ନୂଆଦିଲ୍ଲୀ ୨୧/୦୭: ଜଳବାୟୁ ପରିବର୍ତ୍ତନ ଯୋଗୁ ସାରା ବିଶ୍ୱରେ ଦ୍ରୁତ ଗତିରେ ବଦଳୁଛି ପାଣିପାଗ । ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ଅସହ୍ୟ ହେବାରେ ଲାଗିଛି । ଜନଜୀବନ ଦୁର୍ବିଷହ ହେବା ସାଙ୍ଗକୁ ଚାଷବାସ ବି ପ୍ରଭାବିତ ହେଉଛି । ସବୁଠୁ ବଡ଼ କଥା ହେଉଛି ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଏବେ ସ୍କୁଲ ପାଠପଢ଼ାରେ କଣ୍ଟା ସାଜିଛି । ଏହା ପିଲାମାନଙ୍କ ମୋଟ ସ୍କୁଲ ଜୀବନରୁ ଦେଢ଼ବର୍ଷ ନଷ୍ଟ କରିଦେବା ନେଇ ଆଶଙ୍କା ଉପୁଜିଛି ।
ଏକ ନୂଆ ବୈଶ୍ୱିକ ରିପୋର୍ଟରୁ ଏହି ଚିତ୍ର ସାମ୍ନାକୁ ଆସିଛି । ଏଥିରେ ଦର୍ଶାଯାଇଛି ଯେ ଆଗୁଆ ତଥା ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ପିଲାମାନଙ୍କ ବିଦ୍ୟାଳୟ ପାଠପଢ଼ା ଉପରେ ସିଧାସଳଖ ପ୍ରଭାବ ପକାଉଛି । ଜଳବାୟୁ ପରିବର୍ତ୍ତନ ସହ ଜଡ଼ିତ ବିଭିନ୍ନ ସମସ୍ୟା ଯଥା ବନାଗ୍ନି, ଝଡ଼ତୋଫାନ, ବନ୍ୟା, ମରୁଡ଼ି, ରୋଗବ୍ୟାଧି ଏବଂ ସମୁଦ୍ର ଜଳସ୍ତର ବୃଦ୍ଧି ଆଦି ଶିକ୍ଷା ଉପରେ ଗୁରୁତର ପ୍ରଭାବ ପକାଉଛି । ପିଲାମାନେ ଯେଉଁ ସମୟରେ ଯାହା ଶିକ୍ଷା କରିବା କଥା ତାହା ସମ୍ଭବ ହେଉନାହିଁ ।
ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଶେଷକରି ବିକାଶଶୀଳ ଦେଶଗୁଡ଼ିକ ପ୍ରତିକାର ପଦକ୍ଷେପ ଭାବେ ସ୍କୁଲ ବନ୍ଦ କରିଦେଉଛନ୍ତି । ଏହାଦ୍ୱାରା ସ୍କୁଲ ଶିକ୍ଷା ପ୍ରଭାବିତ ହେଉଛି । ପିଲାମାନେ ପାଠପଢ଼ା ପ୍ରତି ବିମୁଖ ହେଉଛନ୍ତି । ଏହି କାରଣରୁ ଶିକ୍ଷା କ୍ଷତି ଓ ଡ୍ରପ୍-ଆଉଟ୍ ଆଶଙ୍କା ବଢ଼ିବାରେ ଲାଗିଛି । ୟୁନେସ୍କୋର ଗ୍ଲୋବାଲ୍ ଏଜୁକେସନ ମନିଟରିଂ (ଜିଇଏମ୍) ଟିମ୍ ଦ୍ୱାରା ପ୍ରସ୍ତୁତ ରିପୋର୍ଟ ଅନୁସାରେ, ବିଗତ ୨୦ ବର୍ଷ ମଧ୍ୟରେ ଅତ୍ୟଧିକ ପ୍ରତିକୂଳ ପାଣିପାଗର ୭୫% ଘଟଣାରେ ସ୍କୁଲଗୁଡ଼ିକ ବନ୍ଦ ରହିଥିଲା ।
ସେହି ସମୟରେ ୫୦ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିଲେ । ୧୯୬୯ ଓ ୨୦୧୨ ମଧ୍ୟରେ ୨୯ଟି ଦେଶରୁ ନିଆଯାଇଥିବା ଜନସଂଖ୍ୟା ଓ ଜଳବାୟୁ ତଥ୍ୟର ବିଶ୍ଳେଷଣରୁ ଜଣାପଡ଼ିଛି ଯେ ହାରାହାରିଠାରୁ ଅଧିକ ଗରମ ଅନୁଭୂତ ହେବା ଯୋଗୁ ପିଲାମାନଙ୍କ ପ୍ରାରମ୍ଭିକ ପାଠପଢ଼ା ପ୍ରଭାବିତ ହେଉଛି । ବିଶେଷକରି ଦକ୍ଷିଣପୂର୍ବ ଏସିଆରେ ସ୍କୁଲ ପାଠପଢ଼ା ବର୍ଷ ସଙ୍କୁଚିତ ହେଉଛି । ହାରାହାରି ତାପମାତ୍ରା ଅନୁଭବ କରୁଥିବା ପିଲାଙ୍କ ତୁଳନାରେ ଅତ୍ୟଧିକ ତାପମାତ୍ରାର ସମ୍ମୁଖୀନ ହେଉଥିବା ପିଲାଙ୍କ ମୋଟ ସ୍କୁଲ ପାଠପଢ଼ା ଅବଧି ୧.୫ ବର୍ଷ କମ୍ ହେବା ନେଇ ଆକଳନ କରାଯାଇଛି ।
ଚୀନ୍ରେ ଗ୍ରୀଷ୍ମ ପ୍ରବାହର ପ୍ରଭାବ ଅଧିକ ରହୁଛି । ଏହାଦ୍ୱାରା ପରୀକ୍ଷାରେ ପିଲାମାନଙ୍କର ପ୍ରଦର୍ଶନ ଦିନକୁ ଦିନ ଖରାପ ହେଉଛି । ଯାହା କି ପରବର୍ତ୍ତୀ ପାଠପଢ଼ା ଯଥା ସ୍ନାତକ ଓ କଲେଜ ପ୍ରବେଶିକା ହାର ହ୍ରାସ ପାଇବାର କାରଣ ସାଜୁଛି । ରିପୋର୍ଟ ଅନୁସାରେ, ଆମେରିକାରେ ତାପମାତ୍ରା ୧ ଡିଗ୍ରୀ ସେଲସିୟସ୍ ବଢ଼ିଥିବା ବେଳେ ଏୟାର କଣ୍ଡିସନର ବିନା ପିଲାଙ୍କର ପରୀକ୍ଷା ସ୍କୋର ୧% ହ୍ରାସ ପାଉଛି ।
ଗ୍ରୀଷ୍ମ ଦିନେ ନିମ୍ନମାନର ଭିତ୍ତିଭୂମିରେ ପାଠ ପଢ଼ୁଥିବା ଆଫ୍ରିକୀୟ ଆମେରିକୀୟ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପ୍ରଭାବିତ ହେଉଛି । ତେଣୁ ସ୍କୁଲରେ ବାୟୁ ଚଳାଚଳ ସହ ଏୟାର କଣ୍ଡିସନର ଲଗାଯିବା ଉଚିତ ବୋଲି ରିପୋର୍ଟରେ ମତପ୍ରକାଶ ପାଇଛି । ବ୍ରାଜିଲରେ ବର୍ଦ୍ଧିତ ତାପମାତ୍ରା ଯୋଗୁ ଏଠାକାର ପଛୁଆ ପୌରାଞ୍ଚଳରେ ଥିବା ସ୍କୁଲଗୁଡ଼ିକର ଛାତ୍ରଛାତ୍ରୀଙ୍କ ପାଠପଢ଼ା ବାର୍ଷିକ ୧% ନଷ୍ଟ ହେଉଛି । ପଛୁଆ ଦେଶଗୁଡ଼ିକରେ ଏହାର ପ୍ରଭାବ ତୁଳନାତ୍ମକ ଭାବେ ଅଧିକ ରହିଛି ।
ରିପୋର୍ଟ ଅନୁସାରେ, ୨୦୧୯ରେ ଅତ୍ୟଧିକ ତାପମାତ୍ରାରେ ପ୍ରଭାବିତ ହୋଇଥିବା ୧୦ଟି ପ୍ରମୁଖ ଦେଶ ମଧ୍ୟରୁ ୮ଟି ନିମ୍ନ ଅଥବା ନିମ୍ନ-ମଧ୍ୟମ ଆୟକାରୀ ଦେଶ ଥିଲେ । ବାରମ୍ବାର ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ଦୁର୍ବିପାକ ଯୋଗୁ ଛାତ୍ରଛାତ୍ରୀ ଏବଂ ଶିକ୍ଷକଙ୍କ ଜୀବନ ଯାଉଛି । ଏ କ୍ଷେତ୍ରରେ ସ୍କୁଲ ଶିକ୍ଷା ଉପରେ ସାଙ୍ଘାତିକ ପ୍ରଭାବ ପଡ଼ୁଛି ।
ଜାକର୍ତ୍ତାରେ ୨୦୧୩ରେ ଭୟଙ୍କର ବନ୍ୟା ଯୋଗୁ ସ୍କୁଲଗୁଡ଼ିକୁ ଜରୁରି ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରାଯାଇଥିଲା । ଫଳରେ ସେଠାରେ ପିଲାମାନଙ୍କ ସ୍କୁଲ ପାଠପଢ଼ା ବିପର୍ଯ୍ୟସ୍ତ ହୋଇପଡ଼ିଥିଲା । ବନ୍ୟା ପ୍ରଭାବରେ କିଛି ସ୍କୁଲ ଭାଙ୍ଗିଯିବାରୁ ପାଠପଢ଼ା ଠପ୍ ହୋଇଥିଲା ।