ଟୋକିଓ ୧୧।୭: ପୂର୍ବଚୀନ ସାଗରରେ ଜାପାନୀ ଯୁଦ୍ଧ ବିମାନକୁ ‘ବଜ’ ଦେଇଛି ଚୀନ୍ ଯୁଦ୍ଧ ବିମାନ। ଜାପାନୀ ୱାଏସ୧୧ଇବିକୁ ମାତ୍ର ୩୦ ମିଟର ଦୂରତାରେ ଅତିକ୍ରମ କରିଛି ଚୀନ୍ ର ଜେଏଚ-୭। ଯାହାକୁ ନେଇ ଏବେ ଟୋକିଓ ଅସନ୍ତୋଷ ପ୍ରକାଶ କରିଛି। ଅନ୍ତାର୍ଜାତୀୟ ବାୟୁ କ୍ଷେତ୍ରରେ ଚୀନ୍ ର ଏହି ଦୁଃସାହାସ ଜାପାନ ଓ ଚୀନ୍ ମଧ୍ୟରେ ଉତ୍ତେଜନାକୁ ଦର୍ଶାଉଛି। ଜାପାନ ପ୍ରତିରକ୍ଷା ମନ୍ତ୍ରୀ ଏହି ପଦକ୍ଷେପକୁ ଦାୟିତ୍ୱହୀନ ବୋଲି କହିଛନ୍ତି।
ଏହି ଘଟଣା ଥରେ ନୁହେଁ ବୁଧବାର ଓ ଗୁରୁବାର ଲାଗାତର ଦୁଇଥର ହେଲାଣି। ଏପରି ଘଟଣାକୁ ବଜିଙ୍ଗ କୁହାଯାଏ ଓ ଏପରି କାମ ପାଟ୍ରୋଲିଂରେ ବ୍ୟାଘାତ ସୃଷ୍ଟି ପାଇଁ କରାଯାଏ। ଜାପାନ ପ୍ରତିରକ୍ଷାମନ୍ତ୍ରୀ କହିଛନ୍ତି ଯେ ଏହି ଘଟଣା ଜାପାନୀ ଏୟାରସ୍ପେସ୍ ରୁ ଦୂରରେ ଘଟିଥିଲା। ଏହା ପୂର୍ବରୁ ମେ ଓ ଜୁନ ମାସରେ ଜାପାନ ନିୟନ୍ତ୍ରଣରେ ଥିବା ପୂର୍ବ-ଚୀନ ସାଗର ଦ୍ୱୀପ ନିକଟରେ ଉଭୟ ଚୀନ ଓ ଜାପାନ ପରସ୍ପରର ବାୟୁସୀମା ଉଲ୍ଲଂଘନ ଅଭିଯୋଗ କରିଥିଲେ।
ଚୀନ୍ ଜେଏଚ-୭ ଏକ ଦୁଇ ଇଞ୍ଜିନ ଯୁକ୍ତ ଯୁଦ୍ଧ ବିମାନ ଅଟେ। ଏହାର ଯୁଦ୍ଧକ କ୍ଷମତା ପାଖାପାଖି ୯୦୦ ମାଇଲ। ଏହା ଏକ ପୁରୁଣା ମଡେଲ ଯୁଦ୍ଧ ଜାହାଜ। ତେବେ ଏଥିରେ ଲାଗିଥିବା ୱାଇଜେ-୮୩ ଭଳି ଜାହାଜ ରୋଧି ମିଜାଇ ଏହାକୁ ଅଧିକ ଶକ୍ତିଶାଳୀ କରୁଛି। ୱାଇଜେ୮୩ ମିଜାଇଲର ମାରକ କ୍ଷମତା ୧୧୦ ମାଇଲ ହୋଇଥିବା ବେଳେ ଏଥିରେ ୩୬୦ ପାଉଣ୍ଡର ୱାରହେଡ ଲାଗିଛି। ଜେଏଚଏସ୍ ୨୦,୦୦୦ ପାଉଣ୍ଡ ଅସ୍ତ୍ରଶସ୍ତ୍ର ସହିତ ୧.୭୫ମ୍ୟାକ୍ ଗତିରେ ଉଡିପାରେ।
ସେହିପରି ଜାପାନର ୱାଇଏସ୧୧ଇବି ଏକ ଇଲେକ୍ଟ୍ରୋନିକ୍ ଗୁଇନ୍ଦା ପ୍ଲାଟଫର୍ମ। ଏହି ଟ୍ୱିନ ଟର୍ବୋପ୍ରୋପ ବିମାନ ଘଣ୍ଟାପ୍ରତି ୨୯୦ କିଲୋମିଟର ବେଗରେ ଜେଏଚ-୭ ଭଳି ଇଣ୍ଟରସେପ୍ଟର ବିମାନ ଲାଗି ବେଶ୍ ସମ୍ବେଦନଶୀଳ। ଏହାର ପ୍ରାଥମିକ ଭୂମିକା ହେଲା ସିଗ୍ନାଲ ଇଣ୍ଟେଲିଜେନ୍ସ,। ଏହାର ପାର୍ଶ୍ୱଦୃଷ୍ଟି ରାଡାର ଚୀନ୍ ନୌସେନା ଗତିବିଦ୍ଧି ଉପରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଥାଏ। ଚୀନ୍ ନିୟମିତ ରୂପେ ତାର କୋଷ୍ଟଗାର୍ଡ ଜାହାଜ ଓ ବିମାନଙ୍କୁ ଦ୍ୱୀପର ଆଖପାଖକୁ ପଠାଉଛି। ଯାହାକୁ ସେ ଦିୟାଓୟୁ କହୁଛି। ତେବେ ଏହା ଦ୍ୱାରା ଜାପାନୀ ଜାହାଜ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ଏଣୁ ଜାପାନ ସ୍ଥିତ ଚୀନ ଦୂତାବାସରେ ଏ ନେଇ ବିରୋଧ କରାଯାଇଥିଲା ଓ ଜାପାନ ଏପରି ହରକତ ବନ୍ଦ କରିବାକୁ ଦାବି କରିଥିଲା। ହେଲେ ଏବେ ଜାପାନ ଅଭିଯୋଗ ଉପରେ ଚୀନ୍ କୌଣସି ମତ ଅଥବା ମନ୍ତବ୍ୟ ଦେଇ ନାହିଁ। ତେବେ ଚୀନ୍ ର ଏପରି କାର୍ଯ୍ୟାନୁଷ୍ଠାନ ପୂର୍ବଚୀନ ସାଗରରେ ଏକ ଗରମା ଗରମ ପରିସ୍ଥିତି ସୃଷ୍ଟି କରିଛି।