ବ୍ରହ୍ମପୁର ୪।୬: ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି । ଗସ୍ତର ପ୍ରଥମେ ରମ୍ଭା ଉଚ୍ଚ ବିଦ୍ୟାଳୟ ଠାରେ ସ୍ଥାପିତ ୪୧ ବରପୁତ୍ର ମାନଙ୍କର ପ୍ରତିମୂର୍ତ୍ତି ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ଛତ୍ରପୁର ଗସ୍ତ କରି ଛତ୍ରପୁର ଖେଳ ପଡିଆ ଠାରେ ଜିଲ୍ଲାରେ ହେବାକୁ ଥିବା ୮ ଗୋଟି ଶିଳ୍ପ ଅନୁଷ୍ଠାନର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ପରେ ଟାଟା ଏସିଜେଡ ପ୍ରକଳ୍ପ ଅନ୍ତର୍ଗତ ବିଭିନ୍ନ ଶିଳ୍ପ ଅନୁଷ୍ଠାନ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଗସ୍ତର ଶେଷରେ ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଠାରେ ଅନୁଷ୍ଠିତ ହେଉଥିବା ମା’ ତାରାଦେବୀଙ୍କ ଯାତ୍ରାରେ ଯୋଗ ଦେଇ ମା’ଙ୍କ ଦର୍ଶନ କରି ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଥିବା ଜିଲ୍ଲା ସୂଚନା ଅଧିକାରୀ ଜଣାଇଛନ୍ତି । ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ପୋଲିସ କଡାକଡି ପଦକ୍ଷେପ ଗ୍ରହଣ କରିଛି । ଜିଲ୍ଲାରେ ଶିଳ୍ପର ଅଭିବୃଦ୍ଧି ପାଇଁ ବାଟ ଫିଟିଛି । ଶିଳ୍ପର ଅଭିବୃଦ୍ଧି ସାଙ୍ଗକୁ ଜିଲ୍ଲାର ଅର୍ଥନୈତିକ ବିକାଶ ହେବ । ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ପୂରଣ ହେବାକୁ ଯାଉଛି । ଗୁରୁବାର ତାହା ପ୍ରତିଫଳନ ହେବ ବୋଲି ପରିବହନ ଓ ବାଣିଜ୍ୟ ମନ୍ତ୍ରୀ ବିଭୁତି ଭୂଷଣ ଜେନା କହିଛନ୍ତି । କେବଳ ସେତିକି ନୁହେଁ, ଜିଲ୍ଲାରେ ନିଯୁକ୍ତି ସୃଷ୍ଟି ହେବ, ଗଞ୍ଜାମ ଜିଲ୍ଲାରେ ବେକାରୀ ସମସ୍ୟା କମିବ, ନିଜ ଜିଲ୍ଲାର ପିଲା କର୍ମ ନିଯୁକ୍ତି ପାଇବେ, ଦାଦନ ସଂଖ୍ୟା କମିବ, ଏଥିପାଇଁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ।
ସେପଟେ ବହୁ ବର୍ଷର ଅପେକ୍ଷା ପରେ ୪୧ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚନ ହେବାକୁ ଯାଉଥିବାରୁ ବହୁତ ଖୁସି ବୋଲି ରମ୍ଭା ଅଞ୍ଚଳର ପୂଜ୍ୟପୂଜା ସମିତି ପକ୍ଷରୁ କୁହାଯାଇଛି ।
You Can Read:
ବିସ୍ଫୋରକ ଲୁଟି ନେଇଥିଲେ ମାଓବାଦୀ, ଲୁଟ୍ ହୋଇଥିବା ୫ ଟନ୍ ବିସ୍ଫୋରକରୁ ମିଳିଛି ୩.୮ ଟନ୍