ଜନ୍ମହାର ବୃଦ୍ଧି ପାଇଁ ଚୀନ ସରକାରଙ୍କ ବଡ଼ ଘୋଷଣା, ସନ୍ତାନ ପିଛା ଦେବେ ୫୦୦ ଡଲାରର ସବସିଡି

Published By : Prameya-News7 Bureau | July 28, 2025 IST

ନୂଆଦିଲ୍ଲୀ: ଭାରତ ପରେ ବିଶ୍ୱର ଦ୍ୱିତୀୟ ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ରାଷ୍ଟ୍ର ହେଉଛି ଚୀନ୍‌। ହେଲେ ଲଗାତାର ତିନି ବର୍ଷ ଧରି ଚୀନର ଜନସଂଖ୍ୟା ହ୍ରାସ ପାଉଛି। ଫଳରେ ଏବେ ସେଠାରେ ଉପୁଜିଛି ଜନସଂଖ୍ୟାଗତ ସଙ୍କଟ। ଖାଲି ସେତିକି ନୁହେଁ ଚୀନରେ ବିବାହ ହାର ମଧ୍ୟ ରେକର୍ଡ ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ପିଲାମାନଙ୍କ ଲାଳନପାଳନର ଅଧିକ ଖର୍ଚ୍ଚ ଏବଂ କ୍ୟାରିୟର ଚିନ୍ତା ଯୋଗୁ ଅନେକ ଯୁବକ ଯୁବତୀ ବିବାହ କରିବାକୁ ଚାହୁନାହାନ୍ତି ଅଥବା ଦମ୍ପତିମାନେ ଏହି କାରଣରୁ ସନ୍ତାନ ଜନ୍ମ  ଉପରେ  ଯୁବ ଦମ୍ପତିମାନେ ସନ୍ତାନ ଜନ୍ମ କରିବାରେ ବିଳମ୍ବ କରୁଛନ୍ତି। 

ଏମିତିରେ ଚୀନ ସରକାର ଏହି ସମସ୍ୟାରୁ ସମାଧାନ ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ବେଜିଂର ସରକାରୀ ଗଣମାଧ୍ୟମ ଅନୁସାରେ ଚୀନ୍ ସରକାର ପ୍ରତି ତିନି ବର୍ଷରୁ କମ୍ ବୟସର ପିଲା ପାଇଁ ପ୍ରତିବର୍ଷ ପିତାମାତାଙ୍କୁ ୩୬୦୦ ୟୁଆନ ବା ପ୍ରାୟ ୫୦୦ ଡଲାରର ସବସିଡି ଦେବେ। ପୂର୍ବରୁ ୨୦୨୪ରେ ମଧ୍ୟ ଚୀନ ସରକାର ଜନ୍ମହାରକୁ ପ୍ରୋତ୍ସାହନ ପାଇଁ ବଡ଼ ନିଷ୍ପତ୍ତି ନେଇ ତିନି ଦଶନ୍ଧିରୁ ଅଧିକ ସମୟ ଧରି ଚାଲିଆସୁଥିବା ଏକ ସନ୍ତାନ ନୀତିକୁ ସମାପ୍ତ କରିଥିଲେ। ସୂଚନାଥାଉକି, ଚୀନରେ ୨୦୨୪ରେ ୯.୫୪ ମିଲିୟନ ଶିଶୁ ଜନ୍ମ ନେଇଥିଲେ, ଯାହା ୨୦୧୬ ତୁଳନାରେ ଅଧା। 

ଜନ୍ମହାର ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ

ସରକାରୀ ତଥ୍ୟ ଅନୁଯାୟୀ, ଚୀନ୍‌ରେ ୨୦ରୁ ଅଧିକ ରାଜ୍ୟର ସରକାର ଏବେ ଶିଶୁଙ୍କ ଲାଳନ ପାଇଁ ସବସିଡି ଦେଉଛନ୍ତି। ମାର୍ଚ୍ଚ ମାସରେ ଉତ୍ତର ଚୀନର ଆଭ୍ୟନ୍ତରୀଣ ମଙ୍ଗୋଲିଆର ରାଜଧାନୀ ହୋହୋଟରେ ଦମ୍ପତିଙ୍କୁ ଅଧିକ ସନ୍ତାନ ଜନ୍ମ କରିବା ପାଇଁ ଅର୍ଥରାଶି ଦେବା ଆରମ୍ଭ କରିଥିଲେ। ତିନି କିମ୍ବା ତା’ଠାରୁ ଅଧିକ ସନ୍ତାନ ଥିବା ଦମ୍ପତିମାନେ ଆଉ ଏକ ଶିଶୁ ଜନ୍ମ କଲେ ୧ ଲକ୍ଷ ୟୁଆନ ପର୍ଯ୍ୟନ୍ତ ସବସିଡି ପାଇବା ନେଇ ଘୋଷଣା ହୋଇଥିଲା। 

ସେହିଭଳି ଉତ୍ତର-ପୂର୍ବ ଲିଆଓନିଂ ରାଜ୍ୟର ସେନୟାଙ୍ଗରେ ସ୍ଥାନୀୟ କର୍ତ୍ତୃପକ୍ଷ ତୃତୀୟ ସନ୍ତାନ ଜନ୍ମ କରୁଥିବା ଦମ୍ପତିକୁ ସନ୍ତାନର ତିନି ବର୍ଷ ହେବା ପର୍ଯ୍ୟନ୍ତ ପ୍ରତି ମାସରେ ୫୦୦ ୟୁଆନ ଦେଉଛନ୍ତି। ସେହିଭଳି ଏକ "ପ୍ରଜନନ-ଅନୁକୂଳ ସମାଜ" ଗଠନ ପାଇଁ, ଚୀନର ଦକ୍ଷିଣ-ପଶ୍ଚିମ ସିଚୁଆନ ରାଜ୍ୟ ମଧ୍ୟ ବଡ଼ ଘୋଷଣା କରିଛି। ଏଠିକାର ପ୍ରଶାସନ ବିବାହ ଛୁଟିକୁ ୫ରୁ ୨୫ ଦିନକୁ ବୃଦ୍ଧି କରିବା ଏବଂ ବର୍ତ୍ତମାନ ଥିବା ୬୦ ଦିନର ମାତୃତ୍ବ ଅବକାଶକୁ ବଢ଼ାଇ ୧୫୦ ଦିନ କରିବାକୁ ପ୍ରସ୍ତାବ ଦେଇଛି।

ତେବେ ବିଶେଷଜ୍ଞଙ୍କ ମତରେ ସବସିଡି ଏକ ସକାରାତ୍ମକ ପଦକ୍ଷେପ ହୋଇପାରେ, କିନ୍ତୁ ଏହା ଯଥେଷ୍ଟ ହେବ ନାହିଁ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି। ପିନପଏଣ୍ଟ ଆସେଟ୍ ମ୍ୟାନେଜମେଣ୍ଟର ସଭାପତି ଏବଂ ମୁଖ୍ୟ ଅର୍ଥନୀତିଜ୍ଞ ଝିୱେଇ ଝାଙ୍ଗଙ୍କ ଗଣମାଧ୍ୟମରେ କହିଛନ୍ତି, ନୂଆା ସବସିଡି ଯୋଜନାରୁ ଜଣାପଡ଼ୁଛି କମ୍ ପ୍ରଜନନ ହାର ଯୋଗୁ ଅର୍ଥନୀତି ପାଇଁ ଉପୁଜିଥିବା ସମସ୍ୟାକୁ ସରକାର ଗୁରୁତ୍ବର ସହ ନେଉଛନ୍ତି।

କ୍ୟାପିଟାଲ ଇକୋନୋମିକ୍ସର ଚୀନ ଅର୍ଥନୀତିଜ୍ଞ ଜିଚୁନ ହୁଆଙ୍ଗ କହିଛନ୍ତି, ଏହି ନୀତି ପରିବାରକୁ ସିଧାସଳଖ ସହାୟତା ପ୍ରଦାନ କରିବା କ୍ଷେତ୍ରରେ ଏକ ପ୍ରମୁଖ ମାଇଲଖୁଣ୍ଟ ହୋଇପାରେ। ସେ ଏହା ମଧ୍ୟ କହିଛନ୍ତି ଯେ, ଯେଉଁ ଯୁବ ଦମ୍ପତିମାନେ ନିକଟରେ ବିବାହ କରିଛନ୍ତି ଏବଂ ପୂର୍ବରୁ ଗୋଟିଏ ସନ୍ତାନ ଅଛି  ସେମାନଙ୍କୁ ଏହା ଉତ୍ସାହିତ କରିପାରେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.