IND vs PAK ବୟକଟ୍ ସମାପ୍ତ ହେବ କି ନାହିଁ, ନକଭି ଜଣାଇଲେ ଏହି ସମୟରେ ନେବୁ ନିଷ୍ପତ୍ତି

NEWS7
chief-minister-to-visit-stadium-and-review-match-preparations

ନୂଆଦିଲ୍ଲୀ: ଚଳିତ ଟି-୨୦ ବିଶ୍ଵକପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଫେବୃଆରୀ ୧୫ରେ ବହୁପ୍ରତୀକ୍ଷିତ ମ୍ୟାଚ୍ ଖେଳାଯିବ କି ନାହିଁ ତାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି। ତେବେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଚିତ୍ର ସ୍ପଷ୍ଟ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ପାକିସ୍ତାନ କ୍ରିକେଟ୍ ବୋର୍ଡ(ପିସିବି)ର ପ୍ରମୁଖ ମୋହସିନ ନକଭି ସୋମବାର କହିଛନ୍ତି ଯେ, ଭାରତ ବିପକ୍ଷ ମ୍ୟାଚ୍ ବହିଷ୍କାର ନିଷ୍ପତ୍ତି ଉପରେ ଅନ୍ତିମ ନିଷ୍ପତ୍ତି ଆସନ୍ତା ୨୪ ଘଣ୍ଟା ଭିତରେ ନିଆଯିବ। ସେ କହିଛନ୍ତି, ବାଂଲାଦେଶ କ୍ରିକେଟ୍ ବୋର୍ଡ(ବିସିବି)ର ଅଧ୍ୟକ୍ଷ ଅମିନୁଲ ଇସଲାମ ବୁଲବୁଲଙ୍କ ସହିତ ଆଇସିସି ଲଗାତାର ଆଲୋଚନା ଚଳାଇଛି। ଲାହୋରରେ ଏକ ସାମ୍ବାଦିକ ସମ୍ମିଳନୀରେ ନକଭି କହିଛନ୍ତି ଯେ, ପିସିବି ଆଇସିସି ଓ ବାଂଲାଦେଶ କ୍ରିକେଟ୍ ବୋର୍ଡଠୁ କିଛି ପ୍ରସଙ୍ଗ ଉପରେ ଜବାବକୁ ଅପେକ୍ଷା କରିଛି।

ନକଭି କହିଛନ୍ତି, ବର୍ତ୍ତମାନ କିଛି ଟିପ୍ପଣୀ କରିବା ମୋ ପକ୍ଷେ ଠିକ୍ ହେବନି। ଆଇସିସି ଓ ବିସିବିଠୁ ଉତ୍ତର ମିଳିବା ପରେ ଆମେ ନିଷ୍ପତ୍ତି ନେବୁ। ଆମକୁ ଆଇସିସିର ଉତ୍ତର ମିଳିବା ପରେ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ପରାମର୍ଶ ପୁଣି ଲୋଡ଼ିବୁ। ଆଗାମୀ ୨୪ ଘଣ୍ଟା ଭିତରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଆମେ ଅତିଥିଙ୍କ ସମ୍ମାନ କରିଥାଉ ଏବଂ ଆଇସିସି ଆମ ଘରକୁ ଆସିଥିବାରୁ ଆମେ ପୂରା ସମ୍ମାନ ଦେଇଛୁ। ବର୍ତ୍ତମାନ ମୁଁ ଅଧିକ କିଛି କହି ପାରିବି ନାହିଁ। କାରଣ ଆଇସିସି ଓ ବାଂଲାଦେଶ ମଧ୍ୟରେ ଆଲୋଚନା ଜାରି ରହିଛି। ବାଂଲାଦେଶ ଠିକ୍ ଥିବାରୁ ଆମେ ତାଙ୍କର ସମର୍ଥନ କରିଛୁ।

ପ୍ରଧାନମନ୍ତ୍ରୀ ସରିଫଙ୍କୁ ସୂଚନା ଦେବ ନକଭି

ସୂତ୍ର ମୁତାବକ, ନକଭି ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କୁ ବାଂଲାଦେଶ, ଶ୍ରୀଲଙ୍କା ଓ ୟୁଏଇ ତଥା ଆଇସିସି ସହ ହୋଇଥିବା ଆଲୋଚନା ବିଷୟରେ ଅବଗତ କରାଇବେ। ସଂପ୍ରତି ସଙ୍କଟ ବିଷୟରେ ଆଲୋଚନା କରିବେ। ଖ୍ଵାଜାଙ୍କ ସହ ଆଲୋଚନା ବେଳେ ନକଭି ଅନେକ ପ୍ରସଙ୍ଗ ଉଠାଇଛନ୍ତି। ଏଥିରେ ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ଵିପାକ୍ଷିକ ସିରିଜ୍, ବାଂଲାଦେଶକୁ ନେଇ ତ୍ରିରାଷ୍ଟ୍ରୀୟ ସିରିଜ୍ ଆୟୋଜନ ସାମିଲ୍। ଯଦ୍ଵାରା ବିଶ୍ଵକପରୁ ବାହାର ହେବାରୁ ବାଂଲାଦେଶ କ୍ରିକେଟ୍ ବୋର୍ଡକୁ ହୋଇଥିବା କ୍ଷତିର ଭରଣା କରାଯାଇ ପାରିବ।