LIVE TV

ଦିଲ୍ଲୀ ବିସ୍ଫୋରଣର ସିରିୟା ଲିଙ୍କ୍ : ତୁର୍କୀରେ କୁଖ୍ୟାତ ଆତଙ୍କବାଦୀକୁ ଭେଟିଥିଲା ଉମର

NEWS7
chinas-population-drops-again-know-present-popultaion

ନୂଆଦିଲ୍ଲୀ, ୨୧|୧୧: ନୂଆଦିଲ୍ଲୀ ବିସ୍ଫୋରଣ ପରେ ତଦନ୍ତକାରୀ ସଂସ୍ଥା ହାତରେ ଲାଗୁଛି ଗୋଟିଏ ପରେ ଗୋଟିଏ ସୁରାକ । ଘଟଣା ଘଟାଇଥିବା ମାଷ୍ଟରମାଇଣ୍ଡ ଉମର ନବୀକୁ ନେଇ ଅନେକ ତଥ୍ୟ ପାଇଛି ଏନଆଇଏ । ତା ଇତିହାସକୁ ଖୋଜୁଛନ୍ତି ଅଧିକାରୀ । କେବେ ସେ କେଉଁଆଡେ ଯାଇଥିଲା ସେନେଇ ତଥ୍ୟ ସଂଗ୍ରହ ଚାଲିଛି । ତେବେ କେବଳ ଭାରତରେ ନୁହେଁ ବିଦେଶରେ ଅନେକ କୁଖ୍ୟାତ ଆତଙ୍କବାଦୀ ସହ ଉମରର ସମ୍ପର୍କ ଥିବା ଜଣାପଡିଛି ।

ତଦନ୍ତରେ ସାମିଲ ଥିବା ଜଣେ ଅଧିକାରୀ କହିଛନ୍ତି ଯେ, ୨୦୨୨ରେ ତୂର୍କୀ ଗସ୍ତ କରିଥିଲା ଉମର । ସେଠାରେ କିଛି ଦିନ ରହି ଜଣେ କୁଖ୍ୟାତ ଆତଙ୍କବାଦୀକୁ ସାକ୍ଷାତ କରିଥିଲା । ଉମର ସହ ମୁଜାମିଲ ସକିଲ ଏବଂ ମୁଜାଫର ରାଦର ମଧ୍ୟ ତୁର୍କୀରେ ଭାରତ ବିରୋଧୀ ଷଡଯନ୍ତ୍ର କରିଥିଲା । ପାକିସ୍ତାନର ଜଣେ ଆତଙ୍କୀ ସେମାନଙ୍କୁ ସାହାଯ୍ୟ କରୁଥିବା ଜଣାପଡିଛି ।

ତେବେ ତୁର୍କୀରେ କଣ ଆଲୋଚନା ହୋଇଥିଲା ସେନେଇ ମୁଜାମିଲକୁ ଜେରା କରାଯାଉଛି । ଏଦିଗରେ ଆଉ ପାଦେ ଆଗେଇବା ପାଇଁ ଏନଆଇଏ ଖୁବ୍ ଶୀଘ୍ର ଆଦିଲ ଅହମ୍ମଦ, ସାହିନ ସୟିଦ ଏବଂ ମୁଫତି ଇରାନକୁ ଜେରା କରିବ । ଦିଲ୍ଲୀ ବିସ୍ପୋରଣର ଅନ୍ତର୍ଜାତୀୟ ଲିଙ୍କ୍ ନେଇ ଖୋଳତାଡ ଆରମ୍ଭ କରିଦେଇଛି ଜାତୀୟ ତଦନ୍ତକାରୀ ସଂସ୍ଥା ।

ତଦନ୍ତକାରୀ ଅଧିକାରୀ ଆହୁରି କହିଛନ୍ତି ଯେ, ଉମର, ମୁଜାମିଲ ଏବଂ ମୁଜାଫର ତୂର୍କୀରେ ୨୦ ଦିନ ରହିଥିଲେ । ସେମାନେ ସେଠାରେ ଉକାସାକୁ ଭେଟିଥିଲେ । ଉକାସା ଆଫଗାନିସ୍ତାନ ଏବଂ ପାକିସ୍ତାନ ସୀମାରେ ରହେ । କିନ୍ତୁ ଉକାସା ସହ ସେମାନଙ୍କ ବୈଠକ ହୋଇଛି ନା ନାହିଁ ସେନେଇ ତଦନ୍ତ ଚାଲିଛି । ଅନ୍ୟଦିଗରେ ଉକାସା ସେମାନଙ୍କୁ ସିରିୟା ଯିବାକୁ ପରାମର୍ଶ ଦେଇଥିଲା ।

ଏତତ୍ ବ୍ୟତୀତ ମୁଜାଫର ୟୁଏଇରୁ ଆଫଗାନିସ୍ତାନ ଏବଂ ସେଠାରୁ ତୁର୍କୀ ଯାଇଥିଲା । ସେଠାରେ ସେ ଅଲକାଏଦାରେ ସାମିଲ ହୋଇଥିଲା ।ସେଠାରେ ଜଣେ ଆତଙ୍କବାଦୀଠୁ ନିର୍ଦ୍ଦେଶ ପାଇଲା ପରେ ଭାରତ ଆସିଥିଲା । ଭାରତରେ କିଛି ବଡ ଧରଣର ଆକ୍ରମଣ ପାଇଁ ତାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଯାହା ପରେ ସେ ଅଲ ଫଲାହରେ ଯୋଗ ଦେଇଥିଲା । ଯେଉଁଠି ସେ ଅନ୍ୟ ଆତଙ୍କବାଦୀଙ୍କ ସହ ପରିଚିତ ହୋଇଥିଲା । ମୁଜାମିଲ, ଆଦିଲ ଏବଂ ଉମର ଲଗାତାର ଭାବେ ପାକିସ୍ତାନର ଫୈଜଲ, ହାସିମ ଏବଂ ଉକାସା ସହ ସମ୍ପର୍କରେ ରହିଥିଲେ । ତିନି ପାକିସ୍ତାନୀଙ୍କ ନିର୍ଦ୍ଦେଶ ଅନୁସାରେ ହିଁ ଉମର କାମ କରୁଥିଲା ବୋଲି ଜଣାପଡିଛି । ଆଗକୁ ତଦନ୍ତ ବଢିବ । ଯାହା ଅନ୍ତର୍ଜାତୀୟ ଲିଙ୍କ ନେଇ ଗୁମର ଫିଟାଇବ ବୋଲି ସୂଚନା ମିଳିଛି ।