ଚୀନ ଗସ୍ତ କରି ପାରନ୍ତି ପ୍ରଧାନମନ୍ତ୍ରୀ , SCO ସମ୍ମିଳନୀରେ ପିଏମ୍‌ ମୋଦିଙ୍କୁ ସ୍ୱାଗତ କରିବାକୁ ପ୍ରସ୍ତୁତ ବେଜିଂ

Published By : Prameya-News7 Bureau | August 08, 2025 IST

ବେଜିଂ : ଚୀନ ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଗାମୀ ଚୀନ ଗସ୍ତକୁ ସ୍ୱାଗତ କରିଛନ୍ତି। ପିଏମ୍‌ ମୋଦି ୩୧ ଅଗଷ୍ଟରୁ ୧ ସେପ୍ଟେମ୍ୱର ମଧ୍ୟରେ ଚୀନର ତିୟାନଜିନ ସହରରେ ଅନୁଷ୍ଠିତ ହେବାକୁ ଥିବା, ସାଂଘାଇ ସହଯୋଗ (ଏସସିଓ) ଶିଖର ସମ୍ମିଳନୀରେ ଯୋଗ ଦେଇ ପାରନ୍ତି। ପିଏମ୍‌ ମୋଦିଙ୍କର ସମ୍ଭାବିତ ଚୀନ ଗସ୍ତ ଏମିତି ସମୟରେ ହେଉଛି, ଯେତେବେଳେ ଆମେରିକା ଭାରତ ବିରୋଧରେ ୫୦ ପ୍ରତିଶତ (ଶୁଳ୍କ) ଟାରିଫ୍‌ ଲଗାଇବାକୁ ଘୋଷଣା କରିଛି। ଚୀନ ପୂର୍ବରୁ ହିଁ ଆମେରିକୀୟ ରଣନୀତିକୁ କଡ଼ା ସମାଲୋଚନା କରି ସାରିଛି।

ଏକ ପ୍ରଶ୍ନର ଉତ୍ତରରେ ଚୀନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଗୁଓ ଜିଆକୁନ କହିଛନ୍ତି , ଏସସିଓ ଟିଆନଜିନ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚୀନ ସ୍ୱାଗତ କରୁଛି। ଆମର ବିଶ୍ୱାସ ଯେ, ସବୁ ପକ୍ଷର ମିଳିତ ପ୍ରୟାସରେ ଏହି ସମ୍ମିଳନ ଏକତା , ମିତ୍ରତା ଓ ସାର୍ଥକ ଫଳର ପ୍ରତୀକ ସାଜିବ ଏବଂ ଏସସିଓ ଏକ ନୂଆ ଶିଖରରେ ପହଞ୍ଚିବ ଯେଉଁଥିରେ ଅଧିକ ସମନ୍ୱୟ , ଶକ୍ତି ଓ ଉତ୍ପାଦକତା ଦେଖିବାକୁ ମିଳିବ। ଚୀନ୍‌ ଏସସିଓକୁ ନେଇ କହିଛି ଯେ, ଏହା ବନ୍ଧୁତ୍ୱର ସମ୍ମିଳନୀ ହେବ। ପିଏମ୍‌ ମୋଦି ଚୀନ ଗସ୍ତ ପୂର୍ବରୁ ଜାପାନ ଯାତ୍ରା କରି ପାରନ୍ତି। ସେ ଜାପାନର ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବାଙ୍କ ସହ ବାର୍ଷିକ ଦ୍ୱିପାକ୍ଷୀୟ ସମ୍ମିଳନୀରେ ମଧ୍ୟ  ଭାଗ ନେଇ ପାରନ୍ତି।

ପ୍ରଧାନମନ୍ତ୍ରୀ ମୋଦି ଏହା ପୂର୍ବରୁ ୨୦୧୮ରେ ଦୁଇ ଥର ଚୀନ ଯାଇ ଥିଲେ –ପ୍ରଥମ ଥର ଅପ୍ରେଲରେ ଉହାନରେ ରାଷ୍ଟ୍ରପତି ଶି ଜିନପିଙ୍ଗ୍‌ଙ୍କ ସହ ଅଣଔପଚାରିକ ଶିଖର ବାର୍ତ୍ତା ପାଇଁ ଓ ଦ୍ୱିତୀୟ ଥର ଜୁନ୍‌ରେ କିଙ୍ଗଦାଓରେ ଏସସିଓ ସମ୍ମିଳନୀରେ ଯୋଗ ଦେବା ପାଇଁ। ଏହାପରେ ୨୦୧୯ରେ ଶି ଜିନପିଙ୍ଗ ଭାରତ ଆସିଥିଲେ , ଯେଉଁଠାରେ ଦ୍ୱିତୀୟ ଅଣଔପଚାରିକ ଶିଖର ବୈଠକ ହୋଇଥିଲା। ଏହି ବୈଠକ ୨୦୧୭ର ଡୋକଲାମ ଗତିରୋଧ ପରେ ସମ୍ୱନ୍ଧକୁ ଟ୍ରାକ୍‌କୁ ଆଣିବାର ଏକ ପ୍ରୟାସ ଥିଲା।

ହେଲେ , ୨୦୨୦ରେ ଲଦ୍ଦାଖ ଅଞ୍ଚଳରେ ଏଲଏସିରେ ହୋଇଥିବା  ସଂଘର୍ଷ ଓ ଗଲୱାନ ଘାଟୀରେ ହୋଇଥିବା ରକ୍ତାକ୍ତ ସଂଘର୍ଷ ପରେ ଭାରତ-ଚୀନ ସମ୍ୱନ୍ଧରେ ଖୁବ୍‌ ହ୍ରାସ ଘଟିଛି। ଜୁନ ୨୦୨୦ର ଏହି ସଂଘର୍ଷରେ  ଭାରତର ୨୦ଜଣ ସୈନିକ ସହିଦ ହୋଇଥିଲେ , ଯେତେବେଳେ ଚୀନର ମଧ୍ୟ ଅନେକ ସୈନିକଙ୍କ ମୃତ୍ୟୁ ହୋଇଥିଲା। ଏହା ଛଅ ଦଶକର ସମ୍ୱନ୍ଧ ମଧ୍ୟରେ ସବୁଠୁ ବଡ଼ ଉତ୍ତେଜନା ସୃଷ୍ଟି ହୋଇଥିଲା। 

୨୧ ଅକ୍ଟୋବର ୨୦୧୪ରେ ଦୁଇ ପକ୍ଷ ମଧ୍ୟରେ ଏଲଏସି ବିବାଦକୁ ଶେଷ କରିବା ପାଇଁ ଏକ ଚୁକ୍ତି ହୋଇ ଥିଲା। ଏହାର ଦୁଇ ଦିନ ପରେ ରୁଷ୍‌ର କଜାନ ସହରରେ ମୋଦି ଓ ଶି ଜିନପିଙ୍ଗ୍‌ଙ୍କ ସାକ୍ଷାତ୍‌ ହୋଇଥିଲା, ଯେଉଁଠି ସେ ସମ୍ୱନ୍ଧକୁ ସାଧାରଣ କରିବା ଓ ସୀମା ବିବାଦକୁ ସମାଧାନ କରିବା ପାଇଁ ଅନେକ ଦ୍ୱିପାକ୍ଷୀୟ ବ୍ୟବସ୍ଥାକୁ ପୁନର୍ଜୀବିତ କରିବା ଉପରେ ସହମତି ପ୍ରକାଶ କରିଥିଲେ।

ହିନ୍ଦୁସ୍ତାନ ଟାଇମ୍ସକୁ ସୂତ୍ର ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ, ପିଏମ ମୋଦିଙ୍କ ଏହି ଯାତ୍ରା ବେଳେ ଶି ଜିନପିଙ୍ଗ୍‌ଙ୍କ ସହ ଦ୍ୱିପାକ୍ଷୀୟ ବୈଠକର ମଧ୍ୟ ସମ୍ଭାବନା ଅଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.