ତାଇଓ୍ବାନକୁ ଚାରିପଟୁ ଘେରିଲା ଚୀନ୍; ସୀମାନ୍ତରେ ସମରାଭ୍ୟାସ, ଜଳ, ସ୍ଥଳ ଓ ବାୟୁସେନା ସାମିଲ୍

Published By : Prameya-News7 Bureau | May 23, 2024 IST

ନୂଆଦିଲ୍ଲୀ: ଚୀନ୍ ଓ ତାଇଓ୍ବାନ ମଧ୍ୟରେ ଶୀତଳ ଯୁଦ୍ଧ ଜାରି । ତାଇପେୟୀ ଉପରେ ପ୍ରଭୂତ୍ବ ବିସ୍ତାର କାରିବାକୁ ଲାଗିପଡ଼ିଛି ବେଜିଂ । ବାରମ୍ବାର ଦ୍ବୀପ ଦେଶକୁ ଟାର୍ଗେଟ୍ କରୁଛି । ନିଜ ଅଧିକାରକୁ ନେବାକୁ ଚେଷ୍ଟା କରୁଛି । ଏହାରି ମଧ୍ୟରେ ଚୀନ ସୈନ୍ୟ ଡ୍ରିଲ୍ ଆରମ୍ଭ ହୋଇଯାଇଛି । ଦୁଇ ଦିନ ହେଲା ତାଇଓ୍ବାନର ସୀମାନ୍ତରେ ସମରାଭ୍ୟାସ ଆରମ୍ଭ କରିଛି   । ବେଜିଂ ଏହାର ନାଁ ଦେଇଛି, ‘ପନିଶମେଣ୍ଟ’ ।   

ଚୀନର କହିବା ଅନୁଯାୟୀ, ବିଚ୍ଛିନ୍ନତାବାଦୀ ଗତିବିଧିକୁ ଜବାବ ଦେବାକୁ ତାଇଓ୍ବାନ ଷ୍ଟ୍ରେଟ୍ ଏବଂ ତାଇଓ୍ବାନ ନିୟନ୍ତ୍ରଣରେ ଥିବା ଦ୍ବୀପଗୁଡ଼ିକ ଆଖପାଖରେ ସୈନ୍ୟ ଡ୍ରିଲ୍ ଆରମ୍ଭ କରି ଦେଇଛି । ତାଇଓ୍ବାନରେ ଉଭା ହେଉଥିବା ବିଚ୍ଛିନ୍ନତାବାଦୀ ଶକ୍ତିକୁ  ଜବାବ ଦେବାକୁ ଚୀନ ସେନା ଏହି ଡ୍ରିଲ୍ କରୁଛି । ଏହି ସୈନ୍ୟାଭାସ ଏଭଳି ସମୟରେ ହୋଇଛି, ଯେଉଁ ସମୟରେ ତାଇଓ୍ବାନର ନୂଆ ରାଷ୍ଟ୍ରପତି ଲାଈ ଚିଙ୍ଗ ଶପଥ ନେଇଛନ୍ତି । ଲାଈ ଚିଙ୍ଗଙ୍କ ଚୀନର କଟ୍ଟର ବିରୋଧୀ ବୋଲି କୁହାଯାଉଛି ।  

ଚୀନର ପିପୁଲ୍ସ ଲିବରେସନ ଆର୍ମିଙ୍କୁ ଇଷ୍ଟର୍ଣ୍ଣ ଥିଏଟର କମଣ କହିଛନ୍ତି, ଗୁରବାର ସକାଳ ପ୍ରାୟ ୭.୪୫ରେ   ତାଇଓ୍ବାନର ସୀମାନ୍ତ ଅଞ୍ଚଳରେ ସୈନ୍ୟ ଅଭ୍ୟାସ କରିଛି । ଏହି ଡ୍ରିଲରେ ଦେଶ ସ୍ଥଳସେନା, ନୌସେନା, ଏବଂ ବାୟୁସେନା ସହିତ ରକେଟ୍ ଫୋର୍ସ ମଧ୍ୟ ସାମିଲ ରହିଛନ୍ତି । ଏହି ଡ୍ରିଲରେ ତାଇଓ୍ବାନ ଷ୍ଟ୍ରେଟ୍, ଉତ୍ତର, ଦକ୍ଷିଣ ଓ ପୂର୍ବ ତାଇଓ୍ବାନ ଏବଂ ଏହାର ଆଖପାଖ ଅଞ୍ଚଳ ତଥା ତାଇଓ୍ବାନ ନିୟନ୍ତ୍ରଣରେ ଥିବା କିନ୍‌ମେନ, ମାସ୍ତୁ, ବିକିଉ ଏବଂ ଡୋଙ୍ଗୟନ ଦ୍ବୀପ ନିକଟରେ ଏହି ସମରାଭ୍ୟାସ କରିଛି  ଚୀନ ।  

ଚୀନର ଏହି ସମରାଭ୍ୟାସକୁ ନେଇ ତାଇଓ୍ବାନ ପ୍ରତିରକ୍ଷା ମନ୍ତ୍ରାଳୟ କଡ଼ା ନିନ୍ଦା କରିଛି । ଏହା ସହିତ ତାଇଓ୍ବାନ ଷ୍ଟ୍ରେଟ୍ ଆଖପାଖ ଅଞ୍ଚଳରେ ନିଜ ସୈନ୍ୟ ମୁତୟନ କରିଛି । ଚୀନର ଏହି ସମରାଭ୍ୟାସ ପାଇଁ ତାଇଓ୍ବାନରେ ଅସ୍ଥିରତା ଦେଖା ଦେଇଛି । ଚୀନର ବିସ୍ତାରବାଦୀ ମାନସିକତାକୁ କଡ଼ା ନିନ୍ଦା କରିଛନ୍ତି ତାଇଓ୍ବାନ ସରକାର । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.