ବଡ଼ବିଲ: ପବିତ୍ର ବାହୁଡ଼ା ଯାତ୍ରାରେ ଏକ ଅଭାବନୀୟ ଘଟଣା। ଖାଲ, କାଦୁଅ ପଚପଚ ରାସ୍ତାରେ ଭାଙ୍ଗିଗଲା ରଥଚକ। ଅଟକିଗଲେ ଶ୍ରୀଜିଉ। ଏଭଳି ପରିସ୍ଥିତିରେ ଭକ୍ତ ନିଜ କାନ୍ଧରେ ଶ୍ରୀଜିଉ ମାନଙ୍କୁ କାନ୍ଧେଇ ମନ୍ଦିର ପର୍ଯ୍ୟନ୍ତ ନେଇଛନ୍ତି। ଏହି ଦୃଶ୍ୟ ଆସିଛି କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ୍ ବଡ଼ କାଳିମାଟି ପଞ୍ଚାୟତରୁ।
ବାରମ୍ବାର ଦାବି ସତ୍ତ୍ୱେ ଦୀର୍ଘ ଦିନ ଧରି ରାସ୍ତା ମରାମତି ହୋଇନଥିଲା। ଶେଷରେ ବାଧ୍ୟ ହୋଇ କାଦୁଅ ପଚପଚ ଆଁଠୁଏ ଖାଲ ରାସ୍ତାରେ ରଥଯାତ୍ରା ଅନୁଷ୍ଠିତ ହେଉଥିଲା । ଗୁଣ୍ଡିଚା ଯାତ୍ରା ଦିନ ଏହି ରାସ୍ତାରେ ରଥ ଟଣା ସମୟରେ ରଥର ୬ଟି ଚକା ମଧ୍ୟରୁ ୨ଟି ଚକ ଭାଙ୍ଗି ଯାଇଥିଲା, ଫଳରେ ୪ଟି ଚକରେ ଯେ କୌଣସିମତେ ରଥ ଗଡିଥିଲା । ହେଲେବାହୁଡା ଯାତ୍ରାରେ ଅଭାବନୀୟ ପରିସ୍ଥିତି ଉପୁଜିଥିଲା। କାଦୁଅ ଖାଲରେ ଫସି ଯିବାରୁ ରଥର ଆଉ ୨ଟି ଚକ ଭାଙ୍ଗିଯାଇଥିଲା, ଏମିତିରେ ରଥ ଆଉ ଆଗକୁ ଗଡିବା ସମ୍ଭବ ହୋଇ ପାରି ନଥିଲା।
ଶେଷରେ ଭାବ ବିହ୍ବଳ ହୋଇ ଚତୁର୍ଦ୍ଧାମୂର୍ତ୍ତିଙ୍କୁ କାନ୍ଧରେ ନିଜ କାନ୍ଧରେ ବୋହି ବର୍ଷାରେ ଭିଜି ଭିଜି ମନ୍ଦିର ପର୍ଯ୍ୟନ୍ତ ନେଇଥିଲେ ଭକ୍ତ । ଏହି ଘଟଣା ପରେ ଭକ୍ତଙ୍କ ମନରେ ଗଭୀର ଆଘାତ ଲାଗିଛି । କାଳିମାଟିରୁ ଦୁବୁନା ଯାଇଥିବା ଗ୍ରାମ୍ୟ ରାସ୍ତା ଦୀର୍ଘ ଦିନରୁ ମରାମତି ଅଭାବରୁ ଗାଡି ମୋଟର ଯାତାୟତ ଅନୁପଯୋଗୀ ହୋଇପଡିଛି । ଏଥିରେ ୨ଟି ଘରୋଇ ଖଣି ଓ କାରଖାନା କମ୍ପାନୀକୁ ଅନବରତ ଭାବେ ଲୁହାପଥର ପରିବହନ ହେବା ଯୋଗୁଁ ୪ଚକିଆ ତ ଦୂରର କଥା ୨ ଚକିଆ ଯାନଟିଏ ଯିବା ମଧ୍ୟ କଷ୍ଟସାଧ୍ୟ ହୋଇପଡିଛି । ଯାହା ଫଳରେ ଆଜି ରଥ ଚକ ଭାଙ୍ଗି ମହାପ୍ରଭୁଙ୍କର ଯାତ୍ରାରେ ବିଘ୍ନ ଘଟିଥିବା ଶ୍ରଦ୍ଧାଳୁମାନେ ଅଭିଯୋଗ କରିଛନ୍ତି ।