ରୁଷରୁ ତେଲ କିଣିବ ନାହିଁ ଭାରତ... ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓଙ୍କ ଦାବି

NEWS7
chennai-man-jumped-from-10th-floor-know-why

ନୂଆଦିଲ୍ଲୀ: ଆମେରିକା ଏବଂ ଭାରତ ମଧ୍ୟରେ ବାଣିଜ୍ୟ ଚୁକ୍ତି ହେବା ପରଠାରୁ, ଭାରତ ରୁଷଠାରୁ ତେଲ କିଣିବ କି ନାହିଁ, ତାକୁ ନେଇ ଅନେକ କଳ୍ପନାଜଳ୍ପନା ଚାଲିଛି। ଏହି ସମୟରେ, ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ବଡ଼ ମନ୍ତବ୍ୟ ଦେଇଛନ୍ତି । ଭାରତ ରୁଷରୁ ତେଲ କିଣିବା ବନ୍ଦ କରିବା ନେଇ ନିଜର ମନ୍ତବ୍ୟକୁ ଦୋହାରାଇଛନ୍ତି ରୁବିଓ । ସେ କହିଛନ୍ତି ଯେ, ଭାରତ ରୁଷ ଠାରୁ ତେଲ କ୍ରୟ କରିବ ନାହିଁ ବୋଲି ୱାଶିଂଟନକୁ ଆଶ୍ୱାସନା ଦେଇଛି ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫେବୃଆରୀ ଆରମ୍ଭରେ ନୂଆଦିଲ୍ଲୀ ସହିତ ଏକ ବାଣିଜ୍ୟ ଚୁକ୍ତି ଘୋଷଣା କରିବା ସମୟରେ ଦାବି କରିଥିଲେ ଯେ, ଭାରତ ରୁଷରୁ ଅଶୋଧିତ ତେଲ ନକିଣିବାକୁ ରାଜି ହୋଇଛି। ସେବେଠାରୁ ଆମେରିକା ବାରମ୍ବାର ଦାବି କରିଆସୁଛି ଯେ, ଭାରତ ରୁଷରୁ ତେଲ କିଣିବା ବନ୍ଦ କରିବ।

ଶନିବାର (୧୪ ଫେବୃଆରୀ) ଜର୍ମାନୀରେ ଅନୁଷ୍ଠିତ ମ୍ୟୁନିଚ୍ ସୁରକ୍ଷା ସମ୍ମିଳନୀରେ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ କହିଛନ୍ତି, ‘ଭାରତ ସହିତ ଆଲୋଚନାରେ ଆମେ ଜାଣିବାକୁ ପାଇଛୁ, ରୁଷରୁ ଭାରତ ତେଲ କିଣିବା ବନ୍ଦ କରିବାକୁ ପ୍ରତିଶ୍ରୁତି ଦେଇଛି।’ ରୁଷ-ୟୁକ୍ରେନ ଯୁଦ୍ଧ ଏବଂ ମସ୍କୋ ଉପରେ ଲାଗୁ ହୋଇଥିବା ପ୍ରତିବନ୍ଧକ ସମ୍ପର୍କରେ ଏକ ପ୍ରଶ୍ନର ଉତ୍ତର ଦେଇ ରୁବିଓ ଏହି କଥା କହିଛନ୍ତି।

ବୈଦେଶିକ ସଚିବ ବିକ୍ରମ ମିଶ୍ରି କହିଥିଲେ ଯେ, ଶକ୍ତି ପ୍ରବାହରେ ସ୍ଥିରତା ସୁନିଶ୍ଚିତ କରିବା ପାଇଁ ଯୋଗାଣର ବହୁବିଧ ଉତ୍ସକୁ ବଜାୟ ରଖିବ ଭାରତ । ଭାରତ ସରକାର କହିଥିଲେ ଯେ, ଏହା ଅଶୋଧିତ ତୈଳ କ୍ରୟ ପାଇଁ ବହୁବିଧ ଉତ୍ସକୁ ବଜାୟ ରଖିବ ଏବଂ ଯୋଗାଣ ଶୃଙ୍ଖଳାରେ ସ୍ଥିରତା ସୁନିଶ୍ଚିତ କରିବା ପାଇଁ ଜାତୀୟ ସ୍ୱାର୍ଥକୁ ପ୍ରାଧାନ୍ୟ ଦିଆଯିବ ।