ପୁରୀ ୦୩/୦୭: ଜନ୍ମବେଦୀରେ ସରିଆସୁଛି ମହାପ୍ରଭୁଙ୍କ ଲୀଳାଖେଳା । ଆଉ ଦିନକ ପରେ ବାହୁଡା ଯାତ୍ରା । ଏଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ଆଜି ଦକ୍ଷିଣ ମୋଡ଼ ନେଲା ମହାପ୍ରଭୁଙ୍କ ନନ୍ଦିଘୋଷ ରଥ । ଗତକାଲି ତାଳଧ୍ବଜ ଓ ଦର୍ପଦଳନ ରଥର ଦକ୍ଷିଣ ମୋଡ଼ ହୋଇଥିଲା । ଆଜି ନନ୍ଦିଘୋଷ ରଥର ଦକ୍ଷିଣ ମୋଡ଼ କରାଯାଇଛି । ଆଜ୍ଞାମାଳ ବିଜେ ପରେ ରଥର ଦକ୍ଷିଣମୋଡ଼ କରାଯାଇଛି । ଏହାପରେ ନନ୍ଦିଘୋଷ ରଥକୁ ଟାଣି ଟାଣି ନେଇଥିଲେ ସୁରକ୍ଷାକର୍ମୀ ।
ବୁଧବାର ତିନି ରଥକୁ ନାକଚଣା ଦ୍ୱାର ନିକଟକୁ ଆଣିବା ପାଇଁ ପୂର୍ବରୁ ନୀତି ନିର୍ଘଣ୍ଟ ହୋଇଥିଲା । କିନ୍ତୁ ସନ୍ଧ୍ୟା ହୋଇଯିବାରୁ ଓ ବର୍ଷା ବାଧକ ସାଜିବାରୁ ନନ୍ଦିଘୋଷ ରଥ ଟଣା ହୋଇପାରିନଥିଲା । ରଥ ବିଜେ ପାଇଁ ଶରଧାବାଲିକୁ ପରିଷ୍କାର ପରିଚ୍ଛନ୍ନ କରାଯାଇ ବାଲି ବିଛାଯାଇଥିଲା । କାଲି ପୂର୍ବାହ୍ନରେ ମୁଖ୍ୟ ବିଶ୍ବକର୍ମା, ଭୋଇ ସେବକ, କମାର ସେବକ, ଇଞ୍ଜିନିୟର ଓ ରଥ ଯାଞ୍ଚ କମିଟିଙ୍କ ତତ୍ତ୍ବାବଧାନରେ ରଥର ସ୍ଥିତି ଅନୁଧ୍ୟାନ କରାଯାଇଛି ।
ବର୍ତ୍ତମାନ ଜନ୍ମବେଦୀରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । ଜନ୍ମବେଦୀରେ ମହାପ୍ରଭୁଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି । ତିନି ଠାକୁରଙ୍କ ଦର୍ଶନ ପାଇଁ ଗୁଣ୍ଡିଚା ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗୁଛି । ସେପଟେ ବାହୁଡ଼ା ଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି କରିଛି ପୁରୀ ଜିଲ୍ଲା ପ୍ରଶାସନ । ଆଗକୁ ବାହୁଡ଼ା ଓ ସୁନାବେଶ ଥିବାରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଶରଧାବାଲିରେ ଘଟିଥିବା ଅଘଟଣ ପରଠାରୁ ଅଧିକ ସଜାଗ ରହିଛି ପ୍ରଶାସନ ।