ଚୀନର ରାଜଧାନୀ ବେଜିଂରେ ପ୍ରବଳ ବର୍ଷା: ୩୦ ମୃତ, ଘର ଛାଡିଲେ ୮୦ ହଜାର

Published By : Prameya-News7 Bureau | July 29, 2025 IST

ବେଜିଂ ୨୯/୦୭: ଚୀନର ରାଜଧାନୀ ବେଜିଂରେ ଅସ୍ତବ୍ୟସ୍ତ ଜନଜୀବନ । ଉତ୍ତର ଉପକଣ୍ଠରେ କିଛି ଦିନ ଧରି ପ୍ରବଳ ବର୍ଷା ହେବା ଫଳରେ ଅତି କମରେ ୩୦ ଜଣଙ୍କର ମୃତ୍ୟୁ ହୋଇଛି। ଚୀନର ଗଣମାଧ୍ୟମ ଅନୁଯାୟୀ, ରାଜଧାନୀରେ ୮୦ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ପାଣି ଜମି ରହିବା ହେତୁ ରାସ୍ତାଘାଟ ନିଶ୍ଚିହ୍ନ ହୋଇଯାଇଛି । ୧୩୬ ଗ୍ରାମରେ ବିଦ୍ୟୁତ୍ ବିଚ୍ଛିନ୍ନ ହୋଇଯାଇଛି। 

ନିଖୋଜ ଲୋକଙ୍କୁ ଖୋଜିବା ଓ ଉଦ୍ଧାର କରିବା ପାଇଁ ସମସ୍ତ ପ୍ରକାରର ପ୍ରୟାସ ଜାରି ରଖିଛି ପ୍ରଶାସନ । ସ୍ଥାନାନ୍ତରିତ ଲୋକଙ୍କୁ ଉପଯୁକ୍ତ ସ୍ଥାନରେ ଥଇଥାନ ବି କରାଯାଉଛି । ଏହାସହ ମୃତ୍ୟୁ ସଂଖ୍ୟା କମାଇବାକୁ ସମସ୍ତ ପ୍ରକାରର ପ୍ରୟାସ କରିବାକୁ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ମଙ୍ଗଳବାର ରିପୋର୍ଟରୁ ଜଣାପଡିଛି ଯେ, ମଧ୍ୟରାତ୍ରି ସୁଦ୍ଧା ବେଜିଂର ସବୁଠାରୁ ଅଧିକ ପ୍ରଭାବିତ ମିୟୁନ୍ ଜିଲ୍ଲାରେ ୨୮ଜଣ ଓ ୟାନକିଙ୍ଗ୍ ରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି । ରାତିସାରା ଚୀନ୍ ରାଜଧାନୀରେ ପ୍ରବଳ ବର୍ଷା ହୋଇଥିଲା। ସୋମବାର ରିପୋର୍ଟ ଅନୁଯାୟୀ ପ୍ରବଳ ବର୍ଷା ଏବଂ ବନ୍ୟାରେ ଚାରି ଜଣଙ୍କର ମୃତ୍ୟୁ ହୋଇଛି । ଯେତେବେଳେ ଅନ୍ୟ ଆଠ ଜଣ ନିଖୋଜ ଅଛନ୍ତି। ହେବେଇ ପ୍ରଦେଶରେ ଭୂସ୍ଖଳନରେ ପୀଡିତମାନେ ଫସି ରହିଛନ୍ତି। 

ବେଜିଂର ବାହାର ଜିଲ୍ଲା ଓ ପଡ଼ୋଶୀ ସହର ତିଆନଜିନ୍ ରୁ ୪୦,୦୦୦ରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା। କର୍ତ୍ତୃପକ୍ଷ ବେଜିଂର ଗ୍ରାମୀଣ ମିୟୁନ୍ ଜିଲ୍ଲାର ଏକ ଜଳଭଣ୍ଡାରରୁ ପାଣି ଛାଡିଥିଲେ । ଯାହା ୧୯୫୯ରେ ନିର୍ମାଣ ହେବା ପରଠାରୁ ସର୍ବାଧିକ ସ୍ତରରେ ଥିଲା। ନଦୀର ତଳିଆ ଅଞ୍ଚଳରୁ ଦୂରେଇ ରହିବାକୁ ଅଧିକାରୀମାନେ ଲୋକଙ୍କୁ ସତର୍କ କରାଇ ଦେଇଥିଲେ । କାରଣ ସେମାନଙ୍କର ଜଳସ୍ତର ବୃଦ୍ଧି ପାଉଥିଲା । ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଥିଲା।

ସେପଟେ ଲୁଆନପିଙ୍ଗ କାଉଣ୍ଟି ସୀମାନ୍ତବର୍ତ୍ତୀ ମିୟୁନ୍ ଜିଲ୍ଲାରେ ପ୍ରବଳ ବର୍ଷାରେ କାରଗୁଡ଼ିକୁ ଭାସିଯିବା ସହ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗି ଯାଇଛି । ଚୀନର ଜିନହୁଆ ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, ପ୍ରଧାନମନ୍ତ୍ରୀ ଲି କିଆଙ୍ଗ ସୋମବାର କହିଛନ୍ତି ଯେ ମିୟୁନ୍ ରେ ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ଅନେକ କ୍ଷତି ହୋଇଛି । 

  • Heavy Rainfall Alert
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.