ତୀବ୍ର ହେଉଛି ଆମେରିକା ଓ ଚୀନ୍‌ ବାଣିଜ୍ୟ ଯୁଦ୍ଧ, ୭ ଦାମୀ ଧାତୁ ରପ୍ତାନୀ ବନ୍ଦ କଲା ଡ୍ରାଗନ

Published By : Prameya-News7 Bureau | April 15, 2025 IST

ନୂଆଦିଲ୍ଲୀ ୧୪/୦୪: ଆମେରିକା ଏବଂ ଚୀନ୍‌ ମଧ୍ୟରେ ବଢ଼ିଚାଲିଛି ବାଣିଜ୍ୟ ଯୁଦ୍ଧ । ଏଭଳି ସ୍ଥିତିରେ ଚୀନ୍‌ ୭ଟି ଦାମୀ ଧାତୁ(ରେୟାର୍‌ ଆର୍ଥ ମାଟେରିଆଲ)ର ରପ୍ତାନି ଉପରେ ରୋକ୍‌ ଲଗାଇଦେଇଛି । କାର, ଡ୍ରୋନ୍‌ଠାରୁ ଆରମ୍ଭ କରି ରୋବଟ ଏବଂ ମିସାଇଲ ପର୍ଯ୍ୟନ୍ତ ଆସେମ୍ବଲ କରିବା ପାଇଁ ଆବଶ୍ୟକୀୟ ମ୍ୟାଗ୍‌ନେଟ୍‌ ବା ଚୁମ୍ବକର ରପ୍ତାନିକୁ ବି ଚୀନ୍‌ ବନ୍ଦରଗୁଡ଼ିକରେ ଅଟକାଇ ଦିଆଯାଇଛି । 

ଏହି ଧାତୁ ବା ଉପାଦାନଗୁଡ଼ିକ ଅଟୋମୋବାଇଲ, ସେମିକଣ୍ଡକ୍ଟର ଏବଂ ଏରୋସ୍ପେସ୍‌ ବ୍ୟବସାୟଗୁଡ଼ିକ ପାଇଁ ବହୁ ମାତ୍ରାରେ ଗୁରୁତ୍ୱପୂର୍ଣ୍ଣ । ଚୀନ୍‌ର ନିଷ୍ପତ୍ତି ଦ୍ୱାରା ବିଶ୍ୱବ୍ୟାପୀ ମୋଟରଯାନ, ବିମାନ, ସେମିକଣ୍ଡକ୍ଟର ଏବଂ ଅସ୍ତ୍ରଶସ୍ତ୍ର ପ୍ରସ୍ତୁତକାରୀ କମ୍ପାନିଗୁଡ଼ିକ ଉପରେ ପ୍ରଭାବ ପଡ଼ିବ । ଏସବୁ ସାମଗ୍ରୀ ମହଙ୍ଗା ହୋଇଯିବ । ଏପ୍ରିଲ ୪ରେ ଚୀନ୍‌ ୭ଟି ଦାମୀ ଧାତୁର ରପ୍ତାନି ଉପରେ ରୋକ୍‌ ଲଗାଇବାକୁ ନିର୍ଦ୍ଦେଶ ଦେଇଥିଲା । ନିର୍ଦ୍ଦେଶ ଅନୁସାରେ, ଏହି ଦାମୀ ଧାତୁ ଏବଂ ଏଥିରୁ ପ୍ରସ୍ତୁତ ସ୍ୱତନ୍ତ୍ର ଚୁମ୍ବକ କେବଳ ସ୍ପେସାଲ ପର୍‌ମିଟ୍‌ ସହ ଚୀନ୍‌ରୁ ବାହାରକୁ ପଠାଯାଇପାରିବ । ରପ୍ତାନି ଉପରେ ରୋକ୍‌ ଲାଗିଥିବା ୭ ଧାତୁ ହେଲା ସମେରିୟମ, ଗ୍ୟାଡୋଲିନିୟମ, ଟର୍‌ବିୟମ, ଡିସ୍‌ପ୍ରୋସିୟମ, ଲ୍ୟୁଟେଟିୟମ, ସ୍କାଣ୍ଡିୟମ ଏବଂ ୟିଟ୍ରିୟମ ଇତ୍ୟାଦି । 

ସୂଚନା ଥାଉକି, ସମେରିୟମରୁ ପ୍ରସ୍ତୁତ ଚୁମ୍ବକ ଉଚ୍ଚ ତାପମାତ୍ରାରେ ନିଜର ଶକ୍ତି ହରାଏନାହିଁ । ମିସାଇଲ୍‌ ଗାଇଡାନ୍ସ ସିଷ୍ଟମ, ଟର୍‌ବାଇନ୍‌, ଇଲେକ୍ଟ୍ରିକ୍‌ ମୋଟରରେ ଏହା ବ୍ୟବହାର ହୋଇଥାଏ । ସେହିଭଳି ଗ୍ୟାଡୋଲିନିୟମ ପରମାଣୁ ରିଆକ୍ଟରରେ କ୍ୟାଟେଲିଷ୍ଟ୍‌ର କାର୍ଯ୍ୟ କରିଥାଏ । ମେଡିକାଲ କ୍ଷେତ୍ର ବିଶେଷକରି ଏମ୍‌ଆର୍‌ଆଇ, ଟିଭି ସ୍କ୍ରିନ୍‌ ଏବଂ ଫ୍ଲୋରେସେଣ୍ଟ ଲ୍ୟାମ୍ପରେ ଏହାର ବ୍ୟବହାର ହୋଇଥାଏ । ଟର୍‌ବିୟମ ଟିଭି, ମନିଟର ଏବଂ ସ୍ମାର୍ଟଫୋନ୍‌ ସ୍କ୍ରିନ୍‌ରେ ନୀଳ ରଙ୍ଗର ଲାଇଟ୍‌ ଉତ୍ପନ୍ନ କରିଥାଏ । 

ସୋନାର, ସେନ୍ସର ଏବଂ ହାଇ-ଫାଇ ସ୍ପିକରରେ ଏହାର ବ୍ୟବହାର ହୋଇଥାଏ । ସେହିଭଳି ଡିସ୍‌ପ୍ରୋସିୟମ ମ୍ୟାଗ୍‌ନେଟ୍‌ର ଶକ୍ତି ବଢ଼ାଇଥାଏ, ଯାହାଦ୍ୱାରା ପରମାଣୁ ରିକ୍ଟରରେ କଣ୍ଟ୍ରୋଲ ରଡ୍‌ ଭାବେ ବ୍ୟବହାର ହୋଇଥାଏ । ଏହା ଧଳା ଏବଂ ହଳଦିଆ ରଙ୍ଗର ଲାଇଟ୍‌ ଉତ୍ପନ୍ନ କରିବାରେ ସାହାଯ୍ୟ କରିଥାଏ । ଲ୍ୟୁଟେଟିୟମ ଗ୍ୟାସୋଲିନ୍‌ ଏବଂ ଡିଜେଲ୍‌ର ଉତ୍ପାଦନ ବ୍ୟତୀତ କ୍ୟାନ୍‌ସରର କୋଷିକାଗୁଡ଼ିକୁ ଶେଷ କରିବାରେ ବ୍ୟବହାର ହୋଇଥାଏ । ସେହିଭଳି ସ୍କାଣ୍ଡିୟମ ବହୁତ ହାଲୁକା । ବାୟୁଯାନର ପାର୍ଟସ, ଅସ୍ତ୍ରଶସ୍ତ୍ର ଏବଂ ସେମିକଣ୍ଡକ୍ଟରରେ ଏହାର ବ୍ୟବହାର

ହୋଇଥାଏ । ୟିଟ୍ରିୟମ ପୃଥିବୀରେ ଅନ୍ୟ ରେୟାର୍‌ ଆର୍ଥ ମାଟେରିଆଲ ତୁଳନାରେ ଅଧିକ ମାତ୍ରାରେ ମିଳିଥାଏ । ପେଟ୍ରୋଲିୟମ ରିଫାଇନିଂ, ମାଇକ୍ରୋୱେଭ୍‌ ଫିଲ୍‌ଟର ଏବଂ ରାଡାର ସିଷ୍ଟମ୍‌ରେ ଏହାର ବ୍ୟବହାର ହୋଇଥାଏ । ରେୟାର୍‌ ଆର୍ଥ ମାଟେରିଆଲ ୧୭ଟି ଉପାଦାନର ଏକ ଗ୍ରୁପ୍‌, ଯାହା କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସରୁ ନେଇ ପ୍ରତିରକ୍ଷା ଉପକରଣ ପର୍ଯ୍ୟନ୍ତ କ୍ଷେତ୍ରରେ ବ୍ୟବହାର ହୋଇଥାଏ । ଏହାର ଉପଯୋଗ ଆଇଟି ଶିଳ୍ପ, ସୌର ଶକ୍ତି, କେମିକାଲ ଶିଳ୍ପ ବ୍ୟତୀତ ଆଧୁନିକ ପ୍ରଯୁକ୍ତି ତୈଳ ବିଶୋଧନାଗାରରେ ଏବଂ ଆହୁରି ଅନେକ ଶିଳ୍ପରେ ହୋଇଥାଏ । 

ଆମେରିକା ଏବଂ ଚୀନ୍‌ ମଧ୍ୟରେ ବାଣିଜ୍ୟ ଯୁଦ୍ଧ ଘମାଘୋଟ ଚାଲିଛି । ଉଭୟ ରାଷ୍ଟ୍ର ନିୟମିତ ଭିତ୍ତିରେ ପରସ୍ପର ବିରୋଧୀ ଘୋଷଣା କରିଚାଲିଛନ୍ତି । ରବିବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ ଯେ, ସ୍ମା ର୍ଟଫୋନ୍‌, କମ୍ପ୍ୟୁଟର ଏବଂ ଅନ୍ୟ ଇଲେକ୍ଟ୍ରୋନିକ୍ସ ଉପକରଣଗୁଡ଼ିକୁ ଯେସାକୁ ତେସା ଶୁଳ୍କରୁ ମୁକ୍ତି ଦିଆଯାଇଛି, କିନ୍ତୁ ଏହା ସୀମିତ ସମୟ ପାଇଁ । ସେ କହିଲେ ଯେ, ଏହି ଇଲେକ୍ଟ୍ରୋନିକ୍ସ ଉପରେ ପୃଥକ ଭାବେ ଟାରିଫ୍‌ ଲଗାଯିବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.