ଚେନ୍ନାଇ: ଚେପକରେ ପୁଣି ଆଣ୍ଠେଇଲା ଚେନ୍ନାଇ ସୁପର କିଙ୍ଗସ । ସନ୍ ରାଇଜର୍ସ ହାଇଦ୍ରାବାଦ ବୋଲରଙ୍କ ସାମ୍ନାରେ ଆତ୍ମସମର୍ପଣ କଲେ ସିଏସକେ ବ୍ୟାଟର । ହର୍ଷିତ୍ ପଟେଲଙ୍କ ସୁଇଙ୍ଗରେ ଭୁଶୁଡ଼ି ପଡ଼ିଲା ବ୍ୟାଟିଂ ଲାଇନ୍ । ଚେନ୍ନାଇର ଡିଓ୍ବେଲ୍ଡ ବ୍ରେଭିସଙ୍କୁ ଛାଡ଼ି କୌଣସି ବ୍ୟାଟର ଅଧିକ ସମୟ ପିଚ୍ରେ ରହିପାରିନଥିଲେ । ବ୍ରେଭିସ୍ ମାତ୍ର ୨୫ଟି ବଲ୍ରୁ ୪୨ ରନ୍ ସଂଗ୍ରହ କରିଛନ୍ତି । ତେବେ ଦଳ ୧୯.୫ ଓଭରରେ ସମସ୍ତ ଓ୍ବିକେଟ୍ ହରାଇ ୧୫୪ ରନ୍ କରିବାରେ ସକ୍ଷମ ହୋଇଛି । ଫଳରେ ସନ୍ ରାଇଜର୍ସ ହାଇଦ୍ରାବାଦ ସାମ୍ନାରେ ୧୫୫ ରନର ବିଜୟ ଲକ୍ଷ୍ୟ ରହିଛି ।
ଆଇପିଏଲର ୪୩ ତମ ମୁକାବିଲା ଚେନ୍ନାଇ ସୁପର କିଙ୍ଗସ୍ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟ ଜାରି ରହିଛି । ଚେନ୍ନାଇର ଏମ୍ ଚିଦାମ୍ବରମ୍ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯାଉଛି । ଟସ୍ ଜିତି ପ୍ରଥମ ବୋଲିଂ ନିଷ୍ପତ୍ତି ନେଇଥିଲା ଏସଆରଏଚ । ଫଳରେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲେ ସିଏସକେର ଦୁଇ ଓପନର ସାଇକ୍ ରସିଦ୍ ଏବଂ ଆୟୂଷ ମାତ୍ରେ । ପ୍ରଥମ ବଲ୍ରେ ମହମ୍ମଦ ସାମିଙ୍କ ଶିକାର ହୋଇଥିଲେ ରସିଦ୍ । ଦ୍ବିତୀୟ ଓ୍ବିକେଟରେ ସାମ୍ କରନ ଆଉଟ୍ ହୋଇଥିଲେ । ହେଲେ ଆୟୂଷ ମାତ୍ରେ ଗୋଟିଏପଟେ ଛିଡ଼ା ହୋଇଥିଲେ । ସେ ୧୯ଟି ବଲରୁ ୩୦ ରନ୍ର ଇନିଂସ ଖେଳି ପାଟ୍ କମିନ୍ସଙ୍କ ଶିକାର ହୋଇଥିଲେ । ଏହା ପରେ ରବିନ୍ଦ୍ର ଜାଡେଜା ଓ ଡିଓ୍ବେଲ୍ଡ ବ୍ରେଭିସଙ୍କ ମଧ୍ୟରେ ଏକ ଛୋଟ ପାର୍ଟନରସିପ୍ ହୋଇଥିଲା । ଜାଡେଜା ୨୧ ରନ୍ କରି ଆଉଟ୍ ହୋଇଥିଲେ । ବ୍ରେଭିସ ୨୫ଟି ବଲ୍ରୁ ୪୨ ରନ୍ ସଂଗ୍ରହ କରିଥିଲେ । ବ୍ରେଭିସ୍ ଆଉଟ୍ ହେବା ପରେ ଶିବମ୍ ଦୁବେ ଓ ଦୀପକ ହୁଡ଼ା ଦଳ ପାଇଁ କିଛି ଖାସ୍ କରିପାରିନଥିଲେ । ଏହାପରେ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ପଡ଼ିଆକୁ ଓହ୍ଲାଇ ମାତ୍ର ୬ଟି ବଲ୍ ଖେଳି ୧୦ ରନ୍ କରି ଆଉଟ୍ ହୋଇଥିଲେ । ଫଳରେ ଦଳ ୧୯.୫ ଓଭରରେ ଦଳ ଅଲଆଉଟ୍ ହୋଇଥିଲା । ହାଇଦ୍ରାବାଦ ପକ୍ଷରୁ ହର୍ଷଲ ପଟେଲ ସର୍ବାଧିକ ୪ଟି ୱିକେଟ ନେଇଛନ୍ତି ।