମୀ ଅବସରରେ ଆୟୋଜିତ ହୋଇଥିଲା 'ହବନ' ସମାରୋହ । ଏହା ପାଖରେ ଏକ ପ୍ରାଚୀନ କୂଅ ରହିଥିଲା । ଏହା ଉପରେ ଥିବା ସ୍ଲାବ୍ ଭୁଶୁଡ଼ି ପଡ଼ିବାରୁ ଅତି କମରେ ୩୬ ଜଣଙ୍କର ମୃତ୍ୟୁ ହୋଇଥିଲା ।
୧ ଜାନୁଆରୀ ୨୦୨୨ । ଜମ୍ମୁ ଓ କାଶ୍ମୀରର ମା ବୈଷ୍ଣୋ ଦେବୀ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ଯୋଗୁଁ ଦଳାଚକଟା ହୋଇଥିଲା । ଏଥିରେ ଅତି କମରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୧୨ରୁ ଅଧିକ ହୋଇଥିଲେ ଆହତ ।
୨୯ ସେପ୍ଟେମ୍ବର ୨୦୧୭ରେ ମୁମ୍ବାଇର ଏଲଫିନଷ୍ଟୋନ୍ ରୋଡ୍ ଷ୍ଟେସନକୁ ପରେଲ ଷ୍ଟେସନ ସହିତ ସଂଯୋଗ କରୁଥିବା ଏକ ସଂକୀର୍ଣ୍ଣ ପୋଲ ଉପରେ ଦଳାଚକଟା ହୋଇଥିଲା । ଏଥିରେ ୨୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୬ ଜଣ ଆହତ ହୋଇଥିଲେ ।
୧୪ ଜୁଲାଇ ୨୦୧୫ରେ ଗୋଦାବରୀ ନଦୀ କୂଳରେ ଦଳାଚକଟାରେ ୨୭ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଆହତ ହୋଇଥିଲେ ।
୩ ଅକ୍ଟୋବର ୨୦୧୪ । ଦଶହରା ଉତ୍ସବ ଶେଷ ହେବା ପରେ ପାଟନାର ଗାନ୍ଧୀ ମୈଦାନରେ ଦଳାଚକଟା ହୋଇଥିଲା । ଏଥିରେ ୩୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୬ ଜଣ ହୋଇଥିଲେ ଆହତ ।
୧୩ ଅକ୍ଟୋବର ୨୦୧୩ରେ ମଧ୍ୟପ୍ରଦେଶର ରତନଗଡ଼ ମନ୍ଦିର ନିକଟରେ ନବରାତ୍ରି ମହୋତ୍ସବ ସମୟରେ ଦଳାଚକଟା ଚାଲିଯାଇଥିଲା ୧୧୫ ଜୀବନ । ଆଉ ଏଥିରେ ୧୦୦ରୁ ଅଧିକ ହୋଇଥିଲେ ଆହତ ।
୧୯ ନଭେମ୍ବର ୨୦୧୨ରେ ପାଟନା ଗଙ୍ଗା ନଦୀ କୂଳରେ ଥିବା ଅଦାଲତ ଘାଟରେ ଛଟ ପୂଜା ସମୟରେ ଏକ ଅସ୍ଥାୟୀ ପୋଲ ଭୁଶୁଡ଼ି ପଡ଼ିଥିଲା । ଏହାପରେ ଦଳାଚକଟା ସ୍ଥିତି ଘଟି ପ୍ରାୟ ୨୦ ଜଣଙ୍କର ମୃତ୍ୟୁ ହୋଇଥିଲା ।
୮ ନଭେମ୍ବର ୨୦୧୧ରେ ହରିଦ୍ୱାରର ଗଙ୍ଗା ନଦୀ କୂଳରେ ଥିବା ହର-କି-ପୌଡି ଘାଟରେ ଦଳାଚକଟା ହୋଇଥିଲା । ଏଥିରେ ଅତିକମରେ ୨୦ ଜଣଙ୍କର ମୃତ୍ୟୁ ହୋଇଥିଲା।
୧୪ ଜାନୁଆରୀ ୨୦୧୧ରେ କେରଳର ଇଡୁକ୍କି ଜିଲ୍ଲାର ପୁଲମେଡୁରେ ଘରକୁ ଫେରୁଥିବା ତୀର୍ଥଯାତ୍ରୀଙ୍କ ଉପରେ ଏକ ଜିପ୍ ଧକ୍କା ଦେଇଥିଲା । ଏହି ସମୟରେ ସେଠାରେ ଦଳାଚକଟା ସ୍ଥିତି ଉପିଜିଥିଲା । ଏଥିରେ ଅତିକମରେ ୧୦୪ ଜଣ ସାବରୀମାଳା ଭକ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଆହତ ହୋଇଥିଲେ ।
୪ ମାର୍ଚ୍ଚ ୨୦୧୦ରେ ଉତ୍ତର ପ୍ରଦେଶର ପ୍ରତାପଗଡ଼ ଜିଲ୍ଲାର କୃପାଳୁ ମହାରାଜଙ୍କ ରାମ ଜାନକୀ ମନ୍ଦିରରେ ଦଳଚକଟା କାରଣରୁ ଚାଲିଯାଇଥିଲା ପ୍ରାୟ ୬୩ରୁ ଅଧିକ ଜଣଙ୍କର ଜୀବନ । ଏଠାରେ ଧର୍ମଗୁରୁଙ୍କଠାରୁ ମାଗଣା ପୋଷାକ ଏବଂ ଖାଦ୍ୟ ଗ୍ରହଣ କରିବାକୁ ଲୋକମାନେ ଏକତ୍ରିତ ହୋଇଥିଲେ।
୩୦ ସେପ୍ଟେମ୍ବର ୨୦୦୮ ରାଜସ୍ଥାନର ଯୋଧପୁର ସହରର ଚାମୁଣ୍ଡା ଦେବୀ ମନ୍ଦିରରେ ବୋମା ବିସ୍ଫୋରଣ ଗୁଜବ ଯୋଗୁଁ ହୋଇଥିଲା ଦଳାଚକଟା । ଏଥିରେ ପ୍ରାୟ ୨୫୦ ଜଣ ଭକ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ୬୦ରୁ ଅଧିକ ଆହତ ହୋଇଛନ୍ତି।
୩ ଅଗଷ୍ଟ ୨୦୦୮ରେ ହିମାଚଳ ପ୍ରଦେଶର ବିଳାସପୁର ଜିଲ୍ଲାର ନୈନା ଦେବୀ ମନ୍ଦିରରେ ପଥର ଖସିବା ଗୁଜବ ଯୋଗୁଁ ଦଳାଚକଟାରେ ୧୬୨ ଜଣଙ୍କର ମୃତ୍ୟୁ ହୋଇଥିଲା । ଆଉ ୪୭ ଜଣ ହୋଇଥିଲେ ଆହତ ।
ମହାରାଷ୍ଟ୍ରର ସତାରା ଜିଲ୍ଲାର ମନ୍ଧାରଦେବୀ ମନ୍ଦିରରେ ୨୫ ଜାନୁଆରୀ ୨୦୦୫ରେ ୩୪୦ରୁ ଅଧିକ ଭକ୍ତ ଚାପି ହୋଇ ମୃତ୍ୟୁବରଣ କରିଥିଲେ । ବାସ୍ତବରେ ନଡିଆ ଭାଙ୍ଗିବା ସମୟରେ କିଛି ଭକ୍ତ ଖସଡା ସିଢୀରେ ପଡ଼ିବାରୁ ଏପରି ହୋଇଥିଲା ।
ସେହିପରି ୨୭ ଅଗଷ୍ଟ ୨୦୦୩ରେ ମହାରାଷ୍ଟ୍ର ନାସିକ କୁମ୍ଭମେଳାରେ ସାହିସ୍ନାନ ସମୟରେ ଦଳାଚକଟା ହୋଇଥିଲା । ଏଥିରେ ୩୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୪୦ ଜଣ ଆହତ ହୋଇଥିଲେ ।