ବଣ୍ଟାସରିଥିଲା ନିମନ୍ତ୍ରଣପତ୍ର, ମାସେ ପରେ ଥିଲା ବାହାଘର ; ନଦୀ ପଠାରୁ ମିଳିଲା ଯୁବ ବ୍ୟବସାୟୀଙ୍କ ମୃତଦେହ

NEWS7
chief-minister-to-visit-stadium-and-review-match-preparations

ବଲାଙ୍ଗିର ୩।୧: ବଣ୍ଟା ସରିଥିଲା ନିମନ୍ତ୍ରଣପତ୍ର । ଚାଲିଥିଲା ବାହାଘର ପ୍ରସ୍ତୁତି । ମାସକ ପରେ ହୋଇଥାନ୍ତା ବାହାଘର । ତା ପୂର୍ବକୁ ତେଲ ନଦୀ କୂଳରୁ ମିଳିଲା ବ୍ୟବସାୟୀଙ୍କ ମୃତଦେହ । ବିବାହ ପୂର୍ବରୁ ବ୍ୟବସାୟୀଙ୍କ ଏଭଳି ସନ୍ଦେହଜନକ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ବଲାଙ୍ଗିର ଜିଲ୍ଲା ତୁଷୁରା ତେଲନଦୀ କୂଳରୁ ଶନିବାର ଉଦ୍ଧାର ହୋଇଥିଲା ଯୁବ ବ୍ୟବସାୟୀଙ୍କ ମୃତଦେହ । ମୃତ ଯୁବକ ଜଣକ ତୁଷୁରା ଥାନା ଦେଓଲଗୁଡିର ଯୁବ ବ୍ୟବସାୟୀ ନଟରାଜ ଥନାପତି ବୋଲି ଜଣାପଡିଛି ।

 

ସୂଚନାଯୋଗ୍ୟ ଯେ, ଶୁକ୍ରବାର ବିଳମ୍ବିତ ରାତିରେ ତୁଷୁରା ପୋଲିସ ପାଟ୍ରେ।ଲିଂ କରୁଥିବା ବେଳେ ତେଲ ନଦୀ ବ୍ରିଜ୍ ଉପରେ ଏକ ବାଇକ୍ ରଖାଯାଇଥିବା ଦେଖିବାକୁ ପାଇଥିଲା । ପରେ ନଦୀକୁ ଦେଖିବା ବେଳକୁ ନଦୀପଠାରେ ଜଣକ ମୃତଦେହ ପଡିଥିବା ଦେଖିଥିଲା ପୋଲିସ । ତେବେ ଯୁବକ ଜଣକ ଦେଓଲଗୁଡିର ବୋଲି ପରିଚୟ ମିଳିବା ପରେ ତୁରନ୍ତ ପରିବାର ଲୋକଙ୍କୁ ଖବର ଦେଇଥିଲା ପୋଲିସ । ତୁଷୁରା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଏହା ହତ୍ୟା ନା ଆତ୍ମହତ୍ୟା ତାକୁ ନେଇ ବଢିଛି ସନ୍ଦେହ

ଖବର ପାଇ ଯୁବକଙ୍କ ପରିବାର ଲୋକ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ । ଘଟଣାସ୍ଥଳରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ଆସନ୍ତା ଫେବୃଆରୀ ମାସ ୫ ତାରିଖରେ ଯୁବକଙ୍କ ବିବାହ ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା । ନିମନ୍ତ୍ରଣପତ୍ର ମଧ୍ୟ ବଣ୍ଟା ଆରମ୍ଭ ହୋଇଯାଇଥିଲା । ବିବାହ ପାଇଁ ସବୁ ପ୍ରସ୍ତୁତି ମଧ୍ୟ ଚାଲିଥିଲା । ଏହି ସମୟରେ କାହିଁକି ଏଭଳି ଘଟଣା ଘଟିଲା ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି । ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ତଦନ୍ତ ପରେ ସନ୍ଦେହଜନକ ମୃତ୍ୟୁ ଉପରୁ ପରଦା ଉଠିବ ।