ନୂଆଦିଲ୍ଲୀ: ଆମେରିକାର ନ୍ୟୁୟର୍କର ଏକ କୋର୍ଟ ୧୦୦ ବର୍ଷ ପୁରୁଣା ଆଇନକୁ ରଦ୍ଦ କରିଛନ୍ତି । କୋର୍ଟଙ୍କ ନିଷ୍ପତ୍ତି ପରେ ଏଣିକି ଏଠାରେ ଜୀବନସାଥୀଙ୍କୁ ଧୋକା ଦେବା ଅପରାଧ ହେବ ନାହିଁ । ଗଭର୍ଣ୍ଣର କ୍ୟାଥି ହୋଚୁଲ ୧୯୦୭ ମସିହା ଲାଗୁ ହୋଇଥିବା ଏହି ଆଇନକୁ ରଦ୍ଦ କରୁଥିବା ଏକ ବିଧେୟକ ଉପରେ ହସ୍ତାକ୍ଷର କରିଛନ୍ତି । ଅଡଲ୍ଟ୍ରି ଅର୍ଥାତ୍ ନିଜ ସାଥୀଙ୍କ ବ୍ୟତୀତ ଅନ୍ୟ କାହା ସହ ସମ୍ପର୍କ ସ୍ଥାପନକୁ ଅପରାଧ ଶ୍ରେଣୀରେ ରଖାଯିବ ନା ନାହିଁ ତାହା ଉପରେ ଅନେକ ବର୍ଷରୁ ଏଠାରେ ବିତର୍କ ଜାରି ରହିଥିଲା । ଆମେରିକାର ଅନେକ ରାଜ୍ୟରେ ଅଡଲ୍ଟ୍ରି ଉପରେ ପ୍ରତିବନ୍ଧକ ପାଇଁ କଡ଼ା ଆଇନ ରହିଛି । ସ୍ୱାମୀ କିମ୍ୱା ସ୍ତ୍ରୀ ଧୋକା ଦେଉଥିବା ପ୍ରମାଣ ହିଁ ଆଇନ ଅନୁସାରେ ଛାଡ଼ପତ୍ରର ଏକ ମାତ୍ର ମାର୍ଗ ଥିବା ବେଳେ ଏହି ଆଇନ ଲାଗୁ କରାଯାଇଥିଲା । ଦେଶରେ ଛାଡ଼ପତ୍ର ମାମଲା ହ୍ରାସ କରିବା ଏହି ଆଇନର ଉଦ୍ଦେଶ୍ୟ ଥିଲା । କିଛି ରାଜ୍ୟରେ ବିଗତ ବର୍ଷରେ ଏପରି ଆଇନକୁ ଶେଷ କରିବା ପାଇଁ ପଦକ୍ଷେପ ନିଆଯାଇଛି ।
ବିଧେୟକକୁ ମଞ୍ଜୁରି ଦେଇ ଗଭର୍ଣ୍ଣର କହିଛନ୍ତି, 'ମୁଁ ମୋ ସ୍ୱାମୀଙ୍କ ସହ ୪୦ ବର୍ଷ ଧରି ଏକ ଭଲ ବୈବାହିକ ଜୀବନ ବଞ୍ଚିବାର ସୌଭାଗ୍ୟ ପାଇଛି । ତେଣୁ ଅଡଲ୍ଟ୍ରିକୁ ଅପରାଧ ମୁକ୍ତ କରିବା ବିଧେୟକ ଉପରେ ହସ୍ତାକ୍ଷର କରିବା ମୋ ପାଇଁ ବିଡ଼ମ୍ୱନାର ବିଷୟ । ମୁଁ ଜାଣେ ଲୋକଙ୍କ ମଧ୍ୟରେ ଅଧିକାଂଶ ସମୟରେ ସମ୍ପର୍କ ଜଟିଳ ରହିଥାଏ ।' ସେ କହିଛନ୍ତି, 'ଏହି ମାମଲାଗୁଡିକ ନ୍ୟାୟ ପ୍ରଣାଳୀ ପରିବର୍ତ୍ତେ ପରସ୍ପର ମଧ୍ୟରେ ସମାଧାନ କରାଯିବା ଦରକାର । ଏହି ଅଦରକାରୀ ଏବଂ ପୁରୁଣା ଆଇନକୁ ସବୁ ଦିନ ପାଇଁ ଶେଷ କରିବାର ସମୟ ଆସିଛି ।'
ନ୍ୟୁୟର୍କରେ ଅଡଲ୍ଟ୍ରିର ପରିଭାଷା ଅନୁସାରେ କୌଣସି ବ୍ୟକ୍ତିଙ୍କ ଜୀବନ ସାଥୀ ଜୀବିତ ଥିବା ସମୟରେ ଅନ୍ୟ କାହା ସହ ଯୌନ ସମ୍ପର୍କ ସ୍ଥାପନ କଲେ ଏହାକୁ ଧୋକା କୁହାଯାଏ । ନ୍ୟୁୟର୍କ ଟାଇମ୍ସର ଏକ ଆଲେଖ୍ୟ ଅନୁସାରେ ଏହି ଆଇକୁ ଅନେକ ଥର ବ୍ୟବହାର କରାଯାଇଛି ଯେଉଁଥିରେ ତିନି ବର୍ଷ ଯାଏ ଦଣ୍ଡ ପ୍ରଦାନ କରାଯାଇଛି । ବିଲ୍ ଆଣିଥିବା ବିଧାନସଭା ସାଂସଦ ଚାର୍ଲ୍ସ ଲେଭିନ୍ କହିଛନ୍ତି ଯେ ୧୯୭୦ ଦଶନ୍ଧି ପରେ ଏହି ଆଇନ ଅଧିନରେ ପ୍ରାୟ ଏକ ଡଜନରୁ ଅଧିକ ଲୋକଙ୍କ ବିରୋଧରେ ମାମଲା ଆସିଛି, ସେଥିରୁ କେବଳ ୫ ମାମଲାରେ ହିଁ ଦୋଷ ପ୍ରମାଣିତ ହୋଇଛି । ସେ କହିଛନ୍ତି, ଆଇନ ଆମ ରକ୍ଷା ଏବଂ ସାମାଜିକ ବ୍ୟବହାରକୁ ରୋକିବା ପାଇଁ ହୋଇଥାଏ । କିନ୍ତୁ ଏହି ଆଇନ କୌଣସି ଉଦ୍ଦେଶ୍ୟକୁ ପୂରଣ କରୁ ନାହିଁ ।