ଭୁବନେଶ୍ୱର ୨୨।୭: ଦୁର୍ନୀତି ବିରୁଦ୍ଧରେ କଡା ଆଭିମୁଖ୍ୟ ଜାରି ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଯାଜପୁର ଜିଲ୍ଲା ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ପୂର୍ବତନ ମେଡିକାଲ ଅଫିସର ଡାକ୍ତର କରୁଣାକର ରାଉତଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି ମୁଖ୍ୟମନ୍ତ୍ରୀ । ଡାକ୍ତର କରୁଣାକର ରାଉତ ବର୍ତ୍ତମାନ ଭଦ୍ରକ ଜିଲ୍ଲା ସଦର ମହକୁମା ହସ୍ପିଟାଲର ମାନସିକ ସ୍ୱାସ୍ଥ୍ୟ ଏବଂ କ୍ୟାନସର ବିଭାଗର ବରିଷ୍ଠ ମେଡିକାଲ ଅଫିସର ଭାବେ କାର୍ଯ୍ୟ କରୁଛନ୍ତି ।
ଡାକ୍ତର କରୁଣାକର ରାଉତଙ୍କ ନାମରେ କଟକ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ କେସ୍ ରୁଜୁ ହୋଇଥିଲା । ଡାକ୍ତର ରାଉତଙ୍କ ନାମରେ ମଧ୍ୟ ଡିପାର୍ଟମେଣ୍ଟାଲ ପ୍ରୋସିଡିଙ୍ଗ କରାଯାଇଥିଲା । ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯିବା ସହିତ ଅନ୍ୟାନ୍ୟ ଦଣ୍ଡବିଧାନ ମଧ୍ୟ କରାଯାଇଥିଲା । ଭିଜିଲାନ୍ସ କୋର୍ଟ ପକ୍ଷରୁ ରାୟ ପ୍ରକାଶ ପାଇ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି ।
ସୂଚନାଯୋଗ୍ୟ ଯେ, ଦୁର୍ନୀତି ବିରୁଦ୍ଧରେ ଶୂନ୍ୟସହନଶୀଳତା ନୀତି ଅବଲମ୍ବନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଆସିଛନ୍ତି । କୌଣସି ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଛଡା ଯିବନାହିଁ ବୋଲି ମୁଖ୍ୟମନ୍ତ୍ରୀ ଅନେକ ସମୟରେ କହି ଆସିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ କଡା ଆଭିମୁଖ୍ୟ ଗ୍ରହଣ କରାଯାଇ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଉଚ୍ଚ ପଦସ୍ଥ ଅଧିକାରୀ ଓ କର୍ମଚାରୀଙ୍କ ଉପରେ ଦୁର୍ନୀତି ଅଭିଯୋଗରେ ଚଢ଼ାଉ କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି ।
You Can Read:
FM କଲେଜରେ ଷଷ୍ଠ ଦିନରେ କ୍ରାଇମବ୍ରାଞ୍ଚର ତନାଘନା, ଘଟଣାରେ ଏକାଧିକ ସାମିଲ ଥିବା ମିଳିଛି ସୁରାକ