ଛାଡିନି ମେହେନ୍ଦି, ଲିଭିନି ଅଳତା, ବାହାଘରର ୪ ଦିନରେ ଆଖି ବୁଜିଲା ନୂଆବୋହୂ

NEWS7
chilika-water-enters-into-village-in-brahmagiri

ଖଲ୍ଲିକୋଟ ୨୪।୦୨ : ହାତରୁ ଛାଡିନି ମେହେନ୍ଦୀ । କିନ୍ତୁ ଲିଭିଗଲା ଜୀବନ ଦୀପ। ପାଦରୁ ଛପିନି ଅଳତା, କିନ୍ତୁ ଚାଲିଗଲା ନବବଧୂର ଜୀବନ । ଜୀବନସାଥୀର ହାତ ଧରି ନୂଆ ଜୀବନ ଆରମ୍ଭ କରିବ ବୋଲି କେତେ ସପନ ଦେଖିଥିଲେ । ହେଲେ ତାପୂର୍ବରୁ ସବୁ ସୁଖ ହଜିଗଲା ଦୁଃଖର ସେହି କଳାବାଦଲ ଭିତରେ । ବିବାହ ମାତ୍ର ୪ ଦିନ ପରେ ଆଖିବୁଜିଲେ ନବବିବାହିତା । ଚାରିଆଡେ କେତେ କଥା, ଆଉ କେତେ ପ୍ରଶ୍ନ ?

ଏ ଖବର ବି ପଢନ୍ତୁ:-ପ୍ରେମ ପାଇଁ ଡବଲ୍ ମର୍ଡର : ପ୍ରେମିକ ସହ ମିଶି ମା’-ଭାଇକୁ ମାରିଦେଲା ନାବାଳିକା !

ଗଞ୍ଜାମ ଜିଲ୍ଲା କେନ୍ଦୁପାଟ ଗାଁର ବିପିନ ଜେନାଙ୍କୁ ବିବାହ କରିଥିଲେ ସେହି ଗାଁର ପୂଜା ବେହେରା । ଗତ ୨୦ ତାରିଖରେ ବେଶ୍ ଧୁମ୍ଧାମ୍ରେ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ବେଶ୍ ହସଖୁସିରେ ବିତିଥିଲା ବିବାହର ଚାରି ଦିନ। ଆଖିରେ ଆଖିଏ ସ୍ୱପ୍ନ ଧରି ବାପା ଘର ଛାଡ଼ି ଆସିଥିଲା ଶ୍ୱଶୁର ଘର । ନୂଆ ସଂସାର ଗଢିବ, ନୂଆ ଜୀବନ ବଞ୍ଚିବ । ଆଉ ସମସ୍ତଙ୍କୁ ନିଜର କରି ଏକାଠି ସଂସାରର ଗାଡ଼ି ଚାଲିବ । ହେଲେ ସେ ଦେଖିଥିବା ସବୁ ସ୍ୱପ୍ନ ଅଧୁରା ରହିଯାଇଛି । ବିବାହର ଚତୁର୍ଥୀ ଦିନ ହଠାତ୍ ପୂଜାଙ୍କ ଦେହ ଖରାପ ହୋଇଥିଲା । ଏହାପରେ ତୁରନ୍ତ ପରିବାର ଲୋକେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । ଖଲ୍ଲିକୋଟ ମେଡିକାଲରେ ପହଞ୍ଚିବା ବେଳକୁ ପୂଜାଙ୍କ ଦେହରୁ ପ୍ରବଳ ରକ୍ତ ବୋହିସାରିଥିଲା । ତେଣୁ ଡାକ୍ତରମାନେ ପୂଜାଙ୍କ ଅବସ୍ଥା ଦେଖି ତୁରନ୍ତ ଚିକିତ୍ସା ଆରମ୍ଭ କରିଥିଲେ । ହେଲେ ସେତେବେଳକୁ ହୋଇସାରିଥିଲା ବହୁ ବିଳମ୍ବ । ଚିକିତ୍ସାଧୀନ ଅବସ୍ଥାରେ ହିଁ ମେଡିକାଲ ବେଡ୍ରେ ଆଖିବୁଜିଲେ ନବବିବାହିତା ପୂଜା ।

ଏ ଖବର ବି ପଢନ୍ତୁ:- ଲଭ୍ କେଲିୟେ କୁଛ୍ ଭି କରେଗା...ନବବଧୂ ଅପହରଣ ଘଟଣାରେ ନୂଆ ଟ୍ୱିଷ୍ଟ

ତେବେ ପୂଜାଙ୍କ ମୃତ୍ୟୁ କେମିତି ହେଲା । ସେନେଇ କୌଣସି ସଠିକ୍ ସୂଚନା ମିଳିନାହିଁ । ପୂଜାଙ୍କ ଦେହରୁ ଏତେ ପରିମାଣର ରକ୍ତ କିପରି ବୋହିଲା, ସେନେଇ ମଧ୍ୟ କୌଣସି ସଠିକ୍ ତଥ୍ୟ ନାହିଁ । ବାକି ସ୍ଥାନୀୟ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଏ ଖବର ବି ପଢନ୍ତୁ:- ସେୟାର ମାର୍କେଟ୍ କ୍ରାଶ୍ : ହଠାତ ଭୁଶୁଡି ପଡିଲା ବଜାର, ଏତେ ପଏଣ୍ଟ୍ ଖସିଗଲା ସେନସେକ୍ସ