ନୂଆଦିଲ୍ଲୀ: ରାଜସ୍ଥାନର ଝାଲାୱାରର ଏକ ସରକାରୀ ସ୍କୁଲ କୋଠା ଭୁଶୁଡ଼ି ୭ ଛାତ୍ରଛାତ୍ରୀଙ୍କର ଜୀବନ ଯିବା ପରେ କେନ୍ଦ୍ର ସରକାରଙ୍କର ଚେତା ପଶିଛି। କେନ୍ଦ୍ର ସରକାର ଶନିବାର ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସମସ୍ତ ସ୍କୁଲର ବାଧ୍ୟତାମୂଳକ ସୁରକ୍ଷା ଅଡିଟ୍ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁଯାୟୀ ସ୍କୁଲଗୁଡ଼ିକରେ କେବଳ ନିର୍ମାଣ ସ୍ଥିତି ଏବଂ ଅଗ୍ନି ନିରାପତ୍ତା ଯାଞ୍ଚ ନୁହେଁ, ତତ୍ ସହିତ ଛାତ୍ରଛାତ୍ରୀଙ୍କ ମାନସିକ ସୁସ୍ଥତାକୁ ମଧ୍ୟ ବିଚାରକୁ ନେବା କୁହାଯାଇଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ସ୍କୁଲ୍ରେ କଣ ସବୁ ବ୍ୟବସ୍ଥା ହୋଇଛି ସେ ବିଷୟରେ ସମସ୍ତ ଯାଞ୍ଚ କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି।
ଶୁକ୍ରବାର(୨୫.୭.୨୦୨୫) ରାଜସ୍ଥାନର ପିପଲୋଡି ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀଗୃହର ଛାତ ହଠାତ୍ ଭୁଶୁଡ଼ି ପଡ଼ି ୭ ବିଦ୍ୟାର୍ଥୀଙ୍କ ମୃତ୍ୟୁ ହୋଇଥିଲେ। ଏକାଧିକ ଆହତ ହୋଇଥିଲେ।ତୁରନ୍ତ ଏକ ବଡ଼ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା, ପୋଲିସ, ସ୍ଥାନୀୟ ବାସିନ୍ଦା ଏବଂ ଅଧିକାରୀମାନେ ମିଳିତ ଭାବରେ ଛାତ୍ରଛାତ୍ରୀମାନଙ୍କୁ ଭଗ୍ନାବଶେଷରୁ ବାହାର କରି ଆହତଙ୍କୁ ଡାକ୍ତରଖାନା ପଠାଇ ଥିଲେ। ୨୦ ବର୍ଷ ପୁରୁଣା ସ୍କୁଲ କୋଠାର ଛାତ୍ର ପଥର ସ୍ଲାବରେ ତିଆରି ହୋଇଥିଲା ମୃତକ ଛାତ୍ରଛାତ୍ରୀଙ୍କର ସପ୍ତମ ଶ୍ରେଣୀର ହୋଇଥିବା ବେଳେ ସେମାନଙ୍କର ବୟସ ୧୨ ରୁ ୧୪ ବର୍ଷ ବୟସର ମଧ୍ୟରେ ହେବ।
ଘଟଣାରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଦୁଃଖ ପ୍ରକାଶ କରିଥିଲେ। ଏହା ଅତ୍ୟନ୍ତ ଦୁଃଖଦ ହୃଦୟ ବିଦାରକ ବୋଲି କହିଥିଲେ। ଜଣେ ଚାତ୍ରଙ୍କ ଅଭିଯୋଗ ଅନୁସାରେ, ଛାତ ଭୁଶୁଡ଼ିବା ଆଭାଶ ପାଇଁ ଛାତ୍ରଛାତ୍ରୀ ଶିକ୍ଷକମାନଙ୍କୁ ଅବଗତ କରାଇଥିଲେ। ହେଲେ ଶିକ୍ଷକ କଥାକୁ କର୍ଣ୍ଣାପାତ ନ କରି ପିଲାମାନଙ୍କୁ କ୍ଲାସ୍ରେ ବସିବାକୁ ନିର୍ଦ୍ଦେଶ ଦେଇଥିଲେ। ଫଳରେ ଏହି ଦୁର୍ଘଟଣା ଘଟିଛି। ଘଟଣାରେ ରାଜସ୍ଥାନ ସରକାର କିଛି ସ୍କୁଲ୍ ଶିକ୍ଷକଙ୍କୁ ନିଲମ୍ବିତ ମଧ୍ୟ କରିଛନ୍ତି।