LIVE TV

କ୍ଷୀରରେ ମିଶୁଛି ବିଷ, ପ୍ରତିଦିନ ବୁନ୍ଦାଏ କ୍ଷୀରରେ ଆମେ ପାଟିକୁ ନେଉଛେ ଜହର

NEWS7
china-was-hiding-the-truth-from-the-world-on-corona-virus

ଭୁବନେଶ୍ୱର ୨୬।୧୧ : ପ୍ରତିଦିନ ଆପଣ କ୍ଷୀରରେ ବିଷ ପିଉଛନ୍ତି । ଗାଈ ପହ୍ନାରୁ ଅଧିକ କ୍ଷୀର ନିଗାଡ଼ିବା ପାଇଁ ଚାଷୀ ଏକ ଦେଢ଼ ଟଙ୍କିଆ ଔଷଧ ପହ୍ନାରେ ଫୋଡୁଛି । ଯାହାର ନାଁ ହେଲା ଅକ୍ସିଟୋସିନ୍ । ଅକ୍ସିଟୋସିନ୍ ଦିଆଯାଇ ଅପ୍ରାକୃତିକ ଭାବରେ ବାହାର କରାଯାଉଥିବା କ୍ଷୀର ଅମୃତ ନୁହେଁ ବରଂ ବିଷରେ ପରିଣତ ହେଉଛି । ପ୍ରତିଦିନ ବୁନ୍ଦାଏ କ୍ଷୀରରେ ଆମେ ପାଟିକୁ ଜହର ନେଉଛୁ । ଏକଥା ନୁହେଁ ଯେ ସବୁ ଗାଈ ପାଳୁଥିବା କିମ୍ବା ଦୁଗ୍ଧଚାଷୀ ଏହି କାମ କରୁଛନ୍ତି । କେତେକ ଅସାଧୁ ଚାଷୀ ଏହି ଔଷଧ ବ୍ୟବହାର କରୁଛନ୍ତି । ଯାହାର କୁପରିଣାମ ଲୋକେ ଭୋଗୁଛନ୍ତି ।

ଅକ୍ସିଟୋସିନ୍କୁ ପ୍ରାଣୀ ସମ୍ପଦ କ୍ଷେତ୍ରରେ ବ୍ୟବହାର କରିବାକୁ ସମ୍ପୂର୍ଣ୍ଣ ମନା କରାଯାଇଥିବା ବେଳେ ବ୍ୟାନ୍ ବି କରାଯାଇଛି । ମାତ୍ର ଅଧିକାଂଶ ଔଷଧ ଦୋକାନରେ ଏହା ବିକ୍ରି କରାଯାଉଛି । ଯେଉଁମାନେ ସହରରେ ଗାଈ ରଖିଛନ୍ତି, ସେମାନେ ଅଧିକ ଲାଭ ଦେଖି ଏହି ଔଷଧ ଗାଈଙ୍କ ଉପରେ ପ୍ରୟୋଗ କରି ଅଧିକ କ୍ଷୀର ଉତ୍ପାଦନ କରୁଛନ୍ତି । ସାଧାରଣତଃ ଅକ୍ସିଟୋସିନ୍ ଉଭୟ ମଣିଷ ଓ ପ୍ରାଣୀଙ୍କ ସ୍ୱାସ୍ଥ୍ୟ କ୍ଷେତ୍ରରେ ବ୍ୟବହାର କରାଯାଏ । ବିଶେଷକରି ପ୍ରସୂତିଙ୍କ ଲେବର କଷ୍ଟ ବେଳେ ଅକ୍ସିଟୋସିନ୍ ଦିଆଯାଏ । ଯାଦ୍ୱାରା ନବଜାତ ଶିଶୁଟି ଗର୍ଭରୁ ବାହାରିଆସିବାରେ ସହଜ ହୁଏ । ପ୍ରାଣୀଙ୍କ କ୍ଷେତ୍ରରେ ବି ସମାନ । ଏଥିସହ ଯଦି ଗାଈ କି ମଇଁଷି କ୍ଷୀର ନଦେଉଥିବେ, ସେତେବେଳେ ଡାକ୍ତରଙ୍କ ପରାମର୍ଶକ୍ରମେ ଅକ୍ସିଟୋସିନ୍ ଦିଆଯାଏ । ହେଲେ ମାତ୍ରାଧିକ ଡୋଜ୍ ଦେବା ବିପଜ୍ଜନକ ବୋଲି ବିଶେଷଜ୍ଞମାନେ କହିଛନ୍ତି । ୨୦୧୮ରେ କେନ୍ଦ୍ର ସରକାର ପକ୍ଷରୁ ଅକ୍ସିଟୋସିନ୍କୁ ବ୍ୟାନ୍ କରାଯାଇଛି । ଅକ୍ସିଟୋସିନ ମିଶା କ୍ଷୀର ପିଇଲେ ଏହା ଶରୀରରେ କୁପ୍ରଭାବ ପାକାଇଥାଏ ।

ଶରୀରରେ ହରମୋନ ସନ୍ତୁଳନ ବିଗିଡି ଥାଏ । ଫଳରେ ପିଲାଙ୍କ କ୍ଷେତ୍ରରେ ଅଟିଜିମ୍, କମ ବୟସରୁ ଋତୁସ୍ରାବ, ବକ୍ଷୋଜ ବୃଦ୍ଧି, ହିର୍ସୁଟିଜିମ(ଲୋମଶ) ଆଦି ବ୍ୟତିକ୍ରମ ଦେଖାଯାଇଥାଏ । ଅକ୍ସିଟୋସିନ୍ ପରେ ଆଉ ଏକ ମାରାତ୍ମକ କଥା ହେଲା ସିନ୍ଥେଟିକ୍ ପାଉଡର । ଯାହାକୁ କ୍ଷୀରରେ ମିଶାଯାଉଛି । ବଡ଼କଥା, ସରକାରଙ୍କ ଦୁଗ୍ଧ ଉତ୍ପାଦନ ସଂସ୍ଥାର ସୋସାଇଟି ଯେତିକି କ୍ଷୀର ସଂଗ୍ରହ କରୁଛି, କେତେକ ଘରୋଇ କ୍ଷୀର କମ୍ପାନୀ ତାଠୁ ଅଧିକ କ୍ଷୀର ବିକ୍ରି କରୁଛନ୍ତି । ଓଡିଶାରେ କ୍ଷୀର ଉତ୍ପାଦନ ଯେତିକି ହେଉନି, ତାଠୁ ୧୦ଗୁଣ କ୍ଷୀର ଏମାନେ ବିକ୍ରି କରିଥାନ୍ତି । ସତେ ଯେମିତି କ୍ଷୀର ଶୂନ୍ୟରୁ ଝରୁଛି । ଏହି ଅପମିଶ୍ରଣ ଓ ଅକ୍ସିଟୋସିନ୍ ମିଶା କ୍ଷୀର ଖାଇଲେ ଗ୍ୟାସ, ମଧୁମେହ, ବଦହଜମି, ଲିଭର ଓ କର୍କଟ ଭଳି ଅନ୍ୟାନ୍ୟ ଘାତକ ରୋଗ ସୃଷ୍ଟି କରିପାରେ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଚେତାଇଛନ୍ତି । ବଜାରରେ ମିଳୁଥିବା ଶସ୍ତା ପାଉଡର ମଧ୍ୟ କ୍ଷୀରରେ ମିଶୁଛି । ଅତୀତରେ କଟକ ଜଗତପୁର ଥାନା ଓ ଗୁରୁଡିଝାଟିଆ ଥାନା ଅଞ୍ଚଳରେ ଅପମିଶ୍ରିତ କ୍ଷୀର ଜବତ କରାଯାଇଥିଲା । ଯାଞ୍ଚ ବେଳେ କ୍ଷୀରରେ ଲୁଣ, କଷ୍ଟିଂ ପାଉଡର ମିଶୁଥିବା ଦେଖିବାକୁ ମିଳିଥିଲା ।

ସମ୍ର ବରିଷ୍ଠ ଚିକିତ୍ସକ ଡା. ଶ୍ରୀକାନ୍ତ ଧର କହିଛନ୍ତି, ଅକ୍ସିଟୋସିନ୍ ଶରୀରକୁ ଗଲେ ଏହା ହରମୋନ୍ ଅସନ୍ତୁଳନ କରେ । ଅପମିଶ୍ରିତ କ୍ଷୀର ମଧୁମେହ ସୃଷ୍ଟି କରୁଛି । ସୋଆ ଭେଟେରନାରୀ କଲେଜର ପ୍ରାଣୀ ଚିକିତ୍ସକ ଡା. ବୀରକିଶୋର ପରିଡା କହିଛନ୍ତି, ଅକ୍ସିଟୋସିନ୍ର ଏକ ମାରାତ୍ମକ ଔଷଧ । ଏହାର ଅଧିକ ପ୍ରୟୋଗ ଦ୍ୱାରା ଗାଈ ପହ୍ନା ନଷ୍ଟ ହୋଇଯାଏ ଓ ସ୍ୱାସ୍ଥ୍ୟ ଖରାପ ହୁଏ । ଏପରିକି ତାର ପ୍ରଜନନ କ୍ଷମତା ହ୍ରାସ ପାଏ । ପ୍ରତିଦିନ କ୍ଷୀରକୁ ଯାଞ୍ଚ କରାଯିବା ବି ଆବଶ୍ୟକ । ପ୍ରାଣୀ ଚିକିତ୍ସକ ଡ. ସିମ୍ଫୋନି ମହାନ୍ତିଙ୍କ କହିବା କଥା, ଅକ୍ସିଟୋସିନ୍କୁ ପହ୍ନା ପାଖରେ ଦିଆଯାଏ । ଏହା କ୍ଷୀରରେ ମିଶିଲେ କ୍ଷୀର ଗୁଣାବତ୍ତା ହରାଏ । ଏହାକୁ ଗର୍ଭବତୀ ମହିଳା କିମ୍ବା ଛୁଆ ପିଇଲେ ସ୍ୱାସ୍ଥ୍ୟ ଉପରେ ଭୟଙ୍କର ପ୍ରଭାବ ପଡେ । ଖାଦ୍ୟ ସୁରକ୍ଷା ଅଧିକାରୀ ସତ୍ୟଜିତ ପଟେଲ କହିଛନ୍ତି, କ୍ଷୀରର ମାନ ଯାଞ୍ଚ ପାଇଁ ଓଡିଶାରେ ସ୍ୱତନ୍ତ୍ର ପରୀକ୍ଷାଗାର ନାହିଁ । କେବଳ ରାମମନ୍ଦିର ପାଖରେ ଥିବା ସରକାରୀ ପରୀକ୍ଷାଗାରରେ ସବୁ ଖାଦ୍ୟ ସହ କ୍ଷୀର ଯାଞ୍ଚ ହୁଏ । ଦୁଇବର୍ଷ ତଳେ କ୍ଷୀର ସର୍ଭେ କରାଯାଇଥିଲା । ଏହାପରେ ହୋଇନି ।