ଟ୍ରମ୍ପଙ୍କ ବାଣିଜ୍ୟ ନୀତି ଉପରେ ଲାଗିଲା ବ୍ରେକ୍, ମଧ୍ୟରାତ୍ରରୁ ଟାରିଫ ଅସୁଲି ବନ୍ଦ

NEWS7
chair-not-provided-to-bmc-mayor-alleged-by-mayor-sulochana-das

ନୂଆଦିଲ୍ଲୀ ୨୩।୨: ଟାରିଫକୁ ନେଇ ଆମେରିକା ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଜାରି କିଛି ଆମଦାନୀ ଶୁଳ୍କ ଏବେ ଆଉ ଅସୁଲ ହେବନି। ଏହା ସେହି ଟାରିଫ ଯାହା ଗତବର୍ଷ ସପ୍ଲାଇ ଚେନକୁ ପ୍ରଭାବିତ କରିଥିଲା ଓ ଅନେକ ଦେଶଙ୍କ ସହ ଆମେରିକାର ସମ୍ପର୍କକୁ ବିଗାଡିଥିଲା। କୋର୍ଟ ଏହି ଶୁଳ୍କର ବୈଧତା ଉପରେ ପ୍ରଶ୍ନ ଉଠାଇ ଏହାକୁ ବେଆଇନ କହିଥିଲେ। କୋର୍ଟଙ୍କ ନିଷ୍ପତ୍ତିର ୩ ଦିନ ପରେ ଶୁଳ୍କ ଅସୁଲି ବନ୍ଦ କରାଯାଉଛି। ଏ ନେଇ ଆମେରିକା ସୀମା ଶୁଳ୍କ ଓ ସୀମା ସୁରକ୍ଷା ଏଜେନ୍ସୀ ଅଧିକାରୀକ ବୟାନ ଜାରି କରିଛନ୍ତି।

ଏଜେନ୍ସୀଙ୍କ ବୟାନ ଅନୁସାରେ ୧୯୭୭ ଜରୁରିକାଳୀନ ଆର୍ଥିକ ଶକ୍ତି ଅଧିନିୟମ (ଆଇଇଇପିଏ) ଅନୁସାରେ ଜାରି ଶୁଳ୍କର ଅସୁଲି ମଙ୍ଗଳବାର ସ୍ଥାନୀୟ ଆମେରିକୀୟ ସମୟ ମଧ୍ୟରାତ୍ର ୧୨.୦୧ (ଭାରତୀୟ ସମୟ ୧୦ଟା ୩୦ ମିନିଟ୍) ରେ ବନ୍ଦ କରିଦିଆଯିବ। ଏଣୁ ଏଜେନ୍ସୀ ଆମଦାନୀକାରୀଙ୍କୁ ନିର୍ଦ୍ଦେଶ ଜାରି କରି ସମ୍ବଦ୍ଧିତ ଶୁଳ୍କ କୋଡକୁ କାର୍ଗୋ ସିଷ୍ଟମରୁ ନିଷ୍କ୍ରିୟ କରିଦେବାକୁ କହିଛନ୍ତି। ତେବେ ଏହି ନିଲମ୍ବନ କେବଳ ଆଇଇଇପିଏ ଅନୁସାରେ ଜାରି ଶୁଳ୍କରେ ସୀମିତ। ହେଲେ ଟ୍ରମ୍ପ ପ୍ରଶାସନ ଦ୍ୱାରା ଧାରା ୨୩୨ (ଜାତୀୟ ସୁରକ୍ଷା) ଓ ଧାରା ୩୦୧ (ଅନୁଚିତ ବ୍ୟାପାର ପ୍ରଥା) ଆଧାରରେ ଜାରି ଅନ୍ୟ ଟାରିଫ ପ୍ରଭାବୀ ରହିବ। ବ୍ୟାପାର ସମୂଦାୟକୁ ପରବର୍ତ୍ତି ସୂଚନା ଆବଶ୍ୟକତା ଅନୁସାରେ ଜାରି କରାଯିବ ବୋଲି ଏଜେନ୍ସୀ କହିଛନ୍ତି।

ତେବେ ମଜାଦାର କଥା ହେଉଛି କୋର୍ଟଙ୍କ ନିଷ୍ପତ୍ତିର କିଛି ଘଣ୍ଟା ପରେ ଟ୍ରମ୍ପ ଏକ ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି। ସେ ଅନ୍ୟ ଏକ ଆଇନଗତ ବ୍ୟବସ୍ଥା ଅନୁସାରେ ସବୁ ଦେଶରୁ ଆମଦାନୀ ହେଉଥିବା ସାମାନ ଉପରେ ୧୫%ର ସମାନ ଟାରିଫ ଲାଗୁ କରିବାକୁ ଘୋଷଣା କରିଛନ୍ତି। ଏହି ନୂଆ ଶୁଳ୍କ ଆମେରିକୀୟ ବାଣିଜ୍ୟ ଆଇନ ଧାରା ୧୨୨ ଅନୁସାରେ ଲାଗୁ କରାଯାଇଛି। ଏହି ଧାରା ଅନୁସାରେ ସର୍ବାଧିକ ୧୫% ପର୍ଯ୍ୟନ୍ତ ଶୁଳ୍କ ଲଗାଯାଇ ପାରିବ। ଯଦି ଏହି ଶୁଳ୍କ ବ୍ୟବସ୍ଥାକୁ ୧୫୦ ଦିନରୁ ଅଧିକ ସମୟ ଧରି ଜାରି ରଖିବାକୁ ହୁଏ ତେବେ ଆମେରିକୀୟ କଂଗ୍ରେସର ଅନୁମତି ନେବାକୁ ପଡିବ। ତେବେ ଟ୍ରମ୍ପଙ୍କ ପୂର୍ବରୁ କୌଣସି ଆମେରିକୀୟ ରାଷ୍ଟ୍ରପତି ଏହି ପ୍ରାବଧାନର ଉପଯୋଗ କରିନଥିଲେ। ଏଣୁ ନୂଆ ଶୁଳ୍କ ବ୍ୟବସ୍ଥା ପୁଣି ଆଇନଗତ ସମସ୍ୟାର ସମ୍ମୁଖୀନ ହେବ ବୋଲି ଆଶଙ୍କା କରାଯାଉଛି।

ଅର୍ଥଶାସ୍ତ୍ରୀଙ୍କ ଅନୁସାରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିଯୋଗୁ ଆମେରିକା ରାଜକୋଷ ଉପରେ ବଡ଼ ପ୍ରଭାବ ପଡିପାରେ। ଅନୁମାନ ଅନୁସାରେ ୧୭୫ ବିଲିୟନ ଡଲାରରୁ ଅଧିକ ରାଶି ବାଜିରେ ଲାଗିପାରେ। କାରଣ ଏବେ ଆମାନ୍ୟ ଘୋଷିତ ଶୁଳ୍କ ଯୋଗୁ ଦୈନିକ ଶହଶହ ମିଲିୟନ ଡଲାରର ଶୁଳ୍କ ଆୟ ହେଉଥିଲା। ଏଥିରେ ଯଦି ଆମଦାନୀକାରୀଙ୍କୁ ସେମାନଙ୍କ ରାଶି ଫେରାଇବାକୁ ପଡେ ସରକାରଙ୍କୁ ଭୀଷଣ ବିତ୍ତିୟ ଚାପର ସମ୍ମୁଖୀନ ହେବାକୁ ପଡିବ। କୋର୍ଟଙ୍କ ନିଷ୍ପତ୍ତି ଯୋଗୁ ଚୀନ୍, ଦକ୍ଷିଣକୋରିଆ, ଜାପାନ ଓ ତାଇୱାନ ଭଳି ପ୍ରମୁଖ ଏସିୟ ରପ୍ତାନୀକାରୀଙ୍କୁ ଆଶ୍ୱସ୍ତି ମିଳିଛି। ଏହି ଦେଶମାନେ ବୈଶ୍ୱିକ ମେନୁଫେକ୍ଚରିଂ ଓ ବୈଷୟିକ ଯୋଗାଣ ଶୃଙ୍ଖଳାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତି।

ଏହା ବି ପଢନ୍ତୁ :-ପଢିବାକୁ ଯାଇଥିଲେ ଆମେରିକା, ବୟସ୍କଙ୍କୁ ଠକି ରୋଜଗାର କରୁଥିଲେ ଟଙ୍କା : ଭାରତୀୟ ଛାତ୍ରଙ୍କୁ ୧୮ ବର୍ଷ ଜେଲ୍