ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଜ୍ୟର ସାମଗ୍ରିକ ବିକାଶ ଉପରେ କଲେ ଆଲୋଚନା

Published By : Prameya-News7 Bureau | May 24, 2025 IST

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇ କହିଛନ୍ତି, ରାଜ୍ୟର ସାମଗ୍ରିକ ବିକାଶ ନେଇ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି। ଓଡ଼ିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀଙ୍କର ଅତୁଟ ସମର୍ଥନ ରହିଛି। ବିକଶିତ ଓଡ଼ିଶା, ବିକଶିତ ଭାରତ ଲକ୍ଷ୍ୟ ହାସଲ ପାଇଁ କେନ୍ଦ୍ର- ରାଜ୍ୟ ମିଳିତ କାର୍ଯ୍ୟ କରିବେ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।




ଏହା ପୂର୍ବରୁ ମୋହନ ମାଝୀ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡାଙ୍କୁ ମଧ୍ୟ ଭେଟି ଓଡ଼ିଶାର ସାର୍ବଜନୀନ ସ୍ବାସ୍ଥ୍ୟ ସେବା ଉପରେ ଆଲୋଚନା କରିଛନ୍ତି। ଏହା ସହ ଦୁର୍ଗମ ଅଞ୍ଚଳରେ ଉନ୍ନତ ମେଡିକାଲ ଭିତ୍ତିଭୂମି ଏବଂ ଡାକ୍ତରୀ ଶିକ୍ଷାରେ କେନ୍ଦ୍ରର ସହଯୋଗ ଉପରେ ମଧ୍ୟ ଆଲୋଚନା କରିଛନ୍ତି। 




ସୂଚନାଥାଉକି, ଦିଲ୍ଲୀ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ନିତି ଆୟୋଗ ବୈଠକରେ ଯୋଗଦେବା ସହ ଓଡ଼ିଶା ବିକାଶର ଭିଜନ୍‌ ୨୦୪୭ ରଖିଛନ୍ତି। ମୁଖ୍ୟମନ୍ତ୍ରୀ ବୈଠକରେ କହିଚନ୍ତି ଜୁନ ୧୨ରେ ଓଡ଼ିଶା ସରକାର ଆଣିବେ ଭିଜନ ଡକ୍ୟୁମେଣ୍ଟ। ବିକଶିତ ଭାରତ ପାଇଁ ବିକଶିତ ଓଡ଼ିଶା କିଭଳି ରୂପ ନେବ ସେନେଇ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ । 

ବିଶ୍ବସ୍ତରୀୟ ରାସ୍ତା , ରେଳ ପ୍ରକଳ୍ପ, ଏୟାର କନେକ୍ଟିଭିଟି ସାଙ୍ଗକୁ ସ୍ବତନ୍ତ୍ର ଅର୍ଥନୈତିକ ଜୋନ ଆଦି ବ୍ୟବସ୍ଥା କିଭିଳି ଓଡ଼ିଶାର ଗ୍ରୋଥ ଇଞ୍ଜିନ ବନିବ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ତା ଉପରେ ଫୋକସ ଜାରି ରଖିଛନ୍ତି ରାଜ୍ୟ ସରକାର। ଟେକ୍ସଟାଇଲ, ଗାରମେଣ୍ଟ ଓ ଫୁଡ ପ୍ରୋସେସିଂ ଭଳି ଶିଳ୍ପ ଉପରେ ସରକାର ପ୍ରଧାନ୍ୟ ଦେଉଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ୨୦୩୬ ସୁଦ୍ଧା ଓଡ଼ିଶାକୁ ୫୦୦ ବିଲିୟନ ଡଲାର ଅର୍ଥନୀତି କରିବାକୁ ଲକ୍ଷ୍ୟ ରହିଛି ଏବଂ ୨୦୪୭ ବେଳକୁ ଓଡ଼ିଶା ୧.୫ ଟ୍ରିଲିୟନ ଅର୍ଥନୀତିରେ ପହଞ୍ଚିବ। ଏଥିପାଇଁ ଡବଲ ଇଞ୍ଜିନ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ  ଏବଂ କହିଛନ୍ତି ଡବଲ ଇଞ୍ଜିନ ସରକାର ପାଇଁ ଦେଶର ଆର୍ଥିକ ଅଭିବୃଦ୍ଧି ୬.୫ ଥିବାବେଳେ ଓଡିଶାର ଆର୍ଥିକ ଅଭିବୃଦ୍ଧି ହାର ୭.୨ ରହିଛି।ରେଳ କ୍ଷେତ୍ରରେ ୭୩ହଜାର କୋଟିର ନିବେଶ ଏବଂ ଜାତୀୟ ରାଜପଥ ପାଇଁ ୨୨ହଜାର କୋଟି ଟଙ୍କାର ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ପ୍ରଧାନ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଏହା ସହ ଗତ ୧ବର୍ଷ ଭିତରେ ସରକାରଙ୍କ ସଫଳତା ଉପରେ ଆଲୋକପାତ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟରେ ବିଜେପି ସରକାର ନାଗରିକ କେନ୍ଦ୍ରୀକ ନୀତି ଆପଣାଇଛନ୍ତି। ଯାହାକି ଏକ ପ୍ରତିବଦ୍ଧତା। ଆଗାମୀ ୫ବର୍ଷରେ ଦେଢ଼ ଲକ୍ଷ ଖାଲି ପଡ଼ିଥିବା ପଦବୀ ପୂରଣ ହେବ। ସରକାରୀ ଖର୍ଚ୍ଚର ଗୁଣବତ୍ତା ରକ୍ଷା କରିବା ସହ ଆର୍ଥିକ ଶୃଙ୍ଖଳା ପ୍ରଦର୍ଶନ କରିଛନ୍ତି ସରକାର। ସୁଭଦ୍ରା ଯୋଜନାରେ ୧କୋଟି ମହିଳାଙ୍କ ପାଖରେ ୧୦ ହଜାର କୋଟି ଟଙ୍କା ପହଞ୍ଚାଯାଇଛି। ଯେଉଁଥିରେ ୧୬ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି ହୋଇଛନ୍ତି।  ୨୦୩୬ ସୁଦ୍ଧା ୪୦ପ୍ରତିଶତ ସହାରକରଣ ଏବଂ ୨୦୪୭ ୬୦ ପ୍ରତିଶତ ସହାରକରଣ କରିବା ପାଇଁ ସରକାର ପ୍ରତିଶୃତି ବଦ୍ଧ।ତେଣୁ ଓଡିଶା ଏବେ ବିକାଶ ରାସଦ୍ତାରେ ଆଗକୁ ବଢ଼ୁଛି। ଏବେ ଓଡିଶା ପାଇଁ ପ୍ରକୃଷ୍ଠ ସମୟ ଆସିଛି। ଏଥିପାଇଁ  ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.